ବଡ଼ସାହି: ବଡ଼ସାହି ଥାନା ଅନ୍ତର୍ଗତ ଭୀମଦା ପଞ୍ଚାୟତ ଦାସୀପୁର ଗ୍ରାମର ଶ୍ୟାମସୁନ୍ଦର ଜେନାଙ୍କ ପୁଅ ଜୟନ୍ତ ଜେନା(ମଦନ)ଙ୍କର ଗତକାଲି (୧ ତାରିଖ) ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ଘଟିଥିବା ଜାଣାଯାଇଛି। ଜୟନ୍ତ ଜେନା ନିଜ ସ୍କୁଟି ଗାଡ଼ିରେ ଘରକୁ ଫେରୁଥିବା ବେଳେ ମାଣତ୍ରି -ଭୀମଦା ରାସ୍ତାର ଗଙ୍ଗାହାର ନଦୀ ପୋଲ ଉପରେ ପଛପଟୁ ଆସୁଥିବା ଏକ ଚାରିଚକିଆ ଗାଡି ଧକ୍କା ଦେଇ ପଳାଇ ଯାଇଥିଲା। ଏହି ଧକ୍କାରେ ସ୍କୁଟି ଆରୋହୀ ଜୟନ୍ତ ଖସି ପଡ଼ିଥିଲେ।

ଏଥିରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା। ଖବରପାଇ ଘରଲୋକେ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବଡ଼ସାହି ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଡାକ୍ତର ଜୟନ୍ତଙ୍କୁ ମୃତ ଘୋଷଣା କରିଥିଲେ। ଜୟନ୍ତ(ମଦନ) ବିଜେପି ଦଳର ବଡ଼ସାହି ବ୍ଲକ ମାଣତ୍ରି ମଣ୍ଡଳର ଉପ ସଭାପତି ଥିଲେ। ତାଙ୍କର ଦୁର୍ଘଟଣା ଖବର ଶୁଣି ବ୍ଲକ ବିଜେପିର ଶଶୀଶେଖର ପଣ୍ଡା, ଭବାନୀ ଶଙ୍କର ସାହୁ, ସୁବାଷ ଦ୍ବିବେଦୀ, ଅଭୟ ମହାପାତ୍ର, ନରୋତ୍ତମ ମହାପାତ୍ରଙ୍କ ସମେତ ବହୁ କର୍ମୀ ଓ କର୍ମକର୍ତ୍ତା ଡାକ୍ତରଖାନାରେ ପହଞ୍ଚିଥିଲେ। ଏ ସମ୍ପର୍କରେ ବଡ଼ସାହି ଥାନାରେ ଏକ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

The post ମୟୂରଭଞ୍ଜ: ଅଜଣା ଗାଡି ଧକ୍କାରେ ଯୁବକ ମୃତ first appeared on Sambad.



from ଜିଲ୍ଲା – Sambad https://ift.tt/3of7te9