ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ସୁନାପାଲି-ଗେଙ୍ଗୁଟିପାଲି ବନ୍ଧ ଭିତରୁ ରବିବାର ସକାଳୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଜଣଙ୍କ ସ୍ଥାନୀୟ ମୋତିଝରନ୍‌ରେ ରହୁଥିବା ମହମ୍ମଦ ଅଫ୍‌ସର(୩୮) ବୋଲି ଜଣାପଡ଼ିଛି। ସାମାନ୍ୟ ବଚସାକୁ କେନ୍ଦ୍ରକରି ଅଫ୍‌ସରଙ୍କୁ କଂକ୍ରିଟ୍‌ରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଧନୁପାଲି ପୁଲିସ୍‌ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଛାନ୍‌ଭିନ୍‌ ଚଳାଇଥିବା ସମୟରେ ରବିବାର ସନ୍ଧ୍ୟା ସୁଦ୍ଧା ଜଣେ ଅଭିଯୁକ୍ତକୁ ଚିହ୍ନଟ କରିସାରିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ମୃତକ ଏମ୍‌ଡି ଅଫ୍‌ସର ନେପାଳରେ ରହି କୌଣସି ଗ୍ୟାରେଜରେ କାମ କରୁଥିଲେ। ତେବେ ଗତ ୧୫ ଦିନ ହେବ ସେ ଘରକୁ ଫେରିଥିଲେ। ଏଠାକୁ ଫେରିବା ପରେ ମଧ୍ୟ ସେ ‌ମିସ୍ତ୍ରି ଭାବେ କାମ କରୁଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଅଫ୍‌ସର ବାହାରେ ରହୁଥିବାରୁ ତାଙ୍କର ସେଭଳି କୌଣସି ଶତ୍ରୁ ମଧ୍ୟ ନଥିଲେ ବୋଲି ପରିବାର ଲୋକେ ପୁଲିସ୍‌କୁ କହିଛନ୍ତି। ତେବେ କେଉଁ ପରିସ୍ଥିତିରେ ଓ କିଏ ତାଙ୍କୁ ହତ୍ୟା କଲା ତାହା ଏବେ ରହସ୍ୟଘେରରେ ରହିଛି।

ତେବେ ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ ୧୧ଟା ସମୟରେ ରକ୍ତଛିଟା ପଡ଼ିଥିବା ସ୍ଥାନରେ କିଛି ଯୁବକଙ୍କ ମଧ୍ୟରେ ବଚସା ହେବା ପରେ ମାର୍‌ପିଟ୍‌ ହୋଇଥିଲା। ଏହାପରେ ଅଭିଯୁକ୍ତମାନେ ଅଫ୍‌ସରଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ପୁଲିସ୍‌ ଆଶଙ୍କା କରୁଛି। ସେ ଶନିବାର ଅପରାହ୍ଣରେ ଘରୁ ବାହାରି ଆଉ ଫେରିନଥିବାବେଳେ ରବିବାର ସୁନାପାଲିର ଏହି ପୋଖରିରେ ଅଫ୍‌ସରଙ୍କ ଉଲଗ୍ନ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।

The post ସାମାନ୍ୟ ବଚସାକୁ ନେଇ ତୁମୁଳକାଣ୍ଡ : କଂକ୍ରିଟ୍‌ରେ ଛେଚି ଯୁବକଙ୍କୁ ନିର୍ମମ ହତ୍ୟା first appeared on Sambad.



from ଜିଲ୍ଲା – Sambad https://ift.tt/3lTyKRz