
ପୁରୀ: ‘ନଟ୍ ଫର୍ ସେଲ୍’ ସାନିଟାଇଜର୍ ପାଇଁ ୪୭.୨୦ ଲକ୍ଷ ଟଙ୍କାର ବିଲ୍! ରଥଯାତ୍ରା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସେବାୟତଙ୍କୁ ଯୋଗାଇ ଦିଆଯାଇଥିବା ସାନିଟାଇଜର୍କୁ ଏବେ ବିଲ୍ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଫଳରେ, ସାନିଟାଇଜର୍ କିଣାରେ ବଡ଼ଧରଣର ଦୁର୍ନୀତି ହୋଇଥିବା ସନ୍ଦେହ କରାଯାଇଛି। ଭକ୍ତମାନଙ୍କ ଦାନ ବାବଦ ଅର୍ଥ ହୋଇଥିବାରୁ ସାଧାରଣରେ ବି ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ଜୁଲାଇ ମାସରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଆରମ୍ଭରୁ ରଥଯାତ୍ରାକୁ ନେଇ ବିବାଦ ଦେଖା ଦେଇଥିଲା। କରୋନା ପାଇଁ ପ୍ରଥମେ ରଥଯାତ୍ରା ନ କରିବାକୁ ରାୟ ଦେଇଥିଲେ ସୁପ୍ରିମକୋର୍ଟ। ରାୟର ପୁନଃବିଚାର ପରେ ପୁଣିଥରେ ରଥଯାତ୍ରା ପାଇଁ ଅନୁମତି ମିଳିଥିଲା। କିନ୍ତୁ ସଂକ୍ରମଣମୁକ୍ତ ରଥଯାତ୍ରା ପାଇଁ ଆବଶ୍ୟକ ପ୍ରତିକାର ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ରଥଯାତ୍ରାରେ ସାମିଲ୍ ହେଉଥିବା ସେବାୟତଙ୍କ କୋଭିଡ୍ ପଜିଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିଲା। ସେହି ସମୟରେ ଶ୍ରୀମନ୍ଦିର ପ୍ରଶାସନ ୨୨ଶହ ସେବାୟତଙ୍କ କୋଭିଡ୍ ଟେଷ୍ଟ କରିଥିଲା। ଘର ପିଛା ଦୁଇଟି ପର୍ଯ୍ୟାୟରେ ସାନିଟାଇଜର ବଣ୍ଟାହେଲା।
ପ୍ରଥମ ପର୍ଯ୍ୟାୟରେ ସେବାୟତଙ୍କ ପରିବାର ପିଛା ୫.୫ ଲିଟର ଓ ଦ୍ବିତୀୟ ପର୍ଯ୍ୟାୟରେ ୨ ଲିଟର ସାନିଟାଇଜର ବଣ୍ଟା ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ବଣ୍ଟାଯାଇଥିବା ୫.୫ ଲିଟର(୫ଲିଟର ଜାରକିନ୍ ଓ ୫୦୦ ମିଲିଲିଟର ବୋତଲ)ରୁ ୫ ଲିଟର ସାନିଟାଇଜର ଶ୍ରୀମନ୍ଦିର ପ୍ରଶାସନ କିଣିଥିବା କହୁଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ମିଳିଥିବା ୨ ଲିଟର ସାନିଟାଇଜର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାଗଣାରେ ମିଳିଥିଲା ବୋଲି କୁହାଯାଉଛି। ପ୍ରଥମ ପର୍ଯ୍ୟାୟରେ ବଣ୍ଟାଯାଇଥିବା ସାନିଟାଇଜର ପାଇଁ ଶ୍ରୀମନ୍ଦିର ପ୍ରଶାସନ ୫ ଲିଟରର ୨୫ ଶହ ଜାରକିନ୍ ସାନିଟାଇଜର କ୍ରୟ କରିଥିଲା ବୋଲି କୁହାଯାଉଛି। ତେବେ, ପ୍ରଥମ ପର୍ଯ୍ୟାୟରେ ବଣ୍ଟାଯାଇଥିବା ସାଢ଼େ ୫ ଲିଟରରୁ ୫ ଲିଟର ସାନିଟାଇଜର ପାଇଁ ଶ୍ରୀମନ୍ଦିର ପ୍ରଶାସନ ୪୭ ଲକ୍ଷ ୨୦ ହଜାର ଟଙ୍କାର ବିଲ୍ କରିଛି। ଯାହା ଏବେ ସନ୍ଦେହ ସହ ପ୍ରଶ୍ନ ସୃଷ୍ଟି କରିଛି।
ମିଳିଥିବା ସୂଚନା ମୁତାବ ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର ପ୍ରଶାସନ ଯେଉଁ ସାନିଟାଇଜର ବାଣ୍ଟିଥିଲା, ସେଥିରୁ ୫ ଲିଟର ଜାରକିନ୍ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଏହା ଓଡ଼ିଶା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି। ଯେଉଁଥିରେ ବଡ଼ ବଡ଼ ଅକ୍ଷରରେ ‘ ନଟ୍ ଫର ସେଲ୍’ ବୋଲି ଉଲ୍ଲେଖ ରହିଛି। ଶ୍ରୀମନ୍ଦିର ପ୍ରଶାସନ ନାଁ’ ବି କୌଣସି ସ୍ଥାନରେ ଉଲ୍ଲେଖ ନାହିଁ। ନିରାମୟ ଔଷଧ ହେଉ କି ଅନ୍ୟ କିଛି ବ୍ୟବସ୍ଥା, ଯାହା ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ମିଳେ, ସେଥିରେ ରାଜ୍ୟ ସରକାରଙ୍କ ନାଁ’ ସହିତ ନଟ୍ ଫର୍ ସେଲ୍ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥାଏ। ଯଦି ଏହି ସାନିଟାଇଜର ଶ୍ରୀମନ୍ଦିର ପ୍ରଶାସନ କିଣିଛି, ତେବେ ଏଥିରେ ‘ ନଟ୍ ଫର୍ ସେଲ୍’ ବୋଲି କାହିଁକି ଉଲ୍ଲେଖ ରହିଲା? ଯଦି ଶ୍ରୀମନ୍ଦିର ପ୍ରଶାସନ ଏହି ସାନିଟାଇଜର ୪୭ ଲକ୍ଷ ୨୦ ହଜାର ଟଙ୍କା ଦେଇ କିଣିଛି, ଏହା ଉପରେ ଶ୍ରୀମନ୍ଦିର ପ୍ରଶାସନ ନାଁ’ ରହିବା କଥା। କିନ୍ତୁ ସାନିଟାଇଜର ଜାରକିନ୍ରେ ମନ୍ଦିର ପ୍ରଶାସନର ନାଁ’ କାହିଁକି ଉଲ୍ଲେଖ ରହିଲାନି? କାହିଁକି ଓଡ଼ିଶା ସରକାରଙ୍କ ନାଁ’ ରହିଲା ? ଏଭଳି ଅନେକ ପ୍ରଶ୍ନ ଏବେ ସେବାୟତ ଓ ଭକ୍ତଙ୍କୁ ଆନ୍ଦୋଳିତ କରିବା ସହ ଦୁର୍ନୀତି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ୪୭ ଲକ୍ଷ ୨୦ ହଜାର ଟଙ୍କା ଭକ୍ତଙ୍କ ଦାନ ଅର୍ଥରୁ ଖର୍ଚ୍ଚ କରାଯାଉଛି। ତେଣୁ ଭକ୍ତମାନଙ୍କ ଜାଣିବାର ବି ଅଧିକାର ରହିଛି। ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କୁ ଏହା ସ୍ପଷ୍ଟ କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଏ ସଂପର୍କରେ ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ରଥଯାତ୍ରା ସମୟରେ ସେବାୟତଙ୍କୁ ସାନିଟାଇଜର ବଣ୍ଟନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ବାସ୍ଥ୍ୟ ବିଭାଗ ଓ ଅବକାରୀ ବିଭାଗକୁ ଚିଠି କରିଥିଲୁ। ସେ ସମୟରେ ୩ ହଜାର ଜାରକିନ୍(୫ ଲିଟର) ମନ୍ଦିର ପ୍ରଶାସନକୁ ମିଳିଥିଲା। ୨୫ ଶହ ଜାରକିନ୍ କିଣିବାକୁ ପଡ଼ିଥିଲା। ବାକି ୫ ଶହ ଜାରକିନ୍ ମାଗଣାରେ ମିଳିଥିଲା। ଏଥିପାଇଁ କ୍ରୟ କରାଯାଇଥିବା ୫ ଲିଟର ଜାରକିନ୍ ସହ ୫ ଶହ ମିଲିଲିଟରର ଛୋଟ ବୋତଲ୍ ସାନିଟାଇଜର ସେବାୟତଙ୍କୁ ବଣ୍ଟାଯାଇଥିଲା। ଅବକାରୀ ବିଭାଗ ଠାରୁ ସମୁଦାୟ ୧୨ ହଜାର ୫୦୦ ଲିଟର ସାନିଟାଇଜର୍ କ୍ରୟ କରାଯାଇଥିଲା। ଅବକାରୀ ବିଭାଗର ଚିଠି ଓ ବିଲ୍ ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ସାନିଟାଇଜର ବାବଦକୁ ୪୭ ଲକ୍ଷ ୨୦ ହଜାର ଟଙ୍କା ଦେଇଥିବା ସେ କହିଛନ୍ତି। ତେବେ ସାନିଟାଇଜର ଜାରକିନ୍ରେ ଓଡ଼ିଶା ସରକାରଙ୍କ ନାଁ’ ଓ ନଟ୍ ଫର୍ ସେଲ୍ କାହିଁକି ଉଲ୍ଲେଖ ରହିଲା, ସେ ସଂପର୍କରେ ଜାଣିନଥିବା କହିଛନ୍ତି।
The post ମାଗଣା ସାନିଟାଇଜର ପାଇଁ ୪୭.୨ ଲକ୍ଷର ବିଲ୍! first appeared on Sambad.
from ଜିଲ୍ଲା – Sambad https://ift.tt/2Wre3CA
0 Comments