
କଟକ: ରାଜ୍ୟ ରାଜକୋଷକୁ ଅଧିକ ଟିକସ ଯୋଗାଉଥିବା ତଥା ନିଯୁକ୍ତି ସୁଯୋଗ ଦିନରେ ଯତ୍ନବାନ ହେଉଥିବା ଶିଳ୍ପ ସ˚ସ୍ଥାମାନଙ୍କ ଅବସ୍ଥା ପ୍ରତି କାହାର ଆନ୍ତରିକତା ନାହିଁ। ଜଗତପୁରର ନୂତନ ଶିଳ୍ପାଞ୍ଚଳ ରାଜ୍ୟର ଏକ ପ୍ରମୁଖ ଶିଳ୍ପଭିତ୍ତିକ ଅଞ୍ଚଳ। ହେଲେ ଦୀର୍ଘ ବର୍ଷଧରି ଏଠାରେ ଗଢି ଉଠିଥିବା ଶିଳ୍ପଗୁଡ଼ିକ ସରକାରୀ ସୁବିଧାରୁ ବଞ୍ଚିତ ହୋଇଆସୁଛନ୍ତି। ତେବେ ଏଠାରେ କୌଣସି ଭତ୍ତା କିମ୍ବା ରାସନକାର୍ଡ ବ୍ୟବସ୍ଥା ବିଷୟରେ କୁହାଯାଉନି, ବର˚ ଏକ ଶିଳ୍ପାଞ୍ଚଳରେ ସୁସ୍ଥ ବ୍ୟବସାୟ କରିବା ପାଇଁ ଯେଉଁ ମୌଳିକ ସୁବିଧାର ଆବଶ୍ୟକତା ରହିଛି, ତାହାକୁ ଯୋଗାଇଦେବାରେ ସରକାରୀ କଳ ବିଫଳ ହୋଇ ଆସିଛନ୍ତି।
ଶିଳ୍ପାଞ୍ଚଳ ଦାୟିତ୍ବ ଇଡ୍କୋ ହାତରେ ଥିବାରୁ ସମସ୍ତଙ୍କ ଆଶା ଥିଲା ଇଡ୍କୋ ସେମାନଙ୍କ ପାଇଁ ଚକାଚକ୍ ରାସ୍ତା କରିବ, ପରିମଳ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବ। କିନ୍ତୁ ଇଡ୍କୋ ଏଠାରେ କେବଳ ଶୋଷଣ କରିବା ଛଡ଼ା ଆଉ କୌଣସି ସୁବିଧା ଯୋଗାଇ ନାହିଁ। କେତେକ କ୍ଷେତ୍ରରେ ଲୋକଦେଖାଣିଆ କିଛି କାମ କରାଯାଇଥିଲେ ମଧ୍ୟ ତାହା ସ୍ବଳ୍ପମିଆଦି ଖୁସି ଦେବାରେ ଶେଷ ହୋଇଯାଇଛି। ଏପରିସ୍ଥଳେ ଶିଳ୍ପ ସ˚ସ୍ଥାମାନେ ଅନେକ ଥର ରାଜ୍ୟ ସରକାରଙ୍କ ପାଖରେ ସେମାନଙ୍କର ଗୁହାରି ଶୁଣାଇଥିଲେ ହେଲେ ସବୁକିଛି ଫାଇଲ୍ ଭିତରେ ରହିଯାଉଛି।
ଟ୍ରକ୍ ପାର୍କି˚ ପାଇଁ ସ୍ଥାନ ନାହିଁ, ରାସ୍ତାରେ ପଡ଼ିରହୁଛି ଟ୍ରକ୍
ବିଭିନ୍ନ ଶିଳ୍ପକୁ ମାଲ୍ ପରିବହନ କରୁଥିବା ଟ୍ରକ୍ଗୁଡ଼ିକ ପାଇଁ ପାର୍କି˚ ସ୍ଥାନ ନାହିଁ। ଟ୍ରକ୍ଗୁଡ଼ିକ ମାଲ୍ ପରିବହନ ସମୟରେ ସେମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥାଏ। କିନ୍ତୁ ଉପଯୁକ୍ତ ପାର୍କି˚ସ୍ଥାନ ନଥିବାରୁ ଡ୍ରାଇଭରମାନେ ବାଧ୍ୟ ହୋଇ ସ˚ପୃକ୍ତ ଶିଳ୍ପସ˚ସ୍ଥା ନିକଟବର୍ତ୍ତୀ ରାସ୍ତା କଡ଼ରେ ପାର୍କି˚ କରୁଛନ୍ତି। ଯାହାଫଳରେ ଅନେକ ସମୟରେ ରାସ୍ତା ଜାମ୍ ହେଉଥିବାବେଳ ଅନ୍ୟ ଗାଡ଼ିଗୁଡିକୁ ଯାତାୟତରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଶିଳ୍ପାଞ୍ଚଳ ଭିତରେ ଅନେକ ଅବ୍ୟବୃତ ଅଞ୍ଚଳ ଥିବାରୁ ସେଠାରେ ଟ୍ରକ୍ ପାର୍କି˚ ପାଇଁ ସୁବିଧା କରିବାକୁ ଇଡ୍କୋକୁ ଅନେକ ଥର ପ୍ରସ୍ତାବ ଦିଆଯାଉଛି। ହେଲେ ପଦକ୍ଷେପ ଶୂନ।
ଲୋ-ଭୋଲଟେଜ୍ ସମସ୍ୟା, ସ୍ବତନ୍ତ୍ର ଗ୍ରିଡ୍ ଷ୍ଟେସନ୍ ନାହିଁ
ଡ୍ରେନ୍ ବ୍ୟତିତ ବିଦ୍ୟୁତ ବ୍ୟବସ୍ଥା ମଧ୍ୟ ଆହୁରି ଉଦ୍ବେଗଜନକ ରହିଛି। ୩୦୦ରୁ ଅଧିକ ଛୋଟ, ବଡ଼ ଶିଳ୍ପ ସ˚ସ୍ଥା ଥିଲେ ବି ଏଠାରେ ଏକ ଗ୍ରିଡ୍ ଷ୍ଟେସନ୍ ହୋଇପାରିଲାନି। ଯାହାଫଳରେ ଜଗତପୁରବାସୀ ଏବେବି ଚୌଦ୍ବାର ଗ୍ରିଡ୍ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। କୌଣସି କାରଣରୁ ଚୌଦ୍ବାର ଗ୍ରିଡ୍ ଷ୍ଟେସନ୍ରେ କିଛି ସମସ୍ୟା ହେଲେ ଜଗତପୁର ଅନ୍ଧାରରେ ରହିଯାଉଛି। ଦୀର୍ଘଦିନର ଦାବି ପରେ ଏକ ସବ୍ଷ୍ଟେସନ କରାଯାଇଥିଲେ ମଧ୍ୟ ଲୋ-ଭୋଲଟେଜ୍ ସମସ୍ୟା ଲାଗିରହୁଛି। ଏଥିସହ ବାରମ୍ବାର ବିଦ୍ୟୁତ କାଟ ହେଉଥିବାରୁ ପ୍ରଡକ୍ସନ ୟୁନିଟ୍ଗୁଡ଼ିକରେ ଅନେକ ଅସୁବିଧା ଦେଖାଦେଉଛି। କେବଳ ନୂତନ ଶିଳ୍ପାଞ୍ଚଳରୁ ୪କୋଟି ଟଙ୍କା ବିଦ୍ୟୁତ ଦେୟ ପୈଠ କରାଯାଉଛି। ଏହାସତ୍ତ୍ବେ ଫନି ବାତ୍ୟା ସମୟରେ ଚୌଦ୍ବାରରେ ବିଦ୍ୟୁତ ସ˚ଯୋଗ ସ୍ବଭାବିକ ହେବାର ମାସେ ପରେ ଜଗତପୁର ଶିଳ୍ପାଞ୍ଚଳକୁ ଲାଇନ୍ ଆସିଥିଲା। ତେଣୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରାଯିବା ପାଇଁ ସ୍ବତନ୍ତ୍ର ଗ୍ରିଡ୍ ଷ୍ଟେସନ୍ର ନିତାନ୍ତ ଆବଶ୍ୟକତା ଥିବା ଶିଳ୍ପପତିମାନେ ମତପ୍ରକାଶ କରିଛନ୍ତି।
ଡମ୍ପି˚ୟାର୍ଡ ନାର୍ହି, ରାସ୍ତାରେ ଗଦା ହୋଇଛି ଅଳିଆ
ପ୍ରତ୍ୟେକ ଶିଳ୍ପ ସ˚ସ୍ଥା ଭିତରୁ ଅନେକ ପରିମାଣରେ କଠିନ ବର୍ଯ୍ୟ ବାହାରୁଛି। କିନ୍ତୁ ସେଗୁଡ଼ିକୁ ମଧ୍ୟ ପକାଇବା ପାଇଁ ଡମ୍ପି˚ ୟାର୍ଡର ବ୍ୟବସ୍ଥା ନାହିଁ। ତରଳ ବର୍ଯ୍ୟ ପରି ବଡ଼ ସ˚ସ୍ଥାମାନେ ନିଜସ୍ବ ପ୍ଲାଣ୍ଟରେ ଏହାର ପରିଚାଳନା କରୁଥିଲେ ବି ଆହୁରି ଅନେକ ଅଳିଆ ଆବର୍ଜନାଗୁଡ଼ିକୁ ପକାଇବା ପାଇଁ ଡମ୍ପି˚ୟାର୍ଡ କରାଯାଇନାହିଁ। ଯାହାଫଳରେ ରାସ୍ତା କଡ଼ରେ ଏବ˚ ଅବ୍ୟବହୃତ ଜମିଗୁଡ଼ିକରେ ଅଳିଆଗୁଡ଼ିକୁ ପକାଇଦିଆଯାଉଛି। ସିଏମ୍ସି ପକ୍ଷରୁ ମଧ୍ୟ ସେଗୁଡ଼ିକୁ ନେବା ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ। ଅନେକ ବଡ଼ବଡ଼ ଶିଳ୍ପମାନେ ନିଜସ୍ବ ଖର୍ଚ୍ଚରେ ରାସ୍ତାକଡ଼କୁ ପରିସ୍କାର ରଖିବାକୁ ବାଧ୍ୟ ହେଉଛନ୍ତି। ତଥାପି ଅନେକ ସ୍ଥାନରେ ରାସ୍ତା କଡ଼ରେ ଅଳିଆ ଆବର୍ଜନା ଗଦା ହୋଇ ରହିଥିବାରୁ ପରିବେଶ ଅସ୍ବାସ୍ଥ୍ୟକର ହେଉଥିବା ଅଭିଯୋଗ ହେଉଛି।
ଡ୍ରେନ୍ ନାହିଁ, ରାସ୍ତାରେ ମାଡୁଛି ତରଳ ବର୍ଜ୍ୟ
୧୯୮୧ ମସିହାରୁ ଆରମ୍ଭ ହୋଇଥିବା ଜଗତପୁରର ନୂତନ ଶିଳ୍ପାଞ୍ଚଳ ପାଖାପାଖି ୩୫୪ ଏକର ଜମି ଉପରେ ଛିଡ଼ା ହୋଇଛି। ପାଖାପାଖି ୫୫୦ ୟୁନିଟ୍ ଶିଳ୍ପ ଏଠାରେ ଥିବାବେଳେ ପ୍ରାୟ ୩୩୫ ଟି ଶିଳ୍ପ ସକ୍ରିୟ ଭାବେ କାର୍ଯ୍ୟ କରୁଛି। ଇଡ୍କୋ ପକ୍ଷରୁ ଏଠାରେ ଶିଳ୍ପ ସ˚ସ୍ଥାଙ୍କୁ ଜମି ଯୋଗାଇ ଦିଆଯାଉଥିଲାବେଳେ ସେମାନଙ୍କ ବାର୍ଷିକ ରକ୍ଷଣାବେକ୍ଷଣ ପାଇଁ ଲକ୍ଷଲକ୍ଷ ଟଙ୍କା ନେଉଛି। ହେଲେ ଦୀର୍ଘଦିନର ଦାବିସ୍ବରୂପ ଡ୍ରେନ୍ ନିର୍ମାଣ ହୋଇପାରିଲାନି। ଯାହାଦ୍ବାରା ଶିଳ୍ପମାନଙ୍କରୁ ବାହାରୁଥିବା ତରଳ ବର୍ଜ୍ୟ କେଉଁଆଡେ ନିଷ୍କାସନ ହେବ ତାହା ଏବେ ବଡ଼ ପ୍ରଶ୍ନ। ଯଦିଓ ବଡ଼ବଡ଼ ଶିଳ୍ପ ସ˚ସ୍ଥାମାନେ ନିଜ ୟୁନିଟ୍ ଭିତରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ତିଆରି କରି ବର୍ଜ୍ୟ ପରିଚାଳନା କରୁଛନ୍ତି।
କିନ୍ତୁ ଛୋଟଛୋଟ ଶିଳ୍ପମାନଙ୍କରୁ ନିର୍ଗତ ହେଉଥିବା ତରଳ ବର୍ଜ୍ୟ ଯିବା ପାଇଁ ବାଟ ନାହିଁ। ଯାହାଫଳରେ ସେମାନେ ବାଧ୍ୟ ହୋଇ ବର୍ଜ୍ୟକୁ ରାସ୍ତା ଉପରକୁ ଛାଡ଼ି ଦେଉଛନ୍ତି। ଏହାଦ୍ବାରା ରାସ୍ତା ପାର୍ଶ୍ବ ଅପରିସ୍କାର ରହୁଥିଲାବେଳେ ମଶା, ମାଛି ବ˚ଶ ବୃଦ୍ଧି ପାଉଛି। କଟକରେ ଯେତେବେଳେ ଡେଙ୍ଗୁ, ମ୍ୟାଲେରିଆ ବିଷୟରେ ଆଲୋଚନା ହୁଏ, ସେତେବେଳେ ଜଗତପୁର ନୂତନ ଶିଳ୍ପାଞ୍ଚଳ କଥା ପ୍ରଥମେ ଆସେ। ପରିମଳ ବ୍ୟବସ୍ଥା ଆଦୌ ସୁଧୁରୁନଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ଲାଗିରହୁଛି।
The post ସମସ୍ୟା ଜର୍ଜ୍ଜରିତ ଜଗତପୁର ଶିଳ୍ପାଞ୍ଚଳ: ଦୁଃଖ ବଢ଼ାଉଛି ଇଡ୍କୋ; ଟଙ୍କା ନେଉଛି, ସମସ୍ୟା ପ୍ରତି ଆଖି ବୁଜିଦେଇଛି first appeared on Sambad.
from ଜିଲ୍ଲା – Sambad https://ift.tt/2K9zfKN
0 Comments