
କଟକ: ଭୁବନେଶ୍ବରରେ ନିଷ୍ପତ୍ତି ହୋଇ ସାରିଲାଣି। କେନ୍ଦ୍ରାପଡ଼ା, ଜଗତସିଂହପୁରରେ ବି ନିଷ୍ପତ୍ତି ହେଲାଣି। ଏଠି କଟକରେ ବନ୍ଦ କାହିଁକି? ସାଧାରଣ ଲୋକ ଏବେ ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗରେ ଏ ପ୍ରଶ୍ନର ଉତ୍ତର ଖୋଜି ବୁଲୁଥିବା ବେଳେ ପ୍ରଶାସନ କିନ୍ତୁ ତା’ ବାଟରେ ଚୁପ୍ ବସିଛି। ନିଷ୍ପତ୍ତି ହୋଇନି, ଆବେଦନ କରି ନାହାନ୍ତି, କୋଭିଡ୍ ସ୍ଥିତି ଏବେ ବି ରହିଛି… ଭଳି କାରଣ ଦର୍ଶାଇ ନିଷ୍ପତ୍ତି ଗଡାଇ ଚାଲିଛନ୍ତି। ବିରୋଧର ସ୍ବର ତୀବ୍ର ହେଉଛି। ଧାରଣା, ବିକ୍ଷୋଭ ଯାଏ କଥା ଗଲାଣି। ପ୍ରଶାସନ କେବେ ନିଷ୍ପତ୍ତି ନେବ, ଏବେ ତାହାକୁ ଅପେକ୍ଷା।
ଧର୍ମାନୁଷ୍ଠାନ ଖୋଲିବାକୁ ପୂର୍ବାଞ୍ଚଳ ଶାନ୍ତି କମିଟିର ଦାବି
ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିଥିବା ବେଳେ କଟକ ସହରରେ ଥିବା ମନ୍ଦିର, ମଠ, ମସ୍ଜିଦ୍, ଗିର୍ଜା, ଗୁରୁଦ୍ବାର ଆଦି ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ପକ୍ଷରୁ କଟକ ଜିଲ୍ଲାପାଳ ଓ ସିଏମ୍ସି କମିସନରଙ୍କୁ ଅନୁରୋଧ କରାଯାଇଛି। ପ୍ରଶାସନର ତ୍ବରିତ ପଦକ୍ଷେପ ଓ ଜନସାଧାରଣଙ୍କ ସହଯୋଗ ପାଇଁ କରୋନା ସଂକ୍ରମଣ ବହୁ ପରିମାଣରେ ପ୍ରଶମିତ ହୋଇଛି। ଏହା ସହିତ ଦୀର୍ଘ ୮ମାସ ଧରି ଧର୍ମାନୁଷ୍ଠାନମାନ ବନ୍ଦ ରହିଥିବାରୁ ଏହା ଉପରେ ନିର୍ଭର କରି ଚଳୁଥିବା ପୂଜକ ଓ ଲୋକଙ୍କ ଆର୍ଥିକ ଅବସ୍ଥା ଗୁରୁତର ପ୍ରଭାବିତ ହୋଇଛି। ଏହି ପାଇଁ ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ବିଜୟ କୁମାର ସାହୁ, ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ, ଯୁଗ୍ମ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ, କୋଷାଧକ୍ଷ ନିରଞ୍ଜନ ସାହୁ(ଶିବ) ସହର ସମେତ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଓ କମିସନରଙ୍କୁ ଦାବି କରିଛନ୍ତି।
The post କଟକ କ’ଣ ରାଜ୍ୟରୁ ଅଲଗା? ବଳଦେବଜୀଉ, ଶାରଳାଙ୍କ ନିଷ୍ପତ୍ତି ହେଲା; ଚଣ୍ଡୀ, ଚର୍ଚ୍ଚିକା ଓ ଭଟ୍ଟାରିକା ବନ୍ଦ କାହିଁକି? first appeared on Sambad.
from ଜିଲ୍ଲା – Sambad https://ift.tt/38wGJjc
0 Comments