ସମ୍ବଲପୁର: ଭିମ୍‌ସାର କୋଭିଡ୍ ହସ୍ପିଟାଲରେ ମୃତ୍ୟୁ ଘଟିବାର ୧୨ ଘଣ୍ଟା ଯାଏ ହସ୍ପିଟାଲ ପରିସରରେ ପଡ଼ି ରହିଲା ମୃତକଙ୍କ ଶବ। ସେପଟେ, ଶବ ଦାହ ପୂର୍ବରୁ ଶେଷଥର ପାଇଁ ନାବାଳିକା ଝିଅକୁ ‌ଦେଖିବା ପାଇଁ ପରିବାର‌ ଲୋକେ ଓ ପରିଜନମାନେ ରାଜଘାଟ ପରିସରରେ ଅପେକ୍ଷା କରିଥିଲେ। ହେଲେ, ଦୀର୍ଘ ସମୟ ଯାଏ ଶବ ଆସିନଥିଲା। ଏହି ଘଟଣାକୁ ନେଇ ମୃତକଙ୍କ ପରିଜନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।

ମିଳିଥିବା ସୂଚନା ଅନୁସାରେ, ୩ ଦିନ ତଳେ ସହରର ଜଣେ ୧୬ ବର୍ଷୀୟା ନାବାଳିକାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଭିମ୍‌ସାରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ରାତିରେ ଉକ୍ତ ନାବାଳିକାଙ୍କର ମୃତ୍ୟୁ ଘଟିଥିଲେ। ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଫୋନ୍‌ କରି ଜଣାଇବା ସହ ସକାଳ ୭ଟା ସୁଦ୍ଧା ରାଜଘାଟରେ ଆସି ପହଞ୍ଚିବାକୁ କହିଥିଲେ। ପରିବାର ଲୋକେ ମଧ୍ୟ ସୂଚନ‌ା ଅନୁସାରେ ୭ଟା ସୁଦ୍ଧା ଆସି ରାଜଘାଟରେ ପହଞ୍ଚିଥିଲେ। କିନ୍ତୁ ଦିନ ୧୨ଟା ଯାଏ ମଧ୍ୟ ଶବ ନଆସିବାରୁ ପରିବାର ଲୋକଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ଅନେକ ଲୋକ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଫୋନ୍‌ କରି ଜଣାଇବା ପରେ ଶେଷରେ ଦିନ ଦେଢ଼ଟା ସମୟରେ ଶବ ଆସି ରାଜଘାଟରେ ପହଞ୍ଚିଥିଲା। ଏ ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି , ଉକ୍ତ ନାବାଳିକାକୁ ମୃତ ଘୋଷଣା କରାଯାଇଥିଲେ ହେଁ ତାଙ୍କ ଟିକେଟ୍‌ରେ ମୃତ ବୋଲି ଲେଖା ଯାଇନଥିବାରୁ ଶବ ବାହାରିବାରେ ବିଳମ୍ବ ହୋଇଥିଲା।

The post ୧୨ ଘଣ୍ଟା କୋଭିଡ୍‌ ହସ୍ପିଟାଲରେ ପଡ଼ି ରହିଲା ଶବ first appeared on Sambad.



from ଜିଲ୍ଲା – Sambad https://ift.tt/2KUW5px