ଫୁଲବାଣୀ ସବୁଠୁ ଥଣ୍ଡା, ୧୦ ଡିଗ୍ରୀ ତଳରେ ୧୧ଟି ସ୍ଥାନ

ଭୁବନେଶ୍ବର/ ଫୁଲବାଣୀ: ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଛି। ୪ ଦିନ ହେଲା ଫୁଲବାଣୀ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଥିବା ବେଳେ ତାପମାତ୍ରା ୪ ଡିଗ୍ରିକୁ ଖସିଛି। ଆଜି ସକାଳୁ ମଧ୍ୟ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୪.୫ ଡିଗ୍ରି ରେକର୍ଡ ହୋଇଛି। ଏହାଛଡ଼ା ରାଜ୍ୟର ୧୧ଟି ସ୍ଥାନରେ ରାତ୍ରି ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଛି। ସେଥିମଧ୍ୟ‌ରେ ଅନୁଗୁଳରେ ୬ ଡିଗ୍ରି, ଦାରିଙ୍ଗବାଡ଼ିରେ ୮ଡିଗ୍ରି, ଭବାନୀପାଟଣାରେ ୮.୨ ଡିଗ୍ରି, କୋରାପୁଟରେ ୮.୬ ଡିଗ୍ରି ଓ ଝାରସୁଗୁଡ଼ାରେ ୮.୮ ଡିଗ୍ରି ରେକର୍ଡ ହୋଇଛି। ରାଜ୍ୟରେ ଏବେ ରାତ୍ରି ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ବି ଶୀତ ପ୍ରକୋପ ଜାରି ରହିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏମିତି ସ୍ଥିତି ଲାଗି ରହିବ। ତେବେ ଏଥିପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟବାସୀଙ୍କ ପାଇଁ କୌଣସି ୱାର୍ଣ୍ଣିଂ ଜାରି କରାଯାଇନାହିଁ। ଜନସାଧାରଣଙ୍କୁ କେବଳ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

କେନ୍ଦ୍ରର ସୂଚନା ମୁତାବକ, ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ରାତ୍ରି ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିବାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କୌଣସି ଜିଲ୍ଲାରେ କୌଣସି ପ୍ରକାର ୱାର୍ଣ୍ଣିଂ ଜାରି କରାଯାଇନାହିଁ। କିନ୍ତୁ ରାତ୍ରି ତାପମାତ୍ରା ଆସନ୍ତା ୩ରୁ ୪ ଦିନ ଯାଏ ଅପରିବର୍ତ୍ତିତ ରହିବ। ଏହି ସମୟ ମଧ୍ୟରେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିବ। ଏଥିସହ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିବ। ଫଳରେ ରାଜ୍ୟରେ ଶୀତ ପ୍ରକୋପ ଜାରି ରହିବ। ଆଜି ସକାଳେ ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୩.୮ ଡିଗ୍ରି ଓ କଟକରେ ୧୨ ଡିଗ୍ରି ସେଲ୍‌ସିୟସ୍‌ ‌ରେକର୍ଡ ହୋଇଛି।

The post ଫୁଲବାଣୀ ସବୁଠୁ ଥଣ୍ଡା, ୧୦ ଡିଗ୍ରୀ ତଳରେ ୧୧ଟି ସ୍ଥାନ first appeared on Sambad.



from ଜିଲ୍ଲା – Sambad https://ift.tt/3hf7RXT

Post a Comment

0 Comments