
କଟକ: ମହାନଗର ନିଗମ ପମ୍ପ ହାଉସରେ କାର୍ଯ୍ୟରତ ପମ୍ପ ଡ୍ରାଇଭରଙ୍କୁ ମିଳିନି ୧୭ ମାସର ଦରମା। ନିଜ ପାରିଶ୍ରମିକ ପାଇଁ ସିଏମ୍ସିକୁ ବାରମ୍ବାର ଦୌଡୁଥିଲେ ମଧ୍ୟ ଠିକା କର୍ମଚାରୀଙ୍କୁ ବର୍ଷାଧିକ ସମୟରୁ ଦରମା ପ୍ରଦାନ କରାଯାଉ ନାହିଁ। ଗତବର୍ଷ ନଭେମ୍ବର ମାସରୁ ସେମାନଙ୍କୁ କାମରୁ ବାହାରି କରି ଦିଆଯାଇଥିବାବେଳେ ସେମାନ ପାଉଣା ବାବଦକୁ ମିଳିବାକୁ ଥିବା ଟଙ୍କା ଠିକାସଂସ୍ଥା ଓ ସିଏମ୍ସି ଦେଉ ନଥିବା ଅଭିଯୋଗ ହୋଇଛି। ଏ ନେଇ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ବି କୌଣସି ଫଳ ମିଳୁ ନଥିବାର ଅଭିଯୋଗ ହୋଇଛି। ସିଏମ୍ସିର ଏଭଳି ଉଦାସିନତାକୁ ନେଇ ପମ୍ପ ଡ୍ରାଇଭରଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଦୁଛି।
ସହରରୁ ବାହାରୁଥିବା ଦୂଷିତ ଜଳ ପରିଚାଳନା ପାଇଁ ସିଏମ୍ସି ଅଧୀନରେ ରହିଛି ୭ଟି ପମ୍ପ୍ ହାଉସ। ଛତ୍ରବଜାର, କାଳିଆବୁଦା, ଖାନନଗର, ବିଦ୍ୟାଧରପୁର, ମାତୃଭବନ, ଯୋବ୍ରା ୧ ଓ ୨ ପରି ୭ଟି ସ୍ଥାନରେ ପମ୍ପ୍ହାଉସ ରହିଥିବାବେଳେ ଏହାର ପରିଚାଳନା ପାଇଁ ୧୯ଜଣ ଅସ୍ଥାୟୀ ପମ୍ପ ଡ୍ରାଇଭର ରହିଥିଲେ। ମାତ୍ର ଗତବର୍ଷ ନଭେମ୍ବର ମାସରୁ ସିଏମ୍ସି ସେମାନଙ୍କୁ କାମରୁ ବାହାର କରିଦେଇଛି। ବର୍ଷାଦିନେ ସହରର ଡ୍ରେନ୍ ଜଳସ୍ତର ବୃଦ୍ଧି ହେଉଥିବାରୁ ଏହି ପମ୍ପ ଡ୍ରାଇଭରଙ୍କ ଦାୟିତ୍ବ ବଢ଼ିଯାଏ। ଡ୍ରେନ ପାଣି ସୁପରିଚାଳନା ପାଇଁ ୩ଟି ସିଫ୍ଟ୍ରେ ଚାଳକମାନେ କାମ କରୁଥିଲେ। ମାସକୁ ୫ ହଜାର ପାରିଶ୍ରମିକ ନେଇ କାମ କରୁଥିବା ଏହି ଅସ୍ଥାୟୀ କର୍ମଚାରୀ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଠିକାସଂସ୍ଥାଙ୍କ ଦ୍ବାରା ପରିଚାଳିତ ହେଉଥିଲା। ସେମାନଙ୍କୁ ଠିକାସଂସ୍ଥାଙ୍କ ଦ୍ବାରା ବର୍ଷକୁ ଥରେ ଦରମା ପ୍ରଦାନ କରାଯାଉଥିଲା। ମାତ୍ର ଗତ ୨୦୧୮ର ମାର୍ଚ୍ଚରୁ ୨୦୧୯ ନଭେମ୍ବର ପର୍ଯ୍ୟନ୍ତ ପମ୍ପ ହାଉସ୍ରେ ୨୦ ମାସ କାମ କରିଥିଲେ ବି ସେମାନଙ୍କୁ ମାତ୍ର ୩ମାସର ଦରମା ମିଳିଛି।
୨୦୧୮ ମାର୍ଚ୍ଚରୁ ୨୦୧୯ ମାର୍ଚ୍ଚ ଏକବର୍ଷ ଧରି ଏହି ଠିକା କର୍ମଚାରୀ ଭୁବନେଶ୍ବରର ଏକ ସଂସ୍ଥା ଅଧୀନରେ କାମ କରିଥିଲେ। ପରେ ୨୦୧୯ ଏପ୍ରିଲରୁ ନଭେମ୍ବର ମାସ ପର୍ଯ୍ୟନ୍ତ ସିଏମସି ଅଧୀନରେ କାମ କରୁଥିଲେ। ୨୦୧୯ ନଭେମ୍ବରରେ ସିଏମସି ସେମାନଙ୍କୁ କାମରୁ ବାହାର କରିଦେଇଛି। ୧୭ ମାସର ବାକି ଦରମା ପାଇଁ ସିଏମସି ଓ ଠିକାସଂସ୍ଥାର ଅଧିକାରୀଙ୍କୁ ବାରମ୍ବାର ଦେଖାକରି ଗୁହାରି କରିଥିଲେ ବି କାହାର ଦୃଷ୍ଟି ସେମାନଙ୍କ ଉପରେ ପଡୁ ନାହିଁ।
ସହରର ପଏଣ୍ଟ୍ଗୁଡିକ ପ୍ରଥମେ ସ୍ବେରେଜ୍ ବୋର୍ଡ ଦ୍ବାରା ନିୟନ୍ତ୍ରଣ ହେଉଥିଲା। ସେବେଠାରୁ ଏହି ଅସ୍ଥାୟୀ କର୍ମଚାରୀ ପମ୍ପ୍ହାଉସରେ କାର୍ଯ୍ୟ କରୁଥିଲେ। ବୋର୍ଡ ପକ୍ଷରୁ ୨୦୧୪ରେ ସିଏମ୍ସିକୁ ସମସ୍ତ ପଏଣ୍ଟ୍ ହସ୍ତାନ୍ତର କରାଗଲା। ପରେ ଏହାର ପରିଚାଳନା ପାଇଁ ସିଏମ୍ସି ପକ୍ଷରୁ ଟେଣ୍ଡର କରାଯାଇ ଘରୋଇ ସଂସ୍ଥାଙ୍କୁ ଏହାର ଦାୟିତ୍ବ ଦିଆଗଲା। ଏହା ମଧ୍ୟରେ ୪ଟି ଘରୋଇ ସଂସ୍ଥା କାମ କରିଥିଲେ।
ସବୁ ସଂସ୍ଥା ଠିକ୍ ସମୟରେ ଦରମା ଦେଉ ନଥିବା ବେଳେ ଏହାକୁ ନେଇ କର୍ମଚାରୀ ପକ୍ଷରୁ ବାରମ୍ବାର ସିଏମ୍ସି ଠିକାସଂସ୍ଥାଙ୍କ ନିକଟରେ ଅଭିଯୋଗ ହେଉଥିଲା। ମାତ୍ର ଏବେ ୨୦୧୯ ଏପ୍ରିଲରୁ ନଭେମ୍ବର ୮ ମାସ ଧରି ସିଏମ୍ସି ଅଧୀନରେ କାମ କରିଥିଲେ ବି ଠିକା କର୍ମଚାରୀଙ୍କୁ ଦରମା ପ୍ରଦାନ କରିବାକୁ ଭୁଲିଯାଇଛି ମହାନଗର ନିଗମ। ସିଏମସିରୁ ୮ମାସ ଓ ଠିକା ସଂସ୍ଥାରୁ ୯ ମାସର ଦରମା ବାକି ରହିଛି। ଦରମାର ଦେବାକୁ ଗତ ଏକ ବର୍ଷ ହେବ ଆମେ ବାରମ୍ବାର ସିଏମସି ଓ ଠିକାସଂସ୍ଥାଙ୍କ ନିକଟକୁ ଦୌଡୁଥିଲେ ବି କୌଣସି ସୁଫଳ ମିଳି ନଥିବା କହନ୍ତି କାଳିଆବୁଦା ପଏଣ୍ଟ୍ରେ କାମ କରୁଥିବା ଜୟନ୍ତ ମହାନ୍ତି।
The post କାମ କଲେ ୨୦ ମାସ; ଦରମା ମିଳିଲା ୩ ମାସ; ସିଏମ୍ସିର ଅସ୍ଥାୟୀ ପମ୍ପ ଡ୍ରାଇଭରଙ୍କୁ ମିଳୁନି ଦରମା first appeared on Sambad.
from ଜିଲ୍ଲା – Sambad https://ift.tt/3aXehcK
0 Comments