କଟକ: କରୋନାରେ ଆକ୍ରାନ୍ତ ହୋଇ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଅବସ୍ଥା ଆଜି ବି ଗୁରୁତର ରହିଛି। ଅବସ୍ଥାରେ ଉନ୍ନତି ଦେଖାଦେଇ ନଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା ଚାଲିଛି। ଅପରପକ୍ଷେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଛି। ତାଙ୍କୁ ଆଇସିୟୁରୁ ବାହାରକୁ ଅଣାଯାଇ କ୍ୟାବିନ୍‌ରେ ରଖାଯାଇଛି। ମେଡିସିନ୍‌ ବିଭାଗ ତଥା ଚିକିତ୍ସା ପାଇଁ ଗଠିତ ବିଶେଷଜ୍ଞ ଟିମ୍‌ର ମୁଖ୍ୟ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଏହି ସୂଚନା ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ, ଉଭୟ ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଓ ଗଜପତି ଜିଲ୍ଲାପାଳ ୨୫ତାରିଖ ଦିନ କରୋନାରେ ଆକ୍ରାନ୍ତ ହୋଇ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପାଇଁ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ବିଶେଷଜ୍ଞ କମିଟିରେ ପଲ୍‌ମ୍ୟୁନାରି ବିଭାଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଜ୍ୟୋତି ପଟ୍ଟନାୟକ, ରୁମାଟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ବିଦ୍ୟୁତ୍ ଦାସ, ହେପାଟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଉମେଶ ପାତ୍ର, ହେମାଟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଆର୍‌.କେ. ଜେନା, ହୃଦ୍‌ରୋଗ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସତ୍ୟନାରାୟଣ ରାଉତରାୟ ପ୍ରମୁଖ ରହିଛନ୍ତି।

The post ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଅବସ୍ଥା ଗୁରୁତର first appeared on Sambad.



from ଜିଲ୍ଲା – Sambad https://ift.tt/3mSEbAX