
ଭଦ୍ରକ : ମହିଳାଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଦେବା ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ପାଇଁ ମହଙ୍ଗା ପଡ଼ିଛି। ବିଧାୟକ ଶ୍ରୀ ସେଠୀଙ୍କ ମନ୍ତବ୍ୟକୁ ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଯାଇଥିବାବେଳେ ସର୍ବଭାରତୀୟ ଗଣତାନ୍ତ୍ରିକ ମହିଳା ସମିତିର ସମ୍ପାଦିକା ତାପସୀ ପ୍ରହରାଜ ଆଜି ଭଦ୍ରକ ଏସ୍ପିଙ୍କୁ ଭେଟି ତାଙ୍କ ନାମରେ ଏତଲା ଦେଇଛନ୍ତି।
ଗତକାଲି ଭଦ୍ରକର ଏକ ହୋଟେଲ୍ରେ ବିଶ୍ବ ମାନବାଧିକାର ଦିବସ ପାଳନ ହେଉଥିଲା। ଆୟାଜିତ ସଭାରେ ଶ୍ରୀମତୀ ପ୍ରହରାଜ ଯୋଗ ଦେଇଥିଲେ। ଏଥିରେ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀ ସେଠୀ ନିଜ ବକ୍ତବ୍ୟରେ କହିଥିଲେ, ମହିଳାମାନେ କେବେ ପୁରୁଷଙ୍କ ସହ ସମାନ ହୋଇପାରିବେ ନାହିଁ। ସେମାନେ ଅଧିକାର ନାମରେ ସ୍ବେଚ୍ଛାଚାରିତାର ଲାଇସେନ୍ସ ମାଗୁଛନ୍ତି। ସେମାନେ ଚାହୁଁଛନ୍ତି, ସ୍ବାମୀମାନେ ସ୍ତ୍ରୀମାନଙ୍କ ସେବା କରନ୍ତୁ।
ବିଧାୟକ ଶ୍ରୀ ସେଠୀଙ୍କ ଏଭଳି ମନ୍ତବ୍ୟକୁ ଗ୍ରହଣ କରି ନପାରି ଶ୍ରୀମତୀ ପ୍ରହରାଜ ପ୍ରତିକ୍ରିୟା ପ୍ରକାଶ କରିବା ସହ ସଭାପତିତ୍ବ କରୁଥିବା ଟହଲି ମହାନ୍ତିଙ୍କୁ ଅନୁମତି ମାଗି ସଭାସ୍ଥଳ ଛାଡ଼ିଥିଲେ। ଶ୍ରୀମତୀ ଚାଲି ଯାଉଥିବାବେଳେ ବିଧାୟକ ମଧ୍ୟ ତାଙ୍କୁ ଗାଳିଗୁଲଜ କରିବାକୁ ପଛାଇ ନଥିଲେ।
ଏହି ଘଟଣାରେ ଆଜି ଶ୍ରୀମତୀ ପ୍ରହରାଜ ଭଦ୍ରକ ଜିଲ୍ଲା ଗଣତାନ୍ତ୍ରିକ ମହିଳା ସମିତିର ସଭାପତି, ସଂପାଦିକା ଓ ଅନ୍ୟ କର୍ମକର୍ତ୍ତା ତଥା ସିଟୁ ନେତା ଆଇନଜୀବୀ ଦିବ୍ୟସିଂହ ନାୟକଙ୍କ ସହ ଏସ୍ପି ରାଜେଶ ପଣ୍ଡିତଙ୍କ ନିକଟକୁ ଭେଟିଥିଲେ। ସେ ସେଠାରେ ଏତଲା ଦେବା ସହ ଶ୍ରୀ ସେଠୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
ଏନେଇ ଶ୍ରୀ ସେଠୀଙ୍କ ପ୍ରତିକ୍ରିୟା ପାଇଁ ମୋବାଇଲ୍ରେ ଯୋଗାଯୋଗ କରାଯାଇଥିଲା। ହେଲେ ତାହା ସମ୍ଭବ ହୋଇପାରିନାହିଁ। ଶ୍ରୀ ସେଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନ ଆନ୍ଦୋଳନ କରିବ ଗଣତାନ୍ତ୍ରିକ ମହିଳା ସମିତି କହିଛି।
The post ମହିଳାଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ମହଙ୍ଗା ପଡ଼ିଲା : ବିଧାୟକ ବିଷ୍ଣୁଙ୍କ ନାଁରେ ଏତଲା first appeared on Sambad.
from ଜିଲ୍ଲା – Sambad https://ift.tt/3oJqa9X
0 Comments