ଖୁଣ୍ଟୁଣୀ: ଖୁଣ୍ଟୁଣୀ ବନାଞ୍ଚଳରେ ଦଳଛଡ଼ା ହୋଇ ବୁଲୁଥିବା ଏକ ଦନ୍ତାହାତୀ ହାବୁଡ଼ରେ ପଡ଼ି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକଜଣକ ଗୁରୁଡ଼ିଝାଟିଆ ଥାନା ଓରନ୍ଦା ଗ୍ରାମର ସୁଦାମ ବେହେରା(୪୫) ବୋଲି ଜଣାପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ମୁତାବକ, ସ୍ଥାନୀୟ କପୁରସିଂ ଗ୍ରାମସ୍ଥିତ ଏକ ହୋଟେଲ୍‌ରେ କାମ କରୁଥିବା ସୁଦାମ ଗତକାଲି ବିଳମ୍ବିତ ରାତିରେ କାମ ସାରି ଏକାକୀ ୫୫ନମ୍ବର ଜାତୀୟ ରାଜପଥରେ ଚାଲି ଚାଲି ଘରକୁ ଯାଉଥିଲେ। ଏହି ସମୟରେ କପୁରସିଂ ହନୁମାନ ମନ୍ଦିର ନିକଟ ରାସ୍ତାକଡ଼ରେ ଅନ୍ଧାରରେ ଛିଡ଼ା ହୋଇଥିବା ଦନ୍ତା ହାତୀଟି ହଠାତ୍‌ ରାଜପଥ ଉପରକୁ ଦୌଡ଼ି ଆସି ସୁଦାମଙ୍କୁ ଆକ୍ରମଣ କରିଥିଲା ସୁଦାମ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ି ଯାଇଥିଲା। ଖବର ପାଇ ବନ ବିଭାଗର ହାତୀ ଘଉଡ଼ାଳି ଦଳ ଓ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ସୁଦାମଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ସେଠାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଆଜି ସକାଳେ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ମାଗୁଣି ବେହେରା, ଓରନ୍ଦା ଫରେଷ୍ଟ ସେକ୍ସନ ବନପାଳ ରାକେଶ କୁମାର ଦଳାଇ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ସୁଦାମଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଏଥିସହ ଚିକିତ୍ସା ଖର୍ଚ୍ଚ ବାବଦରେ ତାଙ୍କୁ ୫ହଜାର ଟଙ୍କା ପ୍ରାଥମିକ ସହାୟତା ପ୍ରଦାନ କରାଯାଇଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ।
ଉଲ୍ଲେଖଯୋଗ୍ୟ ଯେ ଦଳଛଡ଼ା ହୋଇ ଘୂରି ବୁଲୁଥିବା ଦନ୍ତା ଗତ ସପ୍ତାହରେ ବିଷ୍ଣୁପୁର ଠାରେ ମଇଁଷି ଗୋଠରେ ପଶି ଦୁଇଟି ମଇଁଷିଙ୍କୁ ଆକ୍ରମଣ କରିଥିଲା। ସେମିତି କିଛିଦିନ ତଳେ କପୁରସିଂ-ବ୍ରାହ୍ମଣବସ୍ତ ରାସ୍ତାର ବରଦେଇ ଠାକୁରାଣୀଙ୍କ ପୀଠ ସମ୍ମୁଖରେ ଦନ୍ତା ହାତୀ ୨ଟି ବାଇକ୍‌କୁ ଭାଙ୍ଗିଦେବା ସହ ଆକ୍ରମଣ ପାଇଁ ବାଇକ୍‌ ଆରୋହୀଙ୍କୁ ଗୋଡ଼ାଇଥିଲା। ସୌଭାଗ୍ୟବଶତଃ ବାଇକ୍‌ ଆରୋହୀଦ୍ବୟ ଅଳ୍ପକେ ରକ୍ଷା ପାଇ ଯାଇଥିଲେ।

The post ରାଜପଥକୁ ଉଠିଆସି ଆକ୍ରମଣ କଲା ଦଳଛଡ଼ା ଦନ୍ତା; ଯୁବକ ଗୁରୁତର first appeared on Sambad.



from ଜିଲ୍ଲା – Sambad https://ift.tt/3aPBQUW