
ଅନୁଗୁଳ: ଜମି ଅଧିଗ୍ରହଣ ପରେ ବି ଚାକିରି ନମିଳିବାରୁ ଆଜି ଅନୁଗୁଳ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଶରୀରରେ କିରୋସିନ ଢାଳି ବାପ-ପୁଅ ଆତ୍ମଦାହ କରିବାକୁ ଉଦ୍ୟମ କରିଥିଲେ। ତେବେ, ଶରୀରରେ ନିଆଁ ଲଗାଇବା ପୂର୍ବରୁ ପୁଲିସ ବାପପୁଅଙ୍କୁ କାବୁ କରି ନେଇଥିଲା।
ପ୍ରାପ୍ତ ସୂଚନା ଅନୁସାରେ, ତାଳଚେର କଲିୟରୀ ଥାନା ସୋଲଡ଼ା ଗାଁ ବାସିନ୍ଦା ସୁରେଶ ବେହେରାଙ୍କ ଜମି ଓ ଘର ସତ୍ୟବାଦୀପୁର ଗାଁରେ ମଧ୍ୟ ରହିଛି। ସୋଲଡ଼ା ଗାଁ ଏମ୍ସିଏଲର୍ ହିଂଗୁଳା କ୍ଷେତ୍ର ଅଧୀନରେ ଆସୁଥିବା ବେଳେ ସତ୍ୟବାଦୀପୁର ଭରତପୁର କ୍ଷେତ୍ରରେ ଆସୁଛି। ଭରତପୁର କ୍ଷେତ୍ର ପକ୍ଷରୁ ସତ୍ୟବାଦୀପୁରର ଜମି ଅଧିଗ୍ରହଣ ପାଇଁ ୨୦୧୪ ମସିହାରେ ୧୧(୧) ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଇତିମଧ୍ୟରେ ୬ ବର୍ଷ ଅତିକ୍ରାନ୍ତ ହେବା ପରେ ବି ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ପ୍ରଜାମାନଙ୍କୁ କ୍ଷତିପୂରଣ ରାଶି ମିଳିପାରିନାହିଁ। ଅପରପକ୍ଷରେ ସୋଲଡ଼ା ଗାଁରେ ଥିବା ସୁରେଶ ଜମି ଅଧିଗ୍ରହଣ ହୋଇସାରିଛି। ସୁରେଶଙ୍କ ଦୁଇପୁତ୍ର ଥିବା ବେଳେ ଉଭୟଙ୍କୁ ନିୟମ ଅନୁସାରେ, ଚାକିରି ଦେବାକୁ ଦାବି କରିଥିଲେ। ହେଲେ ଏମ୍ସିଏଲ୍ ହିଂଗୁଳା କ୍ଷେତ୍ର କତ୍ତୃର୍ପକ୍ଷ ଏହାକୁ ଅଣଦେଖା କରିଆସୁଥିବା ସୁରେଶ ଅଭିଯୋଗ କରିଛନ୍ତି। ଗତ ୨୬ ନଭେମ୍ବର ୨୦୨୦ ସୁରେଶ ତାଳଚେର ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ଗୁହାରି କରିଥିଲେ। ଗତ ୧ ଡିସେମ୍ବର ଦିନ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ କୁଆଡ଼େ ବୈଠକରେ ଚାକିରି ଦେବାର ସୁଯୋଗ ରହିଥିବା କହିଥିବା ବେଳେ ହିଂଗୁଳା କ୍ଷେତ୍ରର ମହାପ୍ରବନ୍ଧକ ରୋକଠୋକ୍ ମନା କରିଦେଇଥିଲେ। ଗତ ୨ ତାରିଖ ଦିନ ସୁରେଶ ଅନୁଗୁଳ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟକୁ ଆସି ଲିଖିତ ଭାବେ ଅବଗତ କରିଥିଲେ। ପୁଅଦ୍ବୟଙ୍କୁ ଚାକିରି ଦିଆନଗଲେ ସେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଥିଲେ। ତଥାପି, କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଗତ ଶନିବାର ଦିନ ଅନୁଗୁଳ ଥାନାକୁ ଆସି ସୋମବାର ଦିନ ଆତ୍ମାହୁତି ଦେବେ ବୋଲି ଅବଗତ କରିଥିଲେ।
ଆଜି ଦିନ ୧୧ଟାରେ ସୁରେଶ ତାଙ୍କ ପୁଅ ଅଜୟଙ୍କ ସହିତ ବାଇକ୍ରେ ଜିଲ୍ଲାପାଳ କର୍ଯ୍ୟାଳୟରେ ପହଂଚି ଥିଲେ। ବାଇକ୍ ଡିକିରୁ କିରାସିନ ଭର୍ତ୍ତି ବୋତଲ ବାହାର କରି ବାପପୁଅ ଦେହରେ କିରୋସିନ ଢାଳିଥିଲେ। ନିଆଁ ଲଗାଇବାକୁ ଉଦ୍ୟମକରୁଥିବା ବେଳେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ନିୟୋଜିତ ଥିବା ପୁଲିସ କର୍ମଚାରୀମାନେ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଜିଲ୍ଲାପାଳ ଘଟଣା ସଂକ୍ରାନ୍ତରେ ଅବଗତ ହେବା ପରେ ସେମାନଙ୍କୁ ଡାକି ସମସ୍ୟା ସଂକ୍ରାନ୍ତରେ ଆଲୋଚନା କରିଥିଲେ। ଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ସହିତ ପୁଲିସ ଗାଡ଼ିରେ ସେମାନଙ୍କୁ ସୋଲଡ଼ା ଗାଁରେ ଆଣି ଛାଡ଼ିଥିବା ଜଣାପଡ଼ିଛି। କେବଳ ସୁରେଶ ନାହାନ୍ତି, ତାଙ୍କ ଭଳି ଅନେକ ଲୋକଙ୍କ ଅବସ୍ଥା ଏଭଳି ରହିଛି। ଜମି ଅଧିଗ୍ରହଣ ପରେ ବି ଲୋକେ କ୍ଷତିପୂରଣ, ଚାକିରି ଆଦି ପାଇଁ ବାରଂବାର ଏମ୍ସିଏଲ୍ ସହିତ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ୁଥିବା ଜଣାପଡ଼ିଛି।
The post ଏମ୍ସିଏଲ୍ ଦେଲାନି ଚାକିରି, ବାପ-ପୁଅଙ୍କ ଆତ୍ମଦାହ ଉଦ୍ୟମ first appeared on Sambad.
from ଜିଲ୍ଲା – Sambad https://ift.tt/2IMZUfw
0 Comments