
ବେତନଟୀ/ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ପତଡ଼ାର ନିଜ ଅଜା ଘରେ ରହୁଥିବା ସୃଷ୍ଟିଧର ମାଝୀଙ୍କ ପୁଅ ଯତୀନ୍ଦ୍ର ଓରଫ ଚଗଲା(୧୭) ଘର ଭିତରେ ପଙ୍ଖା ହୁକ୍ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଚଗଲା ଛୋଟବେଳୁ ନିଜ ଅଜା ନବୀନ ଚନ୍ଦ୍ର ପଞ୍ଝାଙ୍କ ଘରେ ରହି ପାଠ ପଢ଼ୁଥିଲା। ଆଜି ଅଜାଆଈ ଚିକିତ୍ସା ପାଇଁ ବାଲେଶ୍ବର ଡାକ୍ତରଖାନା ଯାଇଥିଲେ। ମାମୁ ବାୟା ଚାଷ ଜମିଆଡ଼େ ଯାଇଥିଲେ। ମାଇଁ ରୋଷେଇ ସାରି ଚଗଲାକୁ ଖାଇବା ପାଇଁ ଡାକିବା ବେଳକୁ ସେ ଫାଶୀ ଲଗାଇ ଝୁଲି ପଡ଼ିଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକେ ପୁଲିସକୁ ଖବର ଦେବାପରେ ଥାନା ଏଏସଆଇ ସୁଶାନ୍ତ କୁମାର ମହାକୁଡ଼ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏ ନେଇ ବୈଶିଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
ଚଗଲା ବାରିପଦା ଏମ୍ପିସି କଲେଜରେ ଯୁକ୍ତ ଦୁଇରେ ପାଠ ପଢ଼ୁଥିଲା। ତା’ର ବ୍ୟବହାର ଖୁବ୍ ମାର୍ଜିତ ଓ ଖୁବ୍ ଭଲ ଛାତ୍ର ମଧ୍ୟ ଥିଲା। ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲ୍ରେ ଅନେକ ସମୟ ଯାଏ ଗେମ୍ ଖେଳାଖେଳି କରୁଥିଲା। ତେଣୁ ମୋବାଇଲ୍ର କୌଣସି ଘାତକ ଗେମ୍ ଖେଳିବା ବେଳେ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ପୁଲିସ ଘଟଣାର ଯାଞ୍ଚ୍ କରୁଛି।
The post କାଳ ହେଲା ମୋବାଇଲ୍ ଗେମ୍! ଫାଶୀ ଲଗାଇ ଛାତ୍ରଙ୍କ ଆତ୍ମହତ୍ୟା first appeared on Sambad.
from ଜିଲ୍ଲା – Sambad https://ift.tt/39U6iwM
0 Comments