ପରୀ ମୃତ୍ୟୁ ମାମଲା : ସନ୍ଦିଗ୍ଧ କଲେଜ ଛାତ୍ରଙ୍କ ଘରେ ପୁଣି ଏସ୍‌ଆଇଟି ଚଢ଼ଉ

ନୟାଗଡ଼ : ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ଗ୍ରାମର ନାବାଳିକା ଅମ୍ରିତାସ୍ନେହା ସାହୁ(ପରୀ) ହତ୍ୟାକାଣ୍ଡ ମାମଲାରେ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସ୍‌ଆଇଟି)ସ୍କାନର୍‌କୁ ଜଣେ ଯୁକ୍ତ ୩ ବିଜ୍ଞାନ ଛାତ୍ର ଆସିଛନ୍ତି। ଗତ ୨ ତାରିଖରେ ଏସ୍‌ଆଇଟି ଉକ୍ତ ଛାତ୍ରଙ୍କ ରକ୍ତ, ଲାଳ ଆଦି ପରୀକ୍ଷା କରାଇବା ସହିତ ମୋବାଇଲ ଜବତ କରିଥିଲା। ଆଜି ପୁଣି ଉକ୍ତ ଛାତ୍ରଙ୍କ ଘରେ ଚଢ଼ଉ କରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଛାତ୍ରଙ୍କ ପ୍ୟାଣ୍ଟ୍‌, ସାର୍ଟ ସମେତ ବେଡ୍‌ସିଟ୍‌, ଚାଦର ଭଳି ବିଭିନ୍ନ କପଡ଼ା ଜିନିଷ ଜବତ କରିଛି। ଛାତ୍ରଙ୍କ ଘରକୁ ତନ୍ନତନ୍ନ କରି ଏସ୍‌ଆଇଟି ସଦସ୍ୟ ଯାଞ୍ଚ କରିଛନ୍ତି। ପାଖାପାଖି ୮ ଜଣ ଅଧିକାରୀ ଏହି ଟିମ୍‌ରେ ସାମିଲ ଥିଲେ। ଏସ୍‌ଆଇଟି ଉକ୍ତ ଛାତ୍ରଙ୍କ ପଛରେ ଏଭଳି ପଡ଼ିବା ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଉକ୍ତ ଛାତ୍ରଙ୍କ ନିକଟରୁ ଏସ୍‌ଆଇଟି ଜବତ କରିଥିବା ମୋବାଇଲର କିଛି ଫୋଲ୍‌ଡର୍‌ରେ ପାସ୍‌ୱାର୍ଡ ପଡ଼ିଥିବା ବେଳେ, ଏସ୍‌ଆଇଟି ଏହାକୁ ଖୋଲିପାରି ନ ଥିଲା। ଏଭଳି ସ୍ଥିତିରେ ପାସ୍‌ୱାର୍ଡ ନିମନ୍ତେ ଗତ ୧୦ ତାରିଖରେ ମଧ୍ୟ ଏସ୍‌ଆଇଟି ଦ୍ବିତୀୟ ଥର ପାଇଁ ଛାତ୍ରଙ୍କ ଘରକୁ ଆସିଥିଲା। ଖୋଦ୍‌ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଏଥିରେ ସାମିଲ୍‌ ହେବା ସହ ଛାତ୍ରଙ୍କୁ ପଚରାଉଚରା କରିଥିଲେ। ତେବେ ଛା‌ତ୍ର ଜଣକ ପାସ୍‌ୱାର୍ଡ ମନେ ନଥିବା କିମ୍ବା ସେ ପାସ୍‌ୱାର୍ଡ ପକାଇନଥିବା କହିବାରୁ ଏସ୍‌ଆଇଟି ନିରାଶ ହୋଇଥିଲା। ମୋବାଇଲକୁ ଜବତ୍‌ କରି ଫେରି ଆସିଥିଲା। ଏହି ଛାତ୍ର ହତ୍ୟାକାରୀ ନା ହତ୍ୟା ସହିତ ତାଙ୍କର ସଂପୃକ୍ତି ରହିଛି, ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ପରୀର ଶବ ବା ମାତ୍ର ୧୦/୧୨ ଖଣ୍ଡ ହାଡ଼ ଉକ୍ତ ଛାତ୍ରଙ୍କ ବାଡ଼ି ପାର୍ଶ୍ବ ପୋଖରୀ କୂଳରୁ ହିଁ ମିଳିଥିଲା। ଏହି ଦୃଷ୍ଟିରୁ ଏସ୍‌ଆଇଟି ତାଙ୍କୁ ସନ୍ଦେହ କରୁଥିବା ଅନୁମାନ କରାଯାଉଛି। ତେବେ ପୂର୍ବରୁ ପୁଲିସ ଉକ୍ତ ଛାତ୍ର ଓ ତାଙ୍କ ପରିବାରକୁ ଜେରା କରିଥିଲା। ‌ସେଭଳି କିଛି ତଥ୍ୟ ମିଳିନଥିବା ପୁଲିସ ଅଧିକାରୀମାନେ କହିଥିଲେ। ଏବେ ଏସ୍‌ଆଇଟି ଉକ୍ତ ଛାତ୍ରଙ୍କ ଉପରେ ଫୋକସ୍‌ କରିବା ନେଇ ଅଡ଼ୁଆ ବଢ଼ିବାରେ ଲାଗିଛି। ପରୀ ତଦନ୍ତ ମାମଲାରେ ନିଷ୍କ୍ରିୟତା ପାଇଁ ସଦର ଥାନା ଆଇଆଇସି ରୀନାରାଣୀ ସାହୁଙ୍କ ନିଲମ୍ବନ ଓ ନୟାଗଡ଼ ଏସ୍‌ଡିପିଓ ନିରଞ୍ଜନ ପାଢ଼ୀଙ୍କ କନ୍ଧମାଳ ବଦଳି ହୋଇଛି। ଏହି ଦୁଇ ଅଧିକାରୀ ଘଟଣା ବାବଦରେ ଜାଣି ଆଉ ଘଣ୍ଟ ଘୋଡ଼ାଉଥି‌ଲେ କି ବୋଲି ପ୍ରଶ୍ନ ଉଠିଛି। ଉକ୍ତ ଛାତ୍ର ବିଜ୍ଞାନ ବିଭାଗର ହୋଇଥିବାରୁ ପରୀର ଶରୀରକୁ ଯେଉଁଭଳି ରାସାୟନିକ ଉପାୟରେ ସଂପୂର୍ଣ୍ଣ ନଷ୍ଟ କରି ଦିଆଯାଇଥିଲା, ଏହି ଦିଗକୁ ମଧ୍ୟ ସନ୍ଦେହ କରାଯାଉଛି। ଉକ୍ତ ଛାତ୍ରଙ୍କ ବାଡ଼ିରେ ଜାମୁ କୋଳିଠାରୁ ଆରମ୍ଭ କରି ବିଭିନ୍ନ ଫଳ ଆଦି ଫଳୁଥିବାରୁ ପରୀ ଖାଇବାକୁ ଆସୁଥିଲା। ମୃତ୍ୟୁର ପୂର୍ବଦିନ ମଧ୍ୟ ପରୀ ସେଠାକୁ ଯାଇ ଜାମୁକୋଳି ନେଇଥିଲା। ଏଭଳି ବିଭିନ୍ନ ଦିଗକୁ ଏସ୍‌ଆଇଟି ବିଚାର କରି ଛାତ୍ରଙ୍କୁ ପ୍ରାୟ ସନ୍ଦେହ କରୁଛି। ଛାତ୍ର ଜଣକ ଲକ୍‌ଡାଉନ୍‌ ସମୟ‌ରେ କଲେଜ ଛୁଟିଥିବା‌ରୁ ଘରେ ଏକା ରହୁଥି‌ଲେ। ସେହି ଦୃଷ୍ଟିରୁ ପରୀକୁ ଏକୁଟିଆ ପାଇ ସେ କିଛି ଅଘଟଣ ଘଟାଇଥିବା ଜଣେ ପୁଲିସ ଅଧିକାରୀ ସନ୍ଦେହ ବ୍ୟକ୍ତ କରୁଥିବା କହିଛନ୍ତି।

The post ପରୀ ମୃତ୍ୟୁ ମାମଲା : ସନ୍ଦିଗ୍ଧ କଲେଜ ଛାତ୍ରଙ୍କ ଘରେ ପୁଣି ଏସ୍‌ଆଇଟି ଚଢ଼ଉ first appeared on Sambad.



from ଜିଲ୍ଲା – Sambad https://ift.tt/2LzLgtn

Post a Comment

0 Comments