କଟକ: ଆସନ୍ତା ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର। ଏସଂକ୍ରାନ୍ତରେ ରାଜ୍ୟ ସରକାର ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ଶ୍ରୀମନ୍ଦିର ଖୋଲିବା ଖବର ପ୍ରଚାର ହେବା ପରେ ରାଜ୍ୟର ଅନ୍ୟ ପ୍ରମୁଖ ଧର୍ମାନୁଷ୍ଠାନଗୁଡ଼ିକ ଖୋଲିବାକୁ ବିଭିନ୍ନ ମହଲରେ ଦାବି ଜୋର ଧରିଛି। ଯେଉଁ ଆଧାରରେ ଶ୍ରୀମନ୍ଦିର ଖୋଲିବାକୁ ସରକାର ପ୍ରସ୍ତୁତି କରିଛନ୍ତି, ସେହି ଆଧାରରେ ମା’ କଟକ ଚଣ୍ଡୀଙ୍କ ପୀଠକୁ ଖୋଲିବାକୁ ସୁଯୋଗ ଦେବାକୁ ଦାବି କରିଛନ୍ତି କଟକ ଚଣ୍ଡୀ ମନ୍ଦିରର ପୂଜକଙ୍କ ସମେତ ଶ୍ରଦ୍ଧାଳୁମାନେ। ଅନ୍ୟ ରାଜ୍ୟରେ ସମସ୍ତ ଧର୍ମପୀଠ ଏବେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଥିବା ବେଳେ ରାଜ୍ୟ ସରକାର କ’ଣ ପାଇଁ କଟକର ପ୍ରମୁଖ ଧର୍ମପୀଠମାନଙ୍କୁ ତାଲା ପକାଇ ରଖିଛନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
ମା’କଟକ ଚଣ୍ଡୀ ହେଉଛନ୍ତି କଟକ ସହରର ଆରାଧ୍ୟା। ତାଙ୍କ ପୀଠ ଓଡ଼ିଶାର ଅନ୍ୟତମ ପ୍ରାଚୀନ ଶକ୍ତିପୀଠ। ପ୍ରତିଦିନ କଟକ ସହର ସମେତ ସହର ବାହାର, ଏପରିକି ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଆସନ୍ତି।

କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ କରୋନା ଗାଇଡ୍‌ଲାଇନ୍ ଅନୁସାରେ ଗତ ମାର୍ଚ ୨୦ ତାରିଖରୁ ଅଦ୍ୟାବଧି ଶ୍ରୀମନ୍ଦିର ସମେତ ରାଜ୍ୟର ସମସ୍ତ ଧର୍ମପୀଠ ଶ୍ରଦ୍ଧାଳୁମାନଙ୍କ ପାଇଁ ବନ୍ଦ କରାଯାଇଥିଲା। ସେହି ଦିନଠାରୁ ଦୀର୍ଘ ୮ମାସ ହେବ ଚଣ୍ଡୀ ମନ୍ଦିର ବନ୍ଦ କରାଯାଇ ମନ୍ଦିର ମଧ୍ୟରେ କେବଳ ନୀତିକ୍ରାନ୍ତି ଚାଲିଥିଲା। ଏହା ମଧ୍ୟରେ ଆନ୍ଧ୍ରପ୍ରଦେଶ ସମେତ ବହୁ ରାଜ୍ୟରେ ଧର୍ମପୀଠମାନ ଖୋଲିବାକୁ ସଂପୃକ୍ତ ରାଜ୍ୟ ସରକାର ଅନୁମତି ଦେଇସାରିଛନ୍ତି। ଅନ୍ୟ ରାଜ୍ୟରେ ମନ୍ଦିର ଖୋଲିଥିବାରୁ ବାହାର ରାଜ୍ୟର ଅନେକ ଲୋକ ମା’ କଟକ ଚଣ୍ଡୀଙ୍କ ଦର୍ଶନ ପାଇଁ ଆସି ନିରାଶ ହୋଇ ଫେରୁଛନ୍ତି। ଏବେ ସରକାର ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଥିବାରୁ ଚଣ୍ଡୀ ମନ୍ଦିର ସମେତ କଟକର ଅନ୍ୟ ପୀଠକୁ ଖୋଲିବାକୁ ପ୍ରଶାସନ କୁନ୍ଥୁକୁନ୍ଥୁ ହେଉଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

The post ମା’କଟକ ଚଣ୍ଡୀଙ୍କ ପୀଠ ଖୋଲିବ କେବେ? first appeared on Sambad.



from ଜିଲ୍ଲା – Sambad https://ift.tt/3nhmA6K