
ସମ୍ବଲପୁର: ସମ୍ବଲପୁର ମଣ୍ଡଳ ଜେଲ୍ରେ ବନ୍ଦୀ ପକ୍ଷାଘାତ ରୋଗୀ ବିନୋଦଙ୍କ ସମ୍ପର୍କରେ ରିପୋର୍ଟ ଦେବା ପାଇଁ ଜେଲ ଡିଜିଙ୍କୁ ନିର୍ଦେଶ ହୋଇଛି। ଏନଏଚଆରସିଙ୍କ ପକ୍ଷରୁ ଏହି ନିର୍ଦେଶ ହୋଇଛି। ବିନୋଦ ନାଏକଙ୍କ ମାନବିକ ଅଧିକାର ଉଲ୍ଲଂଘନ ହେଉଥିବା ଜଣାପଡ଼ିଲେ, ତତକ୍ଷଣାତ ଏଥିସଂକ୍ରାନ୍ତରେ ହସ୍ତକ୍ଷେପ କରିବାକୁ କୁହାଯାଇଛି।
ସୂଚନା ଅନୁଯାୟୀ, ବିଚାରାଧୀନ କଏଦୀ ବିନୋଦ ନାଏକ ୨୦୧୮ ମସିହାରେ ସ୍ନାୟବିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ବିନୋଦ। ଠିକ ସମୟରେ ଉପଯୁକ୍ତ ଚିକିତ୍ସା ଅଭାବରୁ ପକ୍ଷଘାତ ରୋଗର ଶିକାର ହୋଇଥିଲେ। ଏହାପରେ କଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲେ ମଧ୍ୟ ଅବସ୍ଥା ଆହୁରି ଜଟିଳ ହୋଇ ପଡ଼ିଥିଲା। ତାଙ୍କ ଗୋଡ଼, ହାତ ଅଚଳ ହୋଇ ପଡ଼ିଛି। ୩ ବର୍ଷ ହେଲା ଅଦାଲତରେ ହାଜର ହୋଇ ପାରି ନାହାନ୍ତି। ଶେଷ ଥର ପାଇଁ ୨୦୧୭ ମସିହା ନଭେମ୍ବର ୭ ତାରିଖରେ ସେ ଅଦାଲତରେ ହାଜର ହୋଇଥିଲେ। ତାଙ୍କ ବିରୋଧରେ ୧୦ଟି ବିଭିନ୍ନ ପ୍ରକାର ମାମଲା ଚାଲୁଛି। ଉପସ୍ଥିତ ରହିବା ପାଇଁ ନୋଟିସ ଆସୁଛି। ପକ୍ଷଘାତ ଯୋଗୁଁ ତାଙ୍କୁ ଅଦାଲତରେ ହାଜର କରାଯାଉ ନାହିଁ। ଏଥିଯୋଗୁଁ ପ୍ରତିଦିନ ମାମଲା ଗଡ଼ି ଚାଲୁଛି। କେବଳ ଭର୍ଚୁଆଲରେ ମଝି-ମଝିରେ ବିନୋଦ ହାଜର ହେଉଥିବା ଜେଲ ପକ୍ଷରୁ କୁହାଯାଇଛି।
ବିନୋଦଙ୍କ ସ୍ବାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କ ମାମଲାର ତ୍ବରିତ ବିଚାର ଏବଂ ଘରେ ତାଙ୍କ ଚିକିତ୍ସା ବ୍ୟବସ୍ଥା ପାଇଁ ବିନୋଦଙ୍କ ବଡ଼ଭାଇ ମନୋରଂଜନ ଗତ ସୋମବାର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୁହାରି କରିଥିଲେ।
ମାଓବାଦୀ ହିଂସାକାଣ୍ଡର ୧୦ଟି ବିଭିନ୍ନ ପ୍ରକାର ମାମଲାରେ ବିନୋଦଙ୍କ ନାମ ଦେଇଛି ପୁଲିସ। କୌଣସି ମାମଲାରେ ବିନୋଦଙ୍କ ନାମ ସିଧାସଳଖ ନଥିବା କୁହାଯାଉଛି। ସେପଟେ ଜେଲ୍ରେ ବିନୋଦଙ୍କ ଉପଯୁକ୍ତ ଚିକିତ୍ସା ଏବଂ ସେବା ଯତ୍ନ ସମେତ ତାଙ୍କ ମାନବିକ ଅଧିକାର ସୁରକ୍ଷିତ ରଖିବା ନେଇ ହସ୍ତକ୍ଷେପ କରିବାକୁ ଜେଏନ୍ୟୁ ପିଏଚ୍ଡି ଛାତ୍ରୀ ବିଜୟିନୀ ମିଶ୍ର ଏନ୍ଏଚ୍ଆର୍ସିଙ୍କୁ ଚିଠି ଜରିଆରେ ଅନୁରୋଧ କରିଥିଲେ।
The post ସମ୍ବଲପୁର ମଣ୍ଡଳ ଜେଲ୍ରେ ବନ୍ଦୀ ପକ୍ଷାଘାତ ରୋଗୀ, ରିପୋର୍ଟ ଦେବା ପାଇଁ ଜେଲ୍ ଡିଜିଙ୍କୁ ଏନ୍ଏଚ୍ଆର୍ସିର ନିର୍ଦେଶ first appeared on Sambad.
from ଜିଲ୍ଲା – Sambad https://ift.tt/2KeWEdQ
0 Comments