ଗୁଡ଼ି ମାଞ୍ଜା ସୂତାରେ ଯୁବକଙ୍କ ବେକ କଟିଲା

କଟକ: ମାଞ୍ଜା ସୂତାରେ ଗୁଡ଼ି ଉଡାଇବା ପାଇଁ ସରକାର ବ୍ୟାନ କରିଥିଲେ ବି ଏହି ନିୟମକୁ ପାଳନ କରାଯାଉ ନଥିବା ଦେଖାଯାଇଛି। ଯାହାର ପରିଣାମସ୍ବରୂପ ଅକାରଣରେ ଲୋକଙ୍କ ଜୀବନପ୍ରତି ବିପଦ ସୃଷ୍ଟି ହେଉଛି। ଗୁରୁବାର ସ˚ଧ୍ୟାରେ ରାଣୀହାଟର ପ୍ରତାପ କୁମାର ସାହୁ (୩୮) ତାଙ୍କର ଜଣେ ବନ୍ଧୁଙ୍କ ସହ ବାଇକ୍‌ ଯୋଗେ ଜଗତପୁରରୁ କଟକ ଅଭିମୁଖେ ଆସୁଥିଲେ। କାଳିଆବୋଦା ନିକଟସ୍ଥ ଜାତୀୟ ରାଜପଥ ଓଭରବ୍ରିଜ୍‌ ପାଖରେ ହେବା ବେଳକୁ ପ୍ରତାପଙ୍କ ବେକରେ ଗୋଟିଏ ମାଞ୍ଜାଲଗା ଗୁଡ଼ି ସୂତା ଲାଗିଥିଲା।

ତୁରନ୍ତ ସେ ଗାଡ଼ି ରଖିଦେବାରୁ ବେକ ସାମାନ୍ୟ କଟିଯାଇଥିଲା। ସୂତାକୁ କାଢିବା ବେଳେ ତାଙ୍କର ବାମ ହାତ ବୁଢା ଆଙ୍ଗୁଠି କଟିଯାଇଥିଲା। ତେବେ ବାଇକ୍‌ର ଗତି କମ୍‌ ଥିବାରୁ ଏକ ନିଶ୍ଚିତ ବଡ଼ ଦୁର୍ଘଟଣା ଟଳିଯାଇଥିଲା। ଗୁଡ଼ି ସୂତାରେ ବେକ କଟିଯାଇଥିବାରୁ ପଛରେ ବସିଥିବା ବନ୍ଧୁଜଣକ ତୁରନ୍ତ ପ୍ରତାପଙ୍କୁ କଟକ ବଡ଼ ମେଡିକାଲ୍‌ କାଜୁଆଲ୍‌ଟି ନେଇଯାଇଥିଲେ। ସେଠାରେ ପ୍ରତାପଙ୍କ ବେକ ଓ ଆଙ୍ଗୁଠିରେ ଷ୍ଟିଚ୍‌ କରାଯିବା ପରେ ତାଙ୍କୁ ଘରକୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ପ୍ରତାପଙ୍କ ପରିବାର ପକ୍ଷରୁ ଆସନ୍ତାକାଲି ପୁଲିସ୍‌ରେ ଅଭିଯୋଗ କରାଯିବ ବୋଲି ସୂଚନା ମିଳିଛି।

The post ଗୁଡ଼ି ମାଞ୍ଜା ସୂତାରେ ଯୁବକଙ୍କ ବେକ କଟିଲା first appeared on Sambad.



from ଜିଲ୍ଲା – Sambad https://ift.tt/38cnhbf

Post a Comment

0 Comments