ଭୟଙ୍କର ପ୍ରଦୂଷଣ ବଳୟରେ ଝାରସୁଗୁଡ଼ା

ଝାରସୁଗୁଡ଼ା : ଜିଲ୍ଲାର ବିଭିନ୍ନ ନଦୀନାଳ ଏବେ ସଂକଟରେ। ସମୃଦ୍ଧି ନାମରେ ବ୍ୟାପକ ଅତ୍ୟାଚାର ଏବେ ପ୍ରାକୃତିକ ସଂପଦକୁ ନଷ୍ଟ କରିବାକୁ ଲାଗିଲାଣି। ଶିଳ୍ପ ନାମରେ ବ୍ୟାପକ ଜଙ୍ଗଲ କ୍ଷୟ ଚାଲିଛି। ଝାରସୁଗୁଡ଼ା ଜିଲ୍ଲାରେ ରାଜ୍ୟର ସବୁଠାରୁ କମ୍‌ ଜଙ୍ଗଲ ରହିଛି। ଶିଳ୍ପ କାରଖାନା ଯୋଗୁଁ  ନୂତନ ଜଙ୍ଗଲ ସୃଷ୍ଟି  କରାଯାଇ ପାରୁ ନଥିବା ବେଳେ ନଦୀଗୁଡ଼ିକ ଉପରେ ପକାଯାଉଥିବା ପ୍ରଦୂଷଣର ଚାପ ନଦୀନାଳର ଅସ୍ତିତ୍ବକୁ ହଯାଇବା ଆଶଙ୍କା ସୃଷ୍ଟି ହୋଇଛି।

ଝାରସୁଗୁଡ଼ା ଜିଲ୍ଲା ଛତିଶଗଡ଼ ସୀମାକୁ ଲାଗି ରହିଥିବା ବେଳେ ଛତିଶଗଡ଼ଠାରୁ ବୋହି ଆସିଥିବା ମହାନଦୀ ଏହି ଜିଲ୍ଲାର ଲଖନପୁର ବ୍ଲକର ସୁଖାସୋଡ଼ାଠାରେ ପ୍ରବେଶ କରିଛି। ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ସାରକାର ଏକାଧିକ ବ୍ୟାରେଜ ନିର୍ମାଣ କରିଥିବା ଓ ପାଣିକୁ ଅଟକାଇ ଦେଉଥିବା ଅଭିଯୋଗ କରି ଅତୀତରେ ଅନେକ ରାଜନୀତି ହୋଇଛି। ଏହି ପ୍ରସଙ୍ଗ ଏବେ ନିରବି ଯାଇଛି। ଗତ ବର୍ଷାରେ ଏହି ମହାନଦୀ ଦେଇ କେତେଯେ ବର୍ଷାଜଳ ‌ସମୁଦ୍ରକୁ ବୋହି ଯାଇଛି ତାର ହିସାବ ନାହିଁ। ବର୍ଷା ଦିନ ନଦୀରେ ପାଣିର ସମସ୍ୟା ନଥାଏ। ସମସ୍ୟା ଦେଖାଦିଏ ଗ୍ରୀଷ୍ମଋତୁରେ। ମହାନଦୀର ପାଣି ହୀରାକୁଦ ଜଳଭଣ୍ଡାରରେ ଗଚ୍ଛିତ ରହୁଥିବାରୁ ଏହାକୁ ନେଇ ଅନେକ ଶିଳ୍ପ ସଂସ୍ଥା ଗଢ଼ି ଉଠିଛି। ମନଇଚ୍ଛା ପାଣି ଶିଳ୍ପକୁ ଯୋଗାଇ ଦିଆଯାଉଛି। ବର୍ଷାଋତୁକୁ ଛାଡ଼ି ଦେଲେ ବାକି ସମୟ ସୁଖାସୋଡ଼ା ମହାନଦୀ ଶଯ୍ୟା ପ୍ରାୟ ଶୁଖିଲା ରହିଥାଏ। ଛତିଶଗଡ଼ରୁ ବାହାରି ମହାନଦୀରେ ମିଶିଥିବା ଆଉ ଏକ ଛୋଟ ନଦୀ କେଲୋରେ ମଧ୍ୟ ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ କରିଛି। ଏବେ ସୀମାରେ ଲରାଠାରେ ସ୍ଥାପନ ହୋଇଥିବା ଏନ୍‌ଟିପିସି ତାପଜ ବିଦ୍ୟୁତ ପ୍ରକଳ୍ପର ପ୍ରଦୂଷଣ ସିଧାସଳଖ କେଲୋନଦୀ ହୋଇ ମହାନଦୀରେ ମିଶୁଛି। ସେହିପରି ଛତିଶଗଡ଼ର ଯଶପୁର ଜିଲ୍ଲାରୁ ବାହରିଥିବା ଇବ୍‌ନଦୀ ଝାରସୁଗୁଡ଼ା ଜିଲ୍ଲାର ଜୀବନରେଖା କୁହାଯାଉଥିବା ବେଳେ ଏବେ ଏହି ନଦୀ ଉପରେ ମଧ୍ୟ ଅତ୍ୟାଚାର ବଢ଼ିବାରେ ଲାଗିଛି।

ଇବ୍‌ ନଦୀରେ ବ୍ରଜରାଜନଗର ନିକଟରେ ଭେଡ଼େନ ନଦୀ ମିଶିଥିବା ବେଳେ ରାଜପୁର ନିକଟ‌ ଦେଓଗାଁଠାରେ ବସୁନ୍ଧରା ନଦୀ ମିଶିଛି। ଏକଦା ଇବ୍‌ନଦୀକୁ ଆଖି ଆଗରେ ରଖି ବିର୍ଲା ଗ୍ରୁପ୍‌ ବ୍ରଜରାଜନଗରଠାରେ ଓରିଏଣ୍ଟ ସୂତା କଳ ସ୍ଥାପନ  କରିଥିଲା। ଇବ୍‌ନଦୀ ଅବବାହିକାରେ ବ୍ୟାପକ କୋଇଲା ରହିଛି। ବର୍ଷାଦିନ ବସୁନ୍ଧରା ନଦୀରେ କଳାପାଣି ପ୍ରବାହିତ ହେଉଥିବା ଦେଖାଯାଏ। ଏକାଧିକ କଳ କାରଖାନା ଏଠାରୁ ପାଣି ନେଉଥିବା ବେଳେ ଏହିନଦୀର ଏକ ବଡ଼ଅଂଶ, ଯେଉଁଥିରେ ୧୫ଟି ବାଲିଘାଟରୁ ବାଲି ଉତ୍ତୋଳନ ହୋଇଥାଏ। ଗୋଟିଏ ପଟେ ବ୍ୟାପକ ବାଲି ଉତ୍ତୋଳନ ହେଉଥିବାରୁ  ଏହା ପରିବେଶ ଉପରେ କୁପ୍ରଭାବ ପକାଉଛି। ଅନ୍ୟପଟେ ଏମ୍‌ସିଏଲ୍‌ କୋଇଲା ଖଣି ପୋତିବାକୁ ‌ଲିଜ୍‌ ନେଇ ଥିବା ପ୍ରାୟ ୨୬୯.୫୮ ଏକର ବାଲିଶଯ୍ୟାରୁ  ବାଲି ଉତ୍ତୋଳନ କରୁନାହିଁ। ଫଳରେ ନଦୀଶଯ୍ୟାର ଉଚ୍ଚତା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ନଦୀପଥ ପରିବର୍ତ୍ତନ ହେବାର ମଧ୍ୟ ସମ୍ଭାବନା ଦେଖା ଦେଇଛି। ଜିଲ୍ଲାର ଭେଡ଼େନ ନଦୀରେ ସିଧାସଳଖ କାରଖାନା ବର୍ଜ୍ୟ ମିଶୁଛି। ଏହା ଇବ୍‌ଦେଇ ହୀରାକୁଦ ଜଳଭଣ୍ଡାରରେ ପ୍ରବେଶ କରୁଛି। ଗତ ୨୦୧୭ ମସିହାରେ କାତିକେଲାଠାରେ ଥିବା ଆସପଣ୍ଡ ଭୁଶୁଡ଼ି ପଡ଼ିବା ଫଳରେ ଏଥିରେ ଥିବା ବିଷାକ୍ତ ପାଉଁଶ ବିସ୍ତୀର୍ଣ୍ଣ ଅଞ୍ଚଳରେ ମାଡ଼ି ଯାଇଥିଲା, ଯାହାକି ବର୍ଷା ପାଣିରେ ଭେଡ଼େନ ନଦୀରେ ସିଧାସଳଖ ପ୍ରବାହିତ ହୋଇଥାଏ। ଜିଲ୍ଲାରେ ଥିବା ଲିଲାରି ନାଳ, ଅହିରା ନାଳ, ଷହଙ୍ଗୁର ଜୋର ଭଳି ଅନେକ ନାଳ  ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ଅସ୍ତିତ୍ବ ହରାଇବାକୁ ଯାଉଥିବା ଆଶଙ୍କା କରାଯାଇଛି। ଜିଲ୍ଲାର ନଦୀନାଳ ରକ୍ଷଣାବେକ୍ଷଣ ପାଇଁ ଯୋଜନା ନହେଲେ ଏହା ଅଚିରେ ତାର ଅସ୍ତିତ୍ବ ହରାଇବ ଏଥିରେ ସନ୍ଦେହ ନାହିଁ।

The post ଭୟଙ୍କର ପ୍ରଦୂଷଣ ବଳୟରେ ଝାରସୁଗୁଡ଼ା first appeared on Sambad.



from ଜିଲ୍ଲା – Sambad https://ift.tt/37QxGZW

Post a Comment

0 Comments