
ହିଂଜିଳିକାଟୁ: ତିନି ତିନି ଥର ଗୋପାଳପୁର ବିଧାୟକ ଓ ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ରବିବାର ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ବହିଷ୍କୃତ କରାଯାଇଛି। ଏବେ ଆଇଏଫ୍ଏସ୍ ଅଫିସର ପାଠକ ଓ ତାଙ୍କ ପୁଅ ଆକାଶଙ୍କ ଲିଙ୍କ୍ରେ ପ୍ରଦୀପଙ୍କୁ ଜେଲ୍ ପଠାଯାଇଛି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସାରା ହିଂଜିଳିରେ କେବଳ ପ୍ରଦୀପ ଝଡ଼ ବିଷୟରେ ଆଲୋଚନା ଓ ତର୍କ ବିତର୍କ ଚାଲିଛି।
ପ୍ରଦୀପ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ରୂପେ ହିଂଜିଳି ଦାୟିତ୍ୱ ବୁଝିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ୨୦୦୯ ମସିହାରେ ପ୍ରଥମେ ଗୋପାଳପୁରରୁ ବିଜେଡି ଟିକେଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୨ରେ ହିଂଜିଳି ନିର୍ବାଚନମଣ୍ଡଳୀ ବିଜେଡି ନେତାଙ୍କ ବିରୋଧ ଯୋଗୁଁ ହିଂଜିଳି ଦାୟିତ୍ୱରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ବାହାର କରି ଦେଇଥିଲେ। ତାଙ୍କ ବିରୋଧରେ ଅଭିଯୋଗ ଆସିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ହିଂଜିଳି ମାମଲରେ ମୁଣ୍ଡ ନ ଖେଳାଇବାକୁ ସିଧାସଳଖ ନିର୍ଦ୍ଦେଶ ଦେଲେ। ଏହା ପରେ ୨୦୧୪ ସାଧାରଣ ନିର୍ବାଚନରେ ପ୍ରଦୀପ ଦ୍ଵିତୀୟ ଥର ବିଧାୟକ ହୋଇ ମନ୍ତ୍ରୀପଦ ପାଇବାରେ ସକ୍ଷମ ହୋଇଥିଲେ। ପରେ ମନ୍ତ୍ରୀ ପଦରୁ ବିଦା ହେଲେ। ଫଳରେ ତାଙ୍କ ରାଜନୀତି କ୍ୟାରିୟର୍ ଶେଷ ହେଲା ବୋଲି ଲୋକେ ଭାବି ନେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ବିଜେଡି ଜିଲ୍ଲା ସଭାପତି ଦାୟିତ୍ୱ ମିଳିବାରୁ ପ୍ରଦୀପଙ୍କ ପତିଆରା କମି ନଥିବା ଜନସାଧାରଣ ଜାଣି ପାରିଥିଲେ। ସଂଗଠନକୁ ସୃଦୃଢ଼ କରିବାକୁ ସଂକଳ୍ପ ନେଇ ଆଗକୁ ବଢ଼ି ଚାଲିଥିବା ବେଳେ ପୁଣି ସଭାପତି ପଦ ହରାଇଥିଲେ। ଏହା ପରେ ସେ କିଛି ଦିନ ହେବ ନିରବ ରହିଥିଲେ। ଅଧିକାଂଶ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିଲେ।
ଅନ୍ୟପକ୍ଷରେ ପ୍ରଦୀପଙ୍କ ସହ ପୂର୍ବରୁ ସୁସମ୍ପର୍କ ରଖି ଆସିଥିବା ହିଂଜିଳିର କିଛି ଜନପ୍ରତିନିଧି ଓ ବିଜେଡିର ଆଗ ଧାଡ଼ି ନେତା ନିଜ ସ୍ଥିତି ଟଳମଳ ଥିବା ମନେ କରୁଛନ୍ତି। ପ୍ରଦୀପଙ୍କ ବହିଷ୍କାର ନେଇ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ କିଛି ସ୍ୱାଗତ କରୁଥିବା ବେଳେ ଅନ୍ୟ କିଛି ଗୋଷ୍ଠୀ ଭୟରେ ମୁହଁ ଖୋଲୁ ନାହାନ୍ତି। ସେ ହିଂଜିଳି ଦାୟିତ୍ୱ ବୁଝୁଥିବା ସମୟରେ ହିଂଜିଳିରେ ଅପରାଧିକ କାର୍ଯ୍ୟକଳାପ, ମଦ ମାଫିଆଙ୍କ ରାଜ୍ ବଢ଼ିଥିବା ଚର୍ଚ୍ଚାକୁ ଆସିଥିଲା। ପ୍ରଦୀପଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିନିଧି ଦାୟିତ୍ୱରୁ ହଟାଇବା ପରେ ହିଂଜିଳି ଶାନ୍ତ ଥିବା ଚର୍ଚ୍ଚା ହେଉଛି।
The post ହିଂଜିଳିରେ ପ୍ରଦୀପ ଝଡ଼ first appeared on Sambad.
from ଜିଲ୍ଲା – Sambad https://ift.tt/2JsWQFX
0 Comments