
କଟକ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେଲରେ ଓକିଲଙ୍କ ସହିତ ସାକ୍ଷାତକାର ପାଇଁ ଅନୁମତି ଦିଆଯିବ। ସେ ନିଜ ମାମଲା ବାବଦରେ ଓକିଲଙ୍କ ସହିତ ଆଲୋଚନା କରି ପାରିବେ। ଏ ସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ପାଣିଗ୍ରାହୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ଝାରପଡା ସ୍ବତନ୍ତ୍ର କାରାଗାରରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଦାୟର କରିଥିବା ଆବେଦନରେ ଦର୍ଶାଇଥିଲେ ଯେ ତାଙ୍କୁ ଓକିଲଙ୍କ ସହିତ ସାକ୍ଷାତକାର ପାଇଁ ଅନୁମତି ଦିଆଯାଉ ନାହିଁ। ଏହା ଦ୍ବାରା ସେ ଓକିଲଙ୍କ ସହିତ ପରାମର୍ଶ କରି ପାରୁ ନାହାନ୍ତି। ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ ୨୦୨୦, ଡିସେମ୍ବର ୩ରୁ ତାଙ୍କୁ ବିଚାରବିଭାଗୀୟ ହାଜତରେ ଝାରପଡା ସ୍ବତନ୍ତ୍ର ଜେଲରେ ରଖାଯାଇଛି। ତାଙ୍କୁ ଓକିଲ, ପରିବାର ସଦସ୍ୟ ଏବଂ ସଂପର୍କୀୟଙ୍କୁ ସାକ୍ଷାତ ପାଇଁ ଜେଲ କର୍ତ୍ତୃପକ୍ଷ ଅନୁମତି ଦେଉ ନାହାନ୍ତି। କରୋନା କଟକଣା ନାଁରେ ଏପରି କରାଯାଉଛି। ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜେଲରେ ଅନ୍ତେବାସୀଙ୍କ ସାକ୍ଷାତକାର ବ୍ୟବସ୍ଥା ବନ୍ଦ ରଖାଯାଇଥିଲା। ଜେଲରେ ଥିବା ବନ୍ଦୀଙ୍କ ଓକିଲ ଓ ଅନ୍ୟମାନଙ୍କ ସହିତ ସାକ୍ଷାତକାର ବନ୍ଦ ରଖାଯିବା ନେଇ ଗୃହ ସଚିବ ୨୦୨୦, ମାର୍ଚ୍ଚ ୧୭ରେ ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ଜେଲ ବିଭାଗ ମାର୍ଚ୍ଚ ୧୮ରେ ସମସ୍ତ ଜେଲକୁ ଏ ନେଇ ଚିଠି କରିଥିଲେ।
ବ୍ୟକ୍ତିଗତ ସାକ୍ଷାତକାର ବଦଳରେ ଜେଲରେ ଇ-ମୁଲାକାତ ବ୍ୟବସ୍ଥା କରିବା ପାଇଁ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଶ୍ରୀ ପାଣିଗ୍ରାହୀ ଦର୍ଶାଇଛନ୍ତି ଯେ କରୋନା କଟକଣା ନାଁରେ ଏବେ ତାଙ୍କୁ ଓକିଲଙ୍କ ସହିତ ସାକ୍ଷାତ କରିବାକୁ ସୁଯୋଗ ଦିଆଯାଉ ନାହିଁ। ଏ ନେଇ ଜେଲ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଓ ମୌଖିକ ଭାବେ ଅନୁରୋଧ କରାଯାଇଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଏହା ଦ୍ବାରା ତାଙ୍କର ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଛି। ଅଦାଲତରେ ମାମଲା ଲଢିବା ପାଇଁ ଓ ତାଙ୍କ ପକ୍ଷ ରଖିବା ପାଇଁ ଓକିଲଙ୍କ ସହିତ ପରାମର୍ଶ ଆବଶ୍ୟକ। ବିଚାରବିଭାଗୀୟ ହାଜତରେ ଥିବା ବ୍ୟକ୍ତିଙ୍କୁ ନିଜ ଓକିଲଙ୍କ ସହିତ ପରାମର୍ଶ କରିବା ପାଇଁ ସମ୍ବିଧାନ ଅଧିକାର ପ୍ରଦାନ କରିଛି। ଏଭଳି ଅଧିକାରରୁ ବଞ୍ଚିତ କରାଯିବା ମଧ୍ୟ ଜେଲ ମାନୁଆଲର ଧାରା ୨୫୭ର ଉଲ୍ଲଂଘନ।
The post ଜେଲରେ ଓକିଲଙ୍କୁ ସାକ୍ଷାତ କରିବାକୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଅନୁମତି, ହାଇକୋର୍ଟ ଦେଲେ ଅନ୍ତରୀଣ ନିର୍ଦ୍ଦେଶ first appeared on Sambad.
from ଜିଲ୍ଲା – Sambad https://ift.tt/3hdt7NH
0 Comments