
ମାଲକାନଗିରି: ମାଲକାନଗିରି ଉପକାରାଗାରେ ପୁଣି ଜଣେ କଏଦୀଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏକ ଧାରୁଆ ଅସ୍ତ୍ରରେ ସମ୍ପୃକ୍ତ କଏଦୀଙ୍କ ଗଳା କଟି ଯାଇଥିବା ଦେଖିବାକୁ ମିଳିଛି। ତେବେ କଏଦୀ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି, ଜଣାପଡ଼ିନି। ତେବେ, ମାସକ ମଧ୍ୟରେ ୩ ଜଣ କଏଦୀଙ୍କ ଅସ୍ବାଭାବିକ ଭାବେ ମୃତ୍ୟୁ ଘଟିବା ପରେ ଏହି ଘଟଣାକୁ ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି। ଜେଲ୍ରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ପ୍ରାୟ ଦୁଇ ମାସ ତଳେ ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରୁ ଗିରଫ ହୋଇଥିଲେ ଯଡ଼ାମ୍ବ ପଞ୍ଚାୟତ ଗଜୁରିଗୁଡ଼ା ଗାଁର ସୁରେନ୍ଦ୍ର ଗଲୋରୀଙ୍କ ପୁଅ ଦାନୁ ଗଲୋରୀ। କମ୍ବିଂ ଅପରେସନ ସମୟରେ ପୁଲିସ ଦାନୁ ଗଲୋରୀଙ୍କୁ ଗିରଫ କରିଥିଲା। ନକ୍ସଲ ଲିଙ୍କ୍ରେ ତାଙ୍କୁ ଗିରଫ କରିବା ପରେ ମାଲକାନଗିରି ଉପକାରାଗାରରେ ରଖାଯାଇଥିଲା। ତେବେ ଗତକାଲି ଅପରାହ୍ନରେ ଦାନୁଙ୍କ ଗଳା କଟି ପ୍ରବଳ ରକ୍ତସ୍ରାବ ହୋଇଥିଲା। କେମିତି ଗଳା କଟିଲା ସେ ନେଇ ଜେଲ୍ କର୍ତ୍ତୃପକ୍ଷ କୌଣସି ସ୍ପଷ୍ଟ ସୂଚନା ଦେଇପାରି ନାହାନ୍ତି। ଗୁରୁତର ଅବସ୍ଥାରେ ଦାନୁଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ପରିବାର ଲୋକେ ଅସ୍ବାଭାବିକ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରି କେହି ଜାଣିଶୁଣି ଗଳାକାଟି ହତ୍ୟା କରିଥିବା ଅଭିଯୋଗ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ମନା କରି ଦେଇଥିଲେ। ପୁଲିସ ପହଞ୍ଚି ବୁଝାସୁଝା କରିବାରୁ ଶବ ବ୍ୟବଚ୍ଛେଦ ହୋଇଥିଲା।
The post ମାଲକାନଗିରି ଜେଲ୍ରେ ପୁଣି ଜଣେ କଏଦୀ ମୃତ! first appeared on Sambad.
from ଜିଲ୍ଲା – Sambad https://ift.tt/38Bif8s
0 Comments