
ମାଲକାନଗିରି: ଦୀର୍ଘ ଦିନର ନିରବତା ପରେ ହିଂସା ଘଟାଇ ମାଲକାନଗିରି ଜିଲ୍ଲାରେ ଶକ୍ତି ପ୍ରଦର୍ଶନ କରିଛନ୍ତି ନକ୍ସଲ। ମାଥିଲି ବ୍ଲକ୍ ମହୁପଦର ପଞ୍ଚାୟତ ଅନ୍ତର୍ଗତ ଯନ୍ଦ୍ରାଗୁଡ଼ାରେ ଜଣେ ଠିକାଦାରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ରାସ୍ତା କାମକୁ ବିରୋଧ କରି ନକ୍ସଲ ଏହି ନାରକୀୟ କାଣ୍ଡ ଘଟାଇଛନ୍ତି। ଘଟଣାସ୍ଥଳରେ ପୋଷ୍ଟର ଛାଡ଼ି ଯାଇଥିବା ବେଳେ ସେଥିରେ ରାସ୍ତା କାମ ତୁରନ୍ତ ବନ୍ଦ କରିବାକୁ ତାଗିଦ୍ କରାଯାଇଛି। କାଙ୍ଗେର ଘାଟି ଏରିଆ କମିଟି ଏହି ବର୍ବରତା ପଛରେ ରହିଥିବା ସ୍ପଷ୍ଟ ହୋଇଛି।
ସୂଚନା ଅନୁଯାୟୀ, ମାଥିଲି ବ୍ଲକ ମହୁପଦର ମୁଖ୍ୟ ରାସ୍ତାରୁ ଯନ୍ଦ୍ରାଗୁଡ଼ା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କାମ ଚାଲିଛି। ଏହି କାମକୁ ମାଥିଲିରେ ରହୁଥିବା ଠିକାଦାର ସୁକୁମାର ମଣ୍ଡଳ କରୁଥିଲେ। ତେବେ ଏଥିପାଇଁ ତାଙ୍କୁ ଅନେକ ଥର ନକ୍ସଲଙ୍କ ଚେତାବନୀ ମିଳିଥିଲା। ତଥାପି ସେ ଭୟଭୀତ ନ ହୋଇ କାମ ଜାରି ରଖିଥିଲେ। ଏଥିରେ ରକ୍ତମୁଖା ହୋଇ ନକ୍ସଲ ତାଙ୍କୁ ଟାର୍ଗେଟ କରି ସୁଯୋଗକୁ ଅପେକ୍ଷା କରି ରହିଥିଲେ। ବାରମ୍ବାର ଚେତାବନୀ ମିଳୁଥିବାରୁ ସୁକୁମାର ମଧ୍ୟ ସତର୍କ ହୋଇ ନିୟମିତ ଭାବେ କାମ ଦେଖିବାକୁ ଯାଉ ନ ଥିଲେ। ମଝିରେ ମଝିରେ ଯାଇ କେତେ କଣ ଅଗ୍ରଗତି ହେଉଛି ଦେଖି ଆସୁଥିଲେ। ତେବେ ଗତକାଲି ନକ୍ସଲଙ୍କୁ କୌଣସି ସୂତ୍ରରୁ ସୂଚନା ମିଳିଥିଲା ଯେ, ଆଜି ସୁକୁମାର କାର୍ଯ୍ୟ ଦେଖିବାକୁ ଆସିବେ। ଏଥିପାଇଁ ଗତକାଲି ଠାରୁ ହିଁ ନକ୍ସଲ ପ୍ରସ୍ତୁତି ଆରମ୍ଭ କରି ୩୦ରୁ ଊର୍ଦ୍ଧ୍ବ ସଶସ୍ତ୍ର ନକ୍ସଲଙ୍କୁ ଏଥିରେ ନିୟୋଜିତ କରାଯାଇଥିଲା।
ଆଜି ସକାଳ ପ୍ରାୟ ସାଢ଼େ ୮ଟାରେ ସୁକୁମାର କାର୍ଯ୍ୟସ୍ଥଳରେ ପହଞ୍ଚିଥିବା ବେଳେ ପୂର୍ବରୁ ହିଁ ପୂରା ଅଞ୍ଚଳକୁ ଘେରି ଯାଇଥିଲେ ସଶସ୍ତ୍ର ନକ୍ସଲ। ନିଜ ବ୍ୟକ୍ତିଗତ ଗାଡ଼ିରେ ସୁକୁମାର ପହଞ୍ଚିବା କ୍ଷଣି ଜଙ୍ଗଲ ଭିତରୁ ହଠାତ୍ ମାଡ଼ି ଆସିଥିଲେ ନକ୍ସଲ। ପ୍ରାଣ ବିକଳରେ ସୁକୁମାର ଦୌଡ଼ିବାରୁ ତାଙ୍କ ଉପରେ ଟେକାପଥର ଫୋପାଡ଼ିବା ଆରମ୍ଭ କରିଥିଲେ। ସେ ଭାରସାମ୍ୟ ହରାଇ ତଳେ ପଡ଼ିଯିବାରୁ ଧାରୁଆ ଅସ୍ତ୍ରରେ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଯିବା ପୂର୍ବରୁ ଘଟଣାସ୍ଥଳରେ ଥିବା ସୁକୁମାରଙ୍କ ବଲେରୋ ସହ ରାସ୍ତା କାର୍ଯ୍ୟରେ ନିୟୋଜିତ ହୋଇଥିବା ଅନ୍ୟ ଦୁଇଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।
The post ନକ୍ସଲଙ୍କ ନୃଶଂସ କାଣ୍ଡ, ଠିକାଦାରଙ୍କୁ ଗଳାକାଟି ହତ୍ୟା first appeared on Sambad.
from ଜିଲ୍ଲା – Sambad https://ift.tt/2KiGQ9H
0 Comments