
ଚାନ୍ଦବାଲି: ମାଛ ଧରିବାକୁ ଯାଇ ଗଭୀର ସମୁଦ୍ର ମଧ୍ୟରେ ଫସିଯାଇଥିଲେ ୧୯ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀ। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ମତ୍ସ୍ୟଜୀବୀମାନେ ଭୋକ ଉପାସରେ ଦୀର୍ଘ ୪ ଦିନ କାଳ ସମୁଦ୍ର ଭିତରେ ଛଟପଟ ହୋଇ ଆସନ୍ନ ମୃତ୍ୟୁକୁ ଅପେକ୍ଷା କରିଥିବା ବେଳେ ଭାରତୀୟ ତଟରକ୍ଷୀ ବାହିନୀ ଦେବଦୂତ ସାଜି ସେମାନଙ୍କୁ ଧାମରା ମୁହାଣଠାରୁ ୧୦୦ କିମି ଦୂରରେ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଛି। ନୂଆ ଜୀବନ ପାଇଥିବାରୁ ବାଂଲାଦେଶୀ ମତ୍ସ୍ୟଜୀବୀମାନେ ଭାରତୀୟ ତଟରକ୍ଷୀ ବାହିନୀକୁ ହୃଦୟରୁ କୃତଜ୍ଞତା ଜଣାଇଥିବା ବେଳେ ବାଂଲାଦେଶ ସରକାର ମଧ୍ୟ ଭାରତୀୟ ତଟରକ୍ଷୀ ବାହିନୀର ଏହି ଆପଦ୍କାଳୀନ ଉଦ୍ଧାର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି।
ସମ୍ପୂର୍ଣ୍ଣ ଘଟଣାଟି ଥିଲା ଏମିତି। ବାଂଲାଦେଶ କକ୍ସବାଜାର ଅଞ୍ଚଳର ୧୯ ଜଣ ମତ୍ସ୍ୟଜୀବୀ ଏକ ଯନ୍ତ୍ରଚାଳିତ ଟ୍ରଲର୍ ଧରି ଗତ ନଭେମ୍ବର ମାସ ୧୫ ତାରିଖରେ ମାଛ ମାରିବାକୁ ବଙ୍ଗେପସାଗରକୁ ଯାଇଥିଲେ। ସମୁଦ୍ରରେ ସେମାନେ ଦୀର୍ଘ ୨୩ ଦିନ ଧରି ମାଛ ଧରିବା ପରେ ଘରମୁହାଁ ହୋଇଥିଲେ। ହେଲେ ଗଭୀର ସମୁଦ୍ର ଭିତରେ ଟ୍ରଲର୍ର ଯନ୍ତ୍ରାଂଶ ଭାଙ୍ଗି ଯାଇଥିଲା। ସେପଟେ ଟ୍ରଲରକୁ ସଜାଡ଼ିବା ଲାଗି ସବୁ ଚେଷ୍ଟା ବ୍ୟର୍ଥ ହେବା ପରେ ହତାଶ ହୋଇ ଯାଇଥିଲେ ସମସ୍ତେ। ସେତେବେଳକୁ ୪ ଦିନ ବିତିଗଲାଣି। ପାଖରେ ଥିବା ଖାଦ୍ୟ ସାମଗ୍ରୀ, ପିଇବା ପାଣି ସରିଯାଇଥିଲା। ଅଖିଆଅପିଆ ରହି କେବଳ ଭଗବାନଙ୍କୁ ଡାକିବା ଛଡ଼ା ଏହି ମତ୍ସ୍ୟଜୀବୀମାନଙ୍କ ପାଇଁ ଅନ୍ୟ କିଛି ବାଟ ନଥିଲା। ଅନ୍ୟପକ୍ଷରେ ଯନ୍ତ୍ରପାତି ଭାଙ୍ଗିବା କାରଣରୁ ଟ୍ରଲରଟି ଭାରତୀୟ ସାମୁଦ୍ରିକ ସୀମା ଭିତରକୁ ପଶି ଆସିଥିଲା। ତେବେ ଏହି ସମୟରେ ତ୍ରାଣକର୍ତ୍ତା ସାଜିଥିଲେ ଇଣ୍ଡିଆନ୍ କୋଷ୍ଟଗାର୍ଡର ଅଫିସର ଓ ଯବାନ। ଡିସେମ୍ବର ୭ ତାରିଖ ରାତିରେ କୋଷ୍ଟଗାର୍ଡର ଏକ ବିମାନ ଭାରତୀୟ ସାମୁଦ୍ରିକ ସୀମାରେ ପଇଁତରା ମାରୁଥିବାବେଳେ ଗଭୀର ସମୁଦ୍ରରେ ଏକ ଡଙ୍ଗା ଭାସୁଥିବା ଲକ୍ଷ୍ୟ କରିଥିଲା। କୋଷ୍ଟଗାର୍ଡ ବିମାନର ପାଇଲଟ୍ ଭିଏଚ୍ଏଫ୍ ଓ ରେଡିଓ ଦ୍ବାରା ଯୋଗାଯୋଗ କରିଥିଲେ ମଧ୍ୟ ସେପଟୁ କୌଣସି ପ୍ରତିକ୍ରିୟା ମିଳି ନଥିଲା। ବିମାନର ପାଇଲଟ୍ କୋଷ୍ଟଗାର୍ଡ ଜାହାଜ ‘ଆଇସିଜିଏସ୍ ଭାରାଡ’କୁ ସୂଚନା ଦେବା ପରେ ବିଳମ୍ବିତ ରାତିରେ ଆରମ୍ଭ ହୋଇଥିଲା ଅପରେସନ୍। ଡିସେମ୍ବର ୮ ତାରିଖ ଭୋର୍ ସମୟରେ କୋଷ୍ଟଗାର୍ଡର ଜାହାଜ ଧାମରା ମୁହାଣଠାରୁ ୧୦୦ କିମି ଦୂରରେ ବାଂଲାଦେଶୀ ମାଛଧରା ଟ୍ରଲର ‘ରାଣା’ ପାଖରେ ପହଞ୍ଚି ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲେ। ୪ ଦିନ ଭୋକ ଉପାସରେ ରହି କ୍ଳାନ୍ତ ହୋଇ ପଡ଼ିଥିବା ଏହି ମତ୍ସ୍ୟଜୀବୀମାନଙ୍କୁ କୋଷ୍ଟଗାର୍ଡ ପକ୍ଷରୁ ଖାଦ୍ୟ ଓ ଜଳ ଯୋଗାଇ ଦିଆଯାଇଥିଲା। ପରେ ଉଦ୍ଧାର ମତ୍ସ୍ୟଜୀବୀମାନଙ୍କୁ ବାଂଲାଦେଶ ତଟରକ୍ଷୀ ବାହିନୀ ଜିମା ଦିଆଯାଇଥିଲା।
The post ଗଭୀର ସମୁଦ୍ରରେ ଅଖିଆଅପିଆ ୪ ଦିନ: ମାଛ ମାରିବାକୁ ଯାଇଥିଲେ, ଭାଙ୍ଗିଗଲା ଟ୍ରଲର୍ first appeared on Sambad.
from ଜିଲ୍ଲା – Sambad https://ift.tt/2Wc9AUd
0 Comments