କଟକ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବି ଖାତିର ନାହିଁ। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଦେଢ ବର୍ଷ ବିତିଗଲାଣି କିନ୍ତୁ ବାରବାଟୀ ଷ୍ଟାଡିୟମ ନିକଟରେ ଥିବା କଂସେଇ ଖାନା ସ୍ଥାନାନ୍ତର ହୋଇପାରିଲା ନାହିଁ। ୨୦୧୯ ଏପ୍ରିଲରେ ଏହାକୁ ସହର ବାହାରକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ ‌ଓଡ଼ିଶା ହାଇକୋର୍ଟ। କଟକ ମହାନଗର ନିଗମ ଏବେ ବି ହାତ ବାନ୍ଧି ବସିଛି। ସ୍ଥାନୀୟ ବାସିନ୍ଦା ସମସ୍ୟାକୁ ନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ନିଗମ ନିକଟରେ ଅଭିଯୋଗ କରିଥିଲେ ବି ପରସ୍ପରକୁ ଦାୟିତ୍ବ ଖସାଇ ଜିଲ୍ଲା ପ୍ରଶାସନ ଓ ସିଏମସି ସମୟ ଗଡାଇ ଚାଲିଛନ୍ତି।

ସହରର ବକ୍ସିବଜାର ଗୋପବନ୍ଧୁ ବାଗ୍‌ରୁ କ୍ୟାଣ୍ଟନମେଣ୍ଟ ରୋଡ ସବୁଠାରୁ ଚଳଚଞ୍ଚଳ ତଥା ଜନଗହଳି ଅଞ୍ଚଳ। ବାରବାଟୀ ଷ୍ଟାଡିୟମ, ଓଡ଼ିଶା କ୍ରିକେଟ୍ ଏକାଡେମି, ଜିଲ୍ଲା ଶିଳ୍ପ ନିର୍ଦ୍ଦେଶାଳୟ, ରୋଟାରୀ ଚକ୍ଷୁ ଚିକିତ୍ସାଳୟ, ‘ଦି ୟୁନିଭର୍ସ’, ୱାଇଏମ୍‌ସିଏ ଭଳି ପ୍ରମୁଖ ଅନୁଷ୍ଠାନମାନ ଏଠାରେ ରହିଛି। ବହୁ ବରିଷ୍ଠ ଅଧିକାରୀଙ୍କ ସରକାରୀ ବାସଭବନ ବି ଏହି ଅଞ୍ଚଳରେ ରହିଛି। ସହରର ଏଭଳି ଏକ ସମ୍ବେଦନଶୀଳ ସ୍ଥାନରେ ଦୀର୍ଘ ବର୍ଷ ହେଲା ଚାଲିଛି କଂସେଇଖାନା। ଏହାକୁ ସ୍ଥାନାନ୍ତର କରିବା ପାଇଁ ପୂର୍ବରୁ ବହୁ ପ୍ରତିବାଦ ତଥା ବିକ୍ଷୋଭ ହୋଇଛି। ହାଇକୋର୍ଟଙ୍କ ପକ୍ଷରୁ ଏହାକୁ ସ୍ଥାନାନ୍ତର ପାଇଁ କଟକ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ବି ଦେଇଛନ୍ତି। ତଥାପି ସ୍ଥାନାନ୍ତର ହେଉନି ସଂପୃକ୍ତ କଂସେଇଖାନା।

ବାରବାଟୀ ଷ୍ଟାଡିୟମ ପାଇଁ କଟକ ସହର ସାରା ବିଶ୍ବରେ ପରିଚିତ। ବିଭିନ୍ନ ଦୃଷ୍ଟି ‌କୋଣରୁ ବିଚାର କଲେ ବକ୍ସିବଜାର, ବାରବାଟୀ ଷ୍ଟାଡିୟମ-କ୍ୟାଣ୍ଟେନ‌୍‌ମେଣ୍ଟ ଅଞ୍ଚଳ ଏବେ କଟକର ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ। ବର୍ଷର ବହୁ ସମ‌ୟରେ କ୍ରୀଡ଼ା ସମେତ ଏଠାରେ ବହୁ ଜାତୀୟ ତଥା ଆନ୍ତର୍ଜାତୀୟ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୁଏ। ବହୁ ବିଶିଷ୍ଟ ବ୍ୟକ୍ତି ଏହି ଅଞ୍ଚଳକୁ ବିଭିନ୍ନ ସମୟରେ ଆସିଥାନ୍ତି। ଖାଲି ସେତିକି ନୁହେଁ, ସହରର ହଜାର ହଜାର ଲୋକ ଏହି ଅଞ୍ଚଳରେ ବିଭିନ୍ନ କାର୍ଯ୍ୟରେ ଚଳପ୍ରଚଳ ହୁଅନ୍ତି। ଦୁଃଖ ଓ ପରିତାପର ବିଷୟ, ଏଭଳି ଏକ ସମ୍ବେଦନଶୀଳ ସ୍ଥାନରେ ଦୀର୍ଘ ଦିନ ହେଲା ବଡ଼ ପଶୁମାନଙ୍କ କଂସେଇଖାନା ଚାଲିଛି। ଏହାକୁ ସ୍ଥାନାନ୍ତର କରିବା ଦିଗରେ ସିଏମ୍‌ସି ପକ୍ଷରୁ ନିଜ ଆଡୁ କେବେ ବି ଉଦ୍ୟମ ହୋଇନାହିଁ। କୁକୁର, କାଉ ଓ ଚିଲ୍‌ଙ୍କ ଦ୍ବାରା ବଡ଼ ପଶୁଙ୍କ ପରିତ୍ୟକ୍ତ ଅଙ୍ଗପ୍ରତ୍ୟଙ୍ଗ ରାସ୍ତାଘାଟ ସହିତ ଆଖପାଖ ଲୋକଙ୍କ ଘର ଅଗଣାରେ ପଡ଼ିବା ଓ କଂସେଇଖାନା ବର୍ଜ୍ୟବସ୍ତୁରୁ ଉତ୍କଟ ଗନ୍ଧ ବାହାରିବାରୁ ସ୍ଥାନାନ୍ତର ପାଇଁ ଦୀର୍ଘ ବର୍ଷ ପୂର୍ବରୁ ଲୋକେ ପ୍ରତିବାଦ କରିବା ଆରମ୍ଭ କରିଥିଲେ। ସହରର ଜନଗହଳିପୂର୍ଣ୍ଣ ସ୍ଥାନରୁ ଏହାକୁ ଅନ୍ୟତ୍ର ଉଠାଇନେବାକୁ ଲୋକଙ୍କ ତରଫରୁ ବିଭିନ୍ନ ସମୟରେ ଜିଲ୍ଲାପାଳଙ୍କ ସମେତ ସିଏମ୍‌ସି କମିସନରଙ୍କୁ ସ୍ମାରକପତ୍ର ଦିଆଯାଇଛି।

ବିକ୍ଷୋଭ ‌ଅଧିକ ହେବାରୁ ୨୦୧୫ରେ ସିଏମ୍‌ସି ପକ୍ଷରୁ ବଡ଼ ପଶୁଙ୍କୁ ଏଠାରେ ହତ୍ୟା କରିବାକୁ ନିଷେଧ ଆଦେଶ ଦିଆଗଲା। ଏହି ଆଦେଶ ପରେ ବଡ଼ ପଶୁମାନଙ୍କୁ ସହରର ଅନ୍ୟସ୍ଥାନରେ ହତ୍ୟା କରାଯାଇ ସେଠାରେ ବିକ୍ରି ହେଲା। କିନ୍ତୁ ପରିବେଶ ଯେଉଁ ଦୂଷିତକୁ ସେହି ଦୂଷିତ ହେଲା। ‌ଶେଷରେ ଏହାର ସ୍ଥାନାନ୍ତର ପାଇଁ ଓଡ଼ିଶା କ୍ରିକେଟ୍ ଏକାଡେମି ଓ ମୁନ୍ତାକିମ୍‌ ବକ୍ସଙ୍କ ପକ୍ଷରୁ ହାଇକୋର୍ଟରେ ଦୁଇଟି ମାମଲା ରୁଜୁ ହେଲା। ୨୦୧୯, ଏପ୍ରିଲ୍ ୧୧ତାରିଖରେ ମାମଲାର ବିଚାର କରି ଓଡ଼ିଶା ହାଇକୋର୍ଟର ବିଚାରପତି ଜ‌ଷ୍ଟିସ୍ ବିଶ୍ବନାଥ ରଥ ଏହାକୁ ସହର ମଧ୍ୟରୁ ସ୍ଥାନାନ୍ତର ପାଇଁ ସି‌ଏମ୍‌ସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ମଧ୍ୟରେ ଦେଢ଼ ବର୍ଷରୁ ଅଧିକ ଦିନ ବତିଯାଇଥିଲେ ମଧ୍ୟ ସିଏମ୍‌ସି ପକ୍ଷରୁ ଏଦିଗରେ କୌଣସି ତତ୍ପରତା ପ୍ରକାଶ ପାଇଥିବା ଜଣାପଡ଼ୁନାହିଁ। ବୁଲା କୁକୁର, କାଉ ଓ ଚିଲ୍‌ଙ୍କ ଦ୍ବାରା ବଡ଼ ପଶୁଙ୍କ ହାଡ଼, ମାଂସ ବାହାରେ ପଡ଼ିବା, ପବନ ବହ‌ିଲେ ଉତ୍କଟ ଦୁର୍ଗନ୍ଧ ବାହାରିବାରୁ ସେଠାରେ ‌ରହୁଥିବା ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି।

The post ହାଇ‌େକାର୍ଟଙ୍କ ‌ନିର୍ଦ୍ଦେଶକୁ ବି ଖାତିର ନାହିଁ; ଦେଢ଼ ବର୍ଷ ବିତିଗଲା; ହଟୁନି କଂସେଇଖାନା first appeared on Sambad.



from ଜିଲ୍ଲା – Sambad https://ift.tt/2LbwqJ4