
କଟକ : ବୟସ ମାତ୍ର ୧୭। କିନ୍ତୁ ଏହି ବୟସରେ ସେ ଆନ୍ତର୍ଜାତୀୟ ଫିକ୍ସନ୍ ଲେଖକ ମାନ୍ୟତା ପାଇଲେଣି। ଆମେରିକାର ଜଣେ ବିଶିଷ୍ଟ ଲେଖିକା ପାମ୍ ରସ୍ଙ୍କ ସହ ମିଶି ଲେଖୁଛନ୍ତି ରହସ୍ୟ ଓ ରୋମାଞ୍ଚଭରା ଉପନ୍ୟାସ। ଯାହାକୁ ଛାପିବ ଆମାଜନ୍ ଭଳି ଖ୍ୟାତନାମା ପ୍ରକାଶନ ସଂସ୍ଥା। କଟକର ୧୭ ବର୍ଷର କିଶୋର ଶୁଭ୍ରାଂଶୁ ଦାସଙ୍କର ଏହି କୀର୍ତ୍ତି ଏବେ ଅନେକଙ୍କୁ ଚକିତ କରିଥିବା ବେଳେ ସେ ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି।
କଟକ ରାଜାବଗିଚାରେ ବାସ କରୁଥିବା ସୂର୍ଯ୍ୟନାରାୟଣ ଦାସ ଓ ରିନା ଦାସଙ୍କ ପୁଅ ଶୁଭ୍ରାଂଶୁ ଡିପିଏସ୍ କଳିଙ୍ଗର ଦ୍ବାଦଶ ଶ୍ରେଣୀର ଛାତ୍ର। ପିଲା ଦିନରୁ ଗପ ଓ କବିତା ଲେଖୁଥିବା ଶୁଭ୍ରାଂଶୁଙ୍କ ଲେଖା ହ୍ବାଟ୍ସଆପ୍ର ଏକ ଗ୍ରୁପ୍ରେ ଦେଖି ବେଶ ଆକର୍ଷିତ ହୋଇଥିଲେ ଆମେରିକାନ୍ ଲେଖିକା ପାମ୍ ରସ୍। ଆଉ ସେ ନିଜ ଆଡ଼ୁ ଶୁଭ୍ରାଂଶୁଙ୍କ ସହ ସହ ଯୋଗାଯୋଗ କରି ଏହି ସୁଯୋଗ ଦେବା ପରେ ଶୁଭ୍ରାଂଶୁଙ୍କ ଜୀବନରେ ଆସିଛି ଏବେ ବଡ଼ ଧରଣର ପରିବର୍ତ୍ତନ। ଶୁଭ୍ରାଂଶୁ ଏବେ ରହସ୍ୟ ଓ ରୋମାଞ୍ଚ ଭରା ବହି ‘ଦି ବ୍ଲୁ ବଟରଫ୍ଲାଏ ଡାଇମଣ୍ତ, ବ୍ୟାକ୍ ଟୁ ୱେଷ୍ଟ ଆଫ୍ରିକା’ ପୁସ୍ତକର ଦ୍ବିତୀୟ ଭାଗକୁ ପାମ୍ ରସଙ୍କ ସହ ମିଶି ଲେଖୁଛନ୍ତି। ପାମ୍ଙ୍କ ଏହି ବହିର ପ୍ରଥମ ଭାଗକୁ ଆମାଜନ୍ ଛାପିଥିବାବେଳେ ଦ୍ବିତୀୟ ଭାଗର ଲେଖା ଜାରି ରହିଛି।
ଶୁଭ୍ରାଂଶୁଙ୍କ କହିବା ଅନୁଯାୟୀ ୫ ବର୍ଷ ବୟସରୁ ବହି ପଢ଼ିବା ପ୍ରତି ତାଙ୍କର ଆଗ୍ରହ ବଢିଥିଲା ଏବଂ ଏହା ତାଙ୍କର ନିଶା ପାଲଟି ଯାଇଥିଲା। ପିଲାବେଳୁ ବାପାମା’ଙ୍କଠାରୁ ଗପ ଶୁଣୁଥିଲେ। ପରେପରେ ପଢ଼ିବାର ଆଗ୍ରହ ସହିତ ଲେଖିବା ପ୍ରତି ଆଗ୍ରହ ବଢ଼ିଲା। ଭଳି କି ଭଳି ଗପ ଓ କବିତା ଲେଖି ସେସବୁକୁ ସୋସିଆଲ ମିଡିଆରେ ସେୟାର କରିବା ଆରମ୍ଭ କରିଥିଲେ। ଅନ୍ତର୍ଜାତୀୟ ସ୍ତରର କବି ଓ ଲେଖକମାନଙ୍କ ଏକ ହ୍ବାଟ୍ସଆପ୍ର ଗ୍ରୁପରେ ସେ ତାଙ୍କର ଏକ ଗପ ସେୟାର କରିଥିଲେ। ଆମେରିକାନ୍ ଲେଖିକା ପାମ୍ ରସ ସେହି ଗପ ପଢ଼ି ତାଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ତାଙ୍କ ସହ ମିଶି ଲେଖିବାକୁ ପରାମର୍ଶ ଦେଇଥିଲେ। ଦେଶରେ ପ୍ରଥମ କିଶୋର ଲେଖକ ଭାବେ ଆମାଜନ୍ ପାଇଁ ଲେଖିବାର ସୁଯୋଗ ପାଇଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି ଶୁଭ୍ରାଂଶୁ କହିଛନ୍ତି। ଆଗକୁ ପାଠ ପଢ଼ା ଜାରି ରଖିବା ସହ ଅଧିକରୁ ଅଧିକ ଗପ ଓ ଉପନ୍ୟାସ ଲେଖିବାକୁ ଚାହୁଁଥିବା ଶୁଭ୍ରାଂଶୁ ଭବିଷ୍ୟତରେ ଇଂରାଜୀ ସାହିତ୍ୟରେ ଅଧ୍ୟାପକ ହେବାକୁ ଲକ୍ଷ୍ୟ ରଖିଛନ୍ତି।
The post କଟକର କିଶୋର ଲେଖକ ଶୁଭ୍ରାଂଶୁଙ୍କ କରିସ୍ମା : ୧୭ ବର୍ଷରେ ଅନ୍ତର୍ଜାତୀୟ ଲେଖକ ମାନ୍ୟତା first appeared on Sambad.
from ଜିଲ୍ଲା – Sambad https://ift.tt/34awj7s
0 Comments