କଟକ : ଅନ୍‌ଲାଇନ୍‌ରେ ଚାଲିଛି ବନ୍ୟପ୍ରାଣୀ ଚାଲା‌ଣ। ସାଙ୍କେତିକ ଭାଷା(କୋଡ୍‌ ୱାଡ୍‌)ରେ ଚାଲିଛି ବେପାର। ଏଭଳି ସାଇବର କ୍ରାଇମ୍‌କୁ କିପରି ଦମନ କରାଯିବ, ଯେଉଁଠି ବି ଏଭଳି ଘଟଣା ନଜରରେ ଆସିବ ତାର ତଦନ୍ତ କିପରି କରାଯିବ? ଏଥିପାଇଁ ଅତ୍ୟାଧୁନିକ ତଦନ୍ତ ବ୍ୟବସ୍ଥାର କ’ଣ ଆବଶ୍ୟକତା ରହିଛି, ତା’ ଉପରେ ଏକ ୭ଦିନିଆ ଭର୍ଚୁଆଲ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ୟୁଏସ୍‌ଏ ଓ ଭାରତ ସରକାରଙ୍କ ଯୁଗ୍ମ ପରିଚାଳନାରେ ‘ବନ୍ୟପ୍ରାଣୀ ଚାଲାଣ ଓ ସାଇବର କ୍ରାଇମ୍‌’ ସଂପର୍କିତ ତାଲିମ ଶିବିରରେ ଦେଶର ବିଭିନ୍ନ ରାଜ୍ୟର ବନ ଅଧିକାରୀ ଓ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ଶାଖାର ଅଧିକାରୀମାନେ ଭାଗ ନେଇଥିଲେ। ଓଡ଼ିଶାରୁ ଆଠଗଡ଼ ଡିଏଫଓ ସସ୍ମିତା ଲେଙ୍କା ଏହି ତାଲିମ୍‌ ଶିବିରରେ ଭାଗ ନେଇଥିଲେ। ଏହି ତାଲିମ୍‌ ବର୍ତ୍ତମାନ ସମୟରେ ବନ୍ୟପ୍ରାଣୀ ଚାଲାଣରେ ମାତିଥିବା ସାଇବର ଅପରାଧୀମାନଙ୍କୁ ଧରିବା ଓ ବନ୍ୟପ୍ରାଣୀ ଚାଲାଣରେ ଆନ୍ତର୍ଜାତିକ ରାକେଟ୍‌କୁ ଠାବ୍‌ କରିବାରେ ବେଶ୍‌ ସହାୟକ ହେବ ବୋଲି ସେ ସୂଚନା ଦେଇଛନ୍ତି। ତାଲିମ୍‌ ଶିବିରର ୧୮ଜଣ ପ୍ରତିନିଧିତ୍ବ କରୁଥିବାବେଳେ ସୁଶ୍ରୀ ଲେଙ୍କା ଜଣେ ମାତ୍ର ମହିଳା ଅଧିକାରୀଭାବେ ପ୍ରତିନିଧିତ୍ବ କରୁଥିଲେ। ଆମେରିକାର ଏଡ୍‌ୱାଲ ଲୁଇସ୍‌ଙ୍କ ଅଧ୍ୟକ୍ଷତାରେ ୪ଜଣ ଟ୍ରେନର ଏହି ତାଲିମ ପ୍ରଦାନ କରିଥ‌ିଲେ।

The post ବନ୍ୟପ୍ରାଣୀ ଚାଲାଣ ଓ ସାଇବର କ୍ରାଇମ୍‌ ସଂପର୍କିତ ତାଲିମ ଶିବିର, ଓଡିଶାରୁ ସାମିଲ ହେଲେ ଆଠଗଡ଼ ଡିଏଫ୍‌ଓ first appeared on Sambad.



from ଜିଲ୍ଲା – Sambad https://ift.tt/33PrAYs