ସମ୍ବଲପୁର : ପ୍ରସିଦ୍ଧ ଉର୍ଦ୍ଦୁ କବି ସିନ୍‌ କାଫ୍‌ ନିଜାମ୍‌ ପାଇବେ ୨୦୧୯ ବର୍ଷର ଗଙ୍ଗାଧର ଜାତୀୟ ସମ୍ମାନ। ଏନେଇ ସୋମବାର ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ସିଣ୍ଡିକେଟ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଜାନୁଆରିରେ ହେବାକୁ ଥିବା ବିଶ୍ବବିଦ୍ୟାଳୟର ୫୪ତମ ପ୍ରତିଷ୍ଠା ଦିବସରେ ଶ୍ରୀ ନିଜାମ୍‌ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସ୍ମୃତିରେ ୧୯୯୧ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ରାଜସ୍ଥାନ ଯୋଧପୁରର କବି ନିଜାମ୍‌ ‘ଲମ୍‌ହୋ କେ ସାଲିବ୍‌, ଦସ୍ତ୍‌ମେଁ ଦରିୟାଁ, ନାଦ୍‌, ଶାୟା କୋଇ ଲମ୍ବା ନା ଥା, ଗୁମ୍‌ସୁଦା ଦେର କି ଗୁଞ୍ଜତି ଘଣ୍ଟିୟାଁ ଭଳି କବିତା ପୁସ୍ତକ ରଚନା କରିଥିବା ସମୟରେ ‘ଗୁମ୍‌ସୁଦା ଦେର କି ଗୁଞ୍ଜତି ଘଣ୍ଟିୟାଁ ପାଇଁ ୨୦୧୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ମଧ୍ୟ ପାଇଛନ୍ତି।

ସୋମବାରର ବୈଠକରେ ଅନ୍ୟ ୨ଟି ପ୍ରସଙ୍ଗ ଉପରେ ମଧ୍ୟ ନିଷ୍ପତ୍ତି ହୋଇଥିଲା। ଏଥିରେ ପ୍ରୋବେସନରେ ଥିବା ୮ ଜଣ ଶିକ୍ଷକଙ୍କ ଚାକିରି ସ୍ଥା‌ୟୀ ଏବଂ ୨୦ ଜଣ ଶିକ୍ଷକଙ୍କ ଷ୍ଟେଜ୍‌-୧ରୁ ୨ ଓ ୨ରୁ ୩କୁ ପ‌ଦୋନ୍ନତି କରାଯାଇଛି। ବୈଠକରେ ଅନ୍‌ଲାଇନ୍‌ରେ ଉଚ୍ଚ ଶିକ୍ଷା ବିଭାଗ ନିର୍ଦେଶକ ଅଶ୍ବିନୀ ମିଶ୍ର, ଆଞ୍ଚଳିକ ନିର୍ଦେଶକ ପ୍ରଭାବତୀ ଗୁରୁଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

The post ସିନ୍ କାଫ୍‌ ନିଜାମ୍‌ ପାଇବେ ଗଙ୍ଗାଧର ଜାତୀୟ ସମ୍ମାନ first appeared on Sambad.



from ଜିଲ୍ଲା – Sambad https://ift.tt/37IkExv