ଖୋର୍ଦ୍ଧାରେ କାଠ ବ୍ୟବସାୟୀ ଦେହରେ କିରାସିନି ଢାଳିଲେ
ଯାଜପୁରର ନିଖୋଜ ଶିଶୁ ପିହୁ ମା’ଙ୍କୁ ଅଟକାଇଲା ପୁଲିସ୍‌
ନରସିଂହପୁର ତହସିଲ ସମ୍ମୁଖରେ ବିଜେପି କର୍ମୀଙ୍କ ଆତ୍ମାହୁତି ଉଦ୍ୟମ

ଯାଜପୁରସଦର/ଖୋର୍ଦ୍ଧା/ନରସିଂହପୁର : ବିଭିନ୍ନ ଘଟଣାକୁ କେନ୍ଦ୍ରକରି ରାଜ୍ୟର ବିଭିନ୍ନ ସ୍ଥାନରେ ଆତ୍ମହୁତି ଉଦ୍ୟମ ବଢ଼ିବଢ଼ି ଚାଲିଛି। ଗତ ବିଧାନସଭା ଅଧିବେଶନ କାଳରେ ନୟାଗଡ଼ର ନିଖୋଜ ଓ ମୃତ ଶିଶୁ ପରୀର ବାପାମା’ ନ୍ୟାୟ ଦାବିରେ କରିଥିବା ଆତ୍ମାହୁତି ଉଦ୍ୟମର ଠିକ୍‌ ପରେ ପ‌େର ଏହିଭଳି ଗୋଟିଏ ପରେ ଗୋଟିଏ ଘଟଣା ଦେଖିବାକୁ ମିଳୁଛି। ଆତ୍ମାହୁତି ଉଦ୍ୟମ ଆଇନଃ ଗ୍ରହଣୀୟ ହୋଇ ନ ଥିଲେ ମଧ୍ୟ ନ୍ୟାୟ ପାଇବା ତଥା ଘଟଣାର ବିଭାଗୀୟ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏପରି ପନ୍ଥା ଆପଣା ଯାଉଥିବା କୁହାଯାଉଛି।

ସୋମବାର ଗୋଟିଏ ଦିନରେ ତିନିଟି ଜାଗାରେ ଆତ୍ମାହୁତି ଉଦ୍ୟମ ଭଳି ଘଟଣା ଦେଖିବାକୁ ମିଳିଛି। ୩ଟି ଘଟଣା ମଧ୍ୟରୁ ଗୋଟିଏ ଦେଖିବାକୁ ମିଳିଥିଲା ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ‌େର। ସାଇବର ଠକେଇ ହୋଇଥିବା ବେଗୁନିଆର ଜଣେ କାଠ ବେପାରୀ ବ୍ରଜବନ୍ଧୁ ସାହୁ ୧ ବର୍ଷ ଧରି ଦୋଷୀ ଧରା ନ ପଡ଼ିବା ଏବଂ ଟଙ୍କା ଫେରି ନ ପାଇବା ପ୍ରତିବାଦରେ ହଠାତ୍‌ ଆତ୍ମାହୁତି ଉଦ୍ୟମ କରିଥିଲେ। ଶ୍ରୀ ସାହୁଙ୍କ ଅଭିଯୋଗ ଅନୁସାରେ, ୨୦୧୯ ଅଗଷ୍ଟ ୧ ତାରିଖରେ ପୋଲାଣ୍ତରୁ ଶାଗୁଆନ କାଠ କିଣିବାକୁ ଏକ ବିଦେଶୀ କମ୍ପାନି ଟ୍ରେଡ୍ ୱିଣ୍ଡୋ ସହ ଯୋଗାଯୋଗ କରିଥିଲେ।। ନିଜ କମ୍ପାନିର କାଗଜପତ୍ର ସହ ପ୍ରଥମ କିସ୍ତିରେ ବ୍ୟାଙ୍କ ଅଫ୍ ଇଣ୍ତିଆରୁ ଋଣ ଆଣି ୧୬ଲକ୍ଷ ୩୨ ହଜାର ଟଙ୍କା ଏଜେଣ୍ଟ୍‌ ଦେଇଥିବା ବ୍ୟାଙ୍କ ଆକାଉଣ୍ଟ୍‌କୁ ପଠାଇଥିଲେ। ମାତ୍ର, ସେ ଠକାମିର ଶିକାର ହୋଇଥିଲେ। ଭୁବନେଶ୍ବର ସାଇବର ଥାନାରେ ଅଭିଯୋଗ କରିବାର ବ‌େର୍ଷ ବିତିଯାଇଥିଲେ ବି ଦୋଷୀ ଧରାପଡ଼ିନଥିବା ଓ ତାଙ୍କ ଟଙ୍କା ଫେରିପାଇନଥିବାରୁ ସେ ୨୧ ତାରିଖରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆତ୍ମଦାହ କରିବାକୁ ଲିଖିତ ଚେତାବନୀ ଦେଇଥିଲେ। ଆଜି ଆତ୍ମାହୁତି ପାଇଁ ଉଦ୍ୟମ କରିଛନ୍ତି।

ଦ୍ବିତୀୟ ଘଟଣା ଯାଜପୁରରେ ଘଟିଛି। ଜିଲ୍ଲା ଅନ୍ତର୍ଗତ ବିଂଝାରପୁରର ୨ ବର୍ଷର ଶିଶୁ ନିଖୋଜର ପାଞ୍ଚ ମାସ ପୂରିବାକୁ ଯାଉଛି। କିନ୍ତୁ, ପିହୁ ସମ୍ପର୍କରେ ଏପର୍ଯ୍ୟନ୍ତ ସୁଦ୍ଧା କୌଣସି ସୂଚନା ନ ମିଳିବାରୁ ଆଜି ପିହୁର ପରିବାର ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପିହୁ ନମିଳିଲେ ଆତ୍ମାହୁତି ଦେବେ ବୋଲି ତାଙ୍କ ମା’ ମୋନାଲିସା ସ୍ଥିର କରିଥିଲେ। ଏକ ବ୍ୟାଗ୍‌ ଭିତରେ ଲଣ୍ଠନ ଏବଂ ଦିଆସିଲି ଲୁଚାଇ ରଖିଥିଲେ। ତେବେ କୌଣସି ଅଘଟଣ ପୂର୍ବରୁ ପୁଲିସ ଲଣ୍ଠନ ଏବଂ ଦିଆସିଲିକୁ ଜବତ କରି ନେଇଥିଲା। ଏହି ଘଟଣା ଆଜି ଯାଜପୁରରେ ଆଲୋଡ଼ନ ସୃଷ୍ଟି କରିଛି।

ଅନ୍ୟପକ୍ଷରେ, କଟକ ନରସିଂହପୁର ତହସିଲ୍ ସମ୍ମୁଖରେ ଜଣେ ବିଜେପି କର୍ମୀ ଆଜି ଦେହରେ କିରାସିନ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ନାମରେ ଦୁର୍ନୀତି ଓ ସରକାରୀ ଜମି ଜବରଦଖଲ ଅଭିଯୋଗ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଗଲା ଡିସେମ୍ବର ୨୮ ତାରିଖରୁ ଏହି ଅନଶନ ଚାଲିଥିବା ବେଳେ ପ୍ରଶାସନର ନିଷ୍କ୍ରିୟତା ପ୍ରତିବାଦରେ ସଂପୃକ୍ତ କର୍ମୀ ଆଜି ଏଭଳି ଚରମ ପଦକ୍ଷେପ ନେଇଛନ୍ତି। ଆଜି ଅନଶନ ୮ମ ଦିନରେ ପହଞ୍ଚି ଥିବାବେଳେ ଏହି ଘଟଣାରେ ତହସିଲଦାରଙ୍କ ରିପୋର୍ଟକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ଧାରଣାରତ ବିଜେପି କର୍ମୀ ତହସିଲ ଅଫିସ ଫାଟକରେ ତାଲା ପକାଇ ଦେଇଥିଲେ। ସେହି ସମୟରେ ବିଜେପି କର୍ମୀ କାଠଖୁଣ୍ଟ ପଂଚାୟତ ସୁବଳୟା ଗ୍ରାମର ପ୍ରତାପ ଚନ୍ଦ୍ର ପିହାଣ ଆତ୍ମାହୁତି ଦେବାକୁ ଉଦ୍ୟମ କରିବା ସମୟରେ ଉପସ୍ଥିତ ପୁଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରିଥିଲେ।

ତେବେ, ବିଭିନ୍ନ ଘଟଣାକୁ ନେଇ ଏବେ ରାଜ୍ୟରେ ଆତ୍ମାହୁତି ଉଦ୍ୟମ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ତଳେ ଜଗତ୍‌ସିଂହପୁରର କୁଜଙ୍ଗ ଅଞ୍ଚଳର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଅପରାଧୀଙ୍କୁ ଧରିବାରେ ପୁଲିସ୍‌ର ବିଫଳତା ପ୍ରତିବାଦରେ ତାଙ୍କ ମା’ ଓ ଭାଇ ଭୁବନେଶ୍ବରଠାରେ ଆତ୍ମାହୁତି ଉଦ୍ୟମ କରିଥିଲେ। ସେହିଭଳି, ସେମାନଙ୍କ ନାମରେ ମିଥ୍ୟା ସମବାୟ ଋଣ କରାଯାଇଥିବା ଅଭିଯୋଗ ଆଣି କଟକ ଆଠଗଡ଼ର ୩ ଜଣ ଚାଷୀ ଆତ୍ମାହୁତି ପାଇଁ ଉଦ୍ୟମ କରିଥିଲେ। ଯାହାକୁ ନେଇ ସେତେବେଳେ ଚର୍ଚ୍ଚା ହୋଇଥିଲା।

The post ନ୍ୟାୟ ପାଇଁ ୩ ଜଣଙ୍କ ଆତ୍ମାହୁତି ଉଦ୍ୟମ first appeared on Sambad.



from ଜିଲ୍ଲା – Sambad https://ift.tt/3b9ZR9E