
ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ବାସୁଦେବପୁର ଠାରେ ନିର୍ମାଣାଧୀନ କାନପୁର ଜଳସେଚନ ପ୍ରକଳ୍ପ ଦ୍ବାରା ବିସ୍ଥାପିତଙ୍କୁ ଥଇଥାନ ପାଇଁ ସରକାରଙ୍କ ପୁନଃବାସ ଥଇଥାନ କଲୋନିରେ ନାହିଁ ମୌଳିକ ସୁବିଧା। ସରକାର ବିସ୍ଥାପନ ଓ ଥଇଥାନ ନିୟମ ୨୦୦୬କୁ ଠିକ୍ ଭାବେ ପାଳନ କରି ନାହାନ୍ତି। ତେଣୁ ବିସ୍ଥାପିତଙ୍କ ଦୁର୍ଦ୍ଦଶା ବଢ଼ିଚାଲିଛି। ଥଇଥାନ କାର୍ଯ୍ୟ ସଂପୂର୍ଣ ନ କରିବା ପର୍ଯ୍ୟନ୍ତ ବିସ୍ଥାପିତଙ୍କୁ ବାସଚ୍ୟୁତ ନ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି। ବିସ୍ଥାପିତ ପୁନଃବାସ ଥଇଥାନ କଲୋନି ବୁଲି ବିଭିନ୍ନ ସମସ୍ୟା ଅନୁଧ୍ୟାନ କରିବା ପରେ ଶ୍ରୀ ପଟ୍ଟନାୟକ ସରକାରଙ୍କ ନିକଟରେ ଏହି ଦାବି ରଖିଛନ୍ତି।
ଆଜି ଶ୍ରୀ ପଟ୍ଟନାୟକ ବିସ୍ଥାପିତ ଗ୍ରାମବାସୀଙ୍କୁ ଥଇଥାନ ପାଇଁ ନିର୍ମାଣ କରାଯାଇଥିବା ବିଭିନ୍ନ କଲୋନି ବୁଲି ଦେଖିଥିଲେ। ଏହି ସମସ୍ତ ପୁନଃବାସ କଲୋନିରେ ପାନୀୟ ଜଳ, ରାସ୍ତାଘାଟ, ଶ୍ମଶାନ ଘାଟ, ପୋଖରୀ ନିର୍ମାଣ କରାଯାଇ ନ ଥିବା ବେଳେ ଗ୍ରାମର ଦେବାଦେବୀ ପୀଠ, ମନ୍ଦିର, ଠାକୁରାଣୀ ଶାଳଗୁଡିକୁ ଅଣାଯାଇ ନ ଥିବା ବିସ୍ଥାପିତମାନେ ପ୍ରକାଶ କରିଥିଲେ। ସେହିପରି ଗୋବିନ୍ଦପୁର, ଦଡୁଆଁ ଓ ବିରିକଳା ଗ୍ରାମକୁ ଥଇଥାନ ପାଇଁ ପ୍ରକଳ୍ପ ପକ୍ଷରୁ ଚିହ୍ନଟ କରାଯାଇଥିବା ଧୁବୁଲାବେଡାରେ ଜାଗାର ଉନ୍ନତୀକରଣ କରାଯାଇନି କି ବିସ୍ଥାପିତଙ୍କୁ ଜମି ପଟ୍ଟା ଦିଆଯାଇ ନାହିଁ। ସରକାରଙ୍କ ପକ୍ଷରୁ କାନପୁର ବିସ୍ଥାପିତଙ୍କୁ ଥଇଥାନ ପାଇଁ ଏପରି ୧୨ଟି ପୁନଃବାସ ଥଇଥାନ କଲୋନି ନିର୍ମାଣ କରାଯାଇଛି। ସେଠାରେ ଘର ଡିହ ଆବେଦନ କରିଥିବା ୬୫୫ ଜଣ ବାସଚ୍ୟୁତ ପରିବାର ଥଇଥାନ ହେବେ। ମାତ୍ର ସରକାରଙ୍କ ଅବହେଳା ଯୋଗୁଁ ବିସ୍ଥାପନ ଓ ଥଇଥାନ ନିୟମ–୨୦୦୬ କାର୍ଯ୍ୟକାରୀ କରାଯାଇ ନାହିଁ।୧୦ ବର୍ଷରୁ ଅଧିକ ସମୟ ହେଲା ବିସ୍ଥାପିତମାନେ ସେମାନଙ୍କ ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉ ନଥିବା ଶ୍ରୀ ପଟ୍ଟନାୟକଙ୍କ ଆଗରେ ଅଭିଯୋଗ କରିଥିଲେ।
୨୦୧୮ ସର୍ଭେ ଅନୁଯାୟୀ ୪୦୭ ଜଣ ୧୮ ବର୍ଷୀୟ ପୁଅଝିଅଙ୍କ ସଂପ୍ରସାରଣ ବିସ୍ଥାପିତ ତାଲିକାକୁ ସରକାର ମଞୁର କରୁ ନାହାନ୍ତି କି ଆଉ ନୂତନ ସର୍ଭେ କରୁ ନାହନ୍ତି। ଯାହାଫଳରେ ୧ ହଜାରରୁ ଅଧିକ ଜଣ ବିସ୍ଥାପିତ ତାଲିକାରୁ ବାଦ ପଡିଛନ୍ତି। ୨୦୨୦କୁ ଶେଷ ସର୍ଭେ ତାରିଖ ଘୋଷଣା କରି ଥଇଥାନ ନିୟମ କାର୍ଯ୍ୟକାରୀ ଦିଗରେ ସରକାର ଶୀଘ୍ର ପଦକ୍ଷେପ ନେବା ପାଇଁ ଗଣମାଧ୍ୟମ ଆଗରେ ଶ୍ରୀ ପଟ୍ଟନାୟକ ଦାବି ରଖିଛନ୍ତି। ପିସିସି ସଭାପତି ଶ୍ରୀ ପଟ୍ଟନାୟକ ବିସ୍ଥାପିତ କଲୋନି ବୁଲିବା ପରେ ଚମ୍ପୁଆ ଉପଜିଲ୍ଲାପାଳଙ୍କୁ ଭେଟି ଏଠାକାର ଅବ୍ୟବସ୍ଥା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଗସ୍ତ ସମୟରେ ରାଜ୍ୟ ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ ସଭାପତି ବିଦ୍ୟାଧର ଦେହୁରୀ, ଜିଲ୍ଲା କଂଗ୍ରସ ସଭାପତି ବିପ୍ଲବ ମିଶ୍ର, କଂଗେସ ନେତା ଯଦୁମଣି ବାରିକ, ଗୁରୁବକ୍ସ ସିଂ ଆଲୁୱାଲିଆ, ଅଶୋକ ଠକ୍କର, ଜଗବୀର ଦିଶା, ଯୋଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ନାଏକ, ପ୍ରଭାକର ନାଏକ, ଅର୍ଜୁନ ବେହେରା ଓ ବହୁ ବିସ୍ଥାପିତ ଗ୍ରାମବାସୀ ଉପସ୍ଥିତ ଥିଲେ।
The post ସଂପୂର୍ଣ୍ଣ ଥଇଥାନ ପରେ ବାସଚ୍ୟୁତ କରାଯାଉ: ନିରଞ୍ଜନ first appeared on Sambad.
from ଜିଲ୍ଲା – Sambad https://ift.tt/3prN9qQ
0 Comments