
କଟକ : ଷ୍ଟାଇପେଣ୍ଡ୍ ବୃଦ୍ଧି ଦାବିରେ ଆସନ୍ତାକାଲିଠାରୁ ରାଜ୍ୟର ତିନି ମେଡିକାଲ କଲେଜର ହାଉସ୍ସର୍ଜନ ଡାକ୍ତର କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ତାହାକୁ ଆସନ୍ତା ୨ ସପ୍ତାହ ଯାଏ ସ୍ଥଗିତ ରଖିବାକୁ ଘୋଷଣା କରିଥିବାବେଳେ ଗଲା ୨୨ ତାରିଖରୁ ଯେଭଳି ପ୍ରତିବାଦ ସ୍ବରୂପ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରୁଛନ୍ତି, ତାହା ଜାରି ରହିବ ବୋଲି ସୂଚନା ଦେଇଛନ୍ତି।
ରାଜ୍ୟର ତିନୋଟି ମେଡିକାଲ କଲେଜର ୫୫୦ ହାଉସ୍ ସର୍ଜନ ଏଭଳି ଆନ୍ଦୋଳନରେ ସାମିଲ ହୋଇଛନ୍ତି। କିନ୍ତୁ ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ ଓ ଡିଏମ୍ଇଟି ଷ୍ଟାଇପେଣ୍ଡ୍ ବୃଦ୍ଧି ସଂକ୍ରାନ୍ତରେ ସକାରାତ୍ମକ ପ୍ରତିଶ୍ରୁତି ଦେବାପରେ ହାଉସ୍ ସର୍ଜନ ଡାକ୍ତର ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତ୍ତିକୁ ସାମୟିକଭାବେ ୨ସପ୍ତାହ ପାଇଁ ସ୍ଥଗିତ ରଖିଛନ୍ତି ବୋଲି ସଂଘର ସଭାପତି ଦୀପକ କୁମାର ସାମଲ ସୂଚନା ଦେଇଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ହାଉସ୍ ସର୍ଜନ ସଂଘର ସଭାପତି ଦୀପକ କୁମାର ସାମଲ, ଉପସଭାପତି ପ୍ରତ୍ୟୁଷ ସେନାପତି, ସହସଂପାଦକ ସନ୍ଦୀପ ଦାଶ, କୋଷାଧ୍ୟକ୍ଷ ସାର୍ଥକ ମହାନ୍ତି, ଇପ୍ସିତ୍ ରାଉତ୍ରାୟ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ୨୦୧୮ରେ ସ୍ବାସ୍ଥ୍ୟ ବିଭାଗ ହାଉସସର୍ଜନଙ୍କ ଷ୍ଟାଇପେଣ୍ଡ୍ ଅର୍ଥ ୧୫ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରିଥିଲା। ତାହାକୁ ପିଛିଲା ଭାବେ ୨୦୧୭, ଏପ୍ରିଲ ୧ରୁ ଲାଗୁ କରାଯାଇଥିଲା। ୩ ବର୍ଷ ପରେ ତାହା ବୃଦ୍ଧି କରାଯିବ ବୋଲି ଦର୍ଶଯାଇଥିଲା। କିନ୍ତୁ ୨୦୨୦, ଏପ୍ରିଲ ୧ରୁ ଏଯାଏ ପାଖାପାଖି ୧୦ ମାସ ପରେ ବି କୌଣସି ନିଷ୍ପତ୍ତି ନିଆଯାଇ ନଥିବାରୁ ସଂଘ ଏବେ ଆନ୍ଦୋଳନକୁ ଓହ୍ଲାଇଛି।
The post ହାଉସ୍ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ, କଳାବ୍ୟାଜ୍ ପିନ୍ଧି ଜାରି ରଖିବେ କାର୍ଯ୍ୟ first appeared on Sambad.
from ଜିଲ୍ଲା – Sambad https://ift.tt/3iRf3Kx
0 Comments