ଝାରସୁଗୁଡ଼ା : ଗ୍ରୀଷ୍ମ ଋତୁ ଆସିବାକୁ ଆହୁରି ଦୁଇ ମାସ ଅଛି। ଶୀତ ଋତୁ ସରିନାହିଁ। ହେଲେ ଓଡ଼ିଶା ସୀମାରେ ପ୍ରବେଶ କରିଥିବା ମହାନଦୀର ଧାର ଶୁଖିବାକୁ ବସିଲାଣି। ତେବ‌େ ହୀରାକୁଦ ଜଳଭଣ୍ଡାର ପଛୁଆ ପାଣି ସୀମାନ୍ତ ଗ୍ରାମ ଶୁଖାସୋଡା ପର୍ଯ୍ୟନ୍ତ ଥିବା ବେଳେ କିଛି କିଛି ଅଂଶ ଶୁଖି ଯାଇଥିବା ଦେଖା ଯାଇଛି। ନଦୀ ପଠା ଶୁଖି ଯିବା ପରେ ଆଖ ପାଖ ଗ୍ରାମର ଲୋକ‌େ ସେଠାରେ ଚାଷବାସ କରିଥାନ୍ତି। ଏବେ କିଛି ଲୋକ ଶୁଖିଲା ସ୍ଥା‌ନଗୁଡ଼ିକରେ ଚାଷ କାର୍ଯ୍ୟ ଆରମ୍ଭ କରିଦେଇଥିବା ଜଣାଯାଇଛି। ମହାନଦୀକୁ ନେଇ ୨୦୧୮ ପର୍ଯ୍ୟନ୍ତ ଓଡ଼ିଶାରେ ରାଜନୀତି ତୀବ୍ର ହୋଇଥିଲା। ଛତିଶଗଡ଼ର ତତ୍କାଳୀନ ବିଜେପି ସରକାରଙ୍କୁ ଓଡ଼ିଶାର କଂଗ୍ରେସ, ବିଜେଡି ତଥା ବିଭିନ୍ନ ଲୋକସଂଗଠନ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଥିଲା। ତେବେ ୨୦୧୯ ନିର୍ବାଚନ ପରେ ଏହି ପ୍ରସଙ୍ଗକୁ ଆଉ କେହି ଗୁରୁତ୍ବ ଦେଇ ନଥିଲେ। ସତେ ଯେପରି ନିର୍ବାଚନ ପରେ ପାଣି ଆଉ ଅଟକି ନଥିଲା। ଏବେ ପୁଣି ଧୀ‌ରେ ଧୀରେ ପାଣି କମୁଥିବା ଲକ୍ଷ୍ୟ କରାଯାଉଛି।

ମହାନଦୀର ଗୋଟିଏ ପଟେ ବିଶାଳ ଜଳରାଶି ଲହଡ଼ି ମାରୁଥିବା ବେଳେ ଆଉ ଗୋଟିଏ ପଟେ ବିରାଟ କ୍ଷେତ୍ର ମରୁଭୂମି ହେବାକୁ ଯାଉଛି। ଛତିଶଗଡ଼ର କଲ୍‌ମା ବ୍ୟାରେଜ୍‌ ଯୋଗୁଁ ଓଡ଼ିଶାକୁ ପାଣି ଆସିବାରେ ବାଧା ସୃଷ୍ଟି କରୁଛି। ଛତିଶଗଡ଼ର ରାୟଗଡ଼ ଜିଲ୍ଲା କଲ୍‌ମାଠାରେ ମହାନଦୀ ଉପରେ ନିର୍ମାଣ ହୋଇଥିବା ଏହି ବ୍ୟାରେଜ୍‌ର ୬୬ଟି ଗେଟ୍‌ ମହାନଦୀର ଜଳରାଶିକୁ ଅଟକାଇ ରଖିଥିବାରୁ ଏହାକୁ ‌ବିଭିନ୍ନ ଦଳ ନିର୍ବାଚନ ବେଳେ ମୁଖ୍ୟ ପ୍ରସଙ୍ଗ କରିଥିଲେ। ପ୍ରଚଣ୍ତ ଗ୍ରୀଷ୍ମ ସମୟରେ ଆକାଶରୁ ଅଗ୍ନି ବର୍ଷୁଥିବା ବେଳେ ପାଣି ଟୋପାଏ ପିଇବାକୁ ସେଠାକାର ନଦୀକୂଳର ବାସନ୍ଦା କିଭଳି ହଇରାଣ ହୁଅନ୍ତି ତାହା ନଦେଖିଲେ ବିଶ୍ବାସ କରି ହେବନାହିଁ। ମଣିଷଠାରୁ ଗୋରୁ ପର୍ଯ୍ୟନ୍ତ ଗୋଟିଏ ପଟେ ଡହଳ ବିକଳ ହେଉଥିବା ବେଳେ ଛତିଶଗଡ଼ ପଟେ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ସାହାଯ୍ୟରେ ଦୁଇଟି ଶିଳ୍ପ କାରଖାନାକୁ ଅହରହ ଜଳ ଯୋଗାଣ ହେଉଛି। ମହାନଦୀ ତଳ ମୁଣ୍ତରେ ଥିବା ଗ୍ରାମବାସୀ ଏଥିଯୋଗୁଁ ଗତ ୫ ବର୍ଷ ହେଲା ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି।

ଛତିଶଗଡ଼ ସରକାର ଶିଳ୍ପର ସ୍ବାର୍ଥ ପାଇଁ ଜନସାଧାରଣଙ୍କ ସ୍ବାର୍ଥକୁ ସଂପୂର୍ଣ୍ଣ ଅଣଦେଖା କରିଛନ୍ତି। ନଦୀରେ ପାଣି ନଥିବା ଯୋଗୁଁ ଚାଷକାର୍ଯ୍ୟ ପ୍ରଭାବିତ ହେଉଛି। ଛତିଶଗଡ଼ ସରକାର ଚାଷୀଙ୍କ ସମସ୍ୟା ଦୂର କରିବା ଦୂରରେ ଥାଉ ରବି ଚାଷ  ନକରିବାକୁ  ପୂର୍ବରୁ  ସେଠାକର ସରକାର ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ପରେ ଏହାକୁ ପ୍ରତ୍ୟାହାର କରିଥିଲେ। ଛତିଶଗଡ଼ ରାଜ୍ୟ ପୁଷୋର ବ୍ଲକର ତ୍ରିଭୋନା ଗ୍ରାମରେ ଚାରି ବର୍ଷ ହେଲା ରବି ଚାଷ ବନ୍ଦ ହୋଇଯାଇଥିବା ଗ୍ରାମବାସୀ କୁହନ୍ତି। ଏହି ଅଞ୍ଚଳରେ ନଦୀରେ ପାଣି ନଥିବାରୁ ଭୂତଳ ଜଳସ୍ତର ମଧୢ କମି ଯାଇଛି। ଏହାର ପରିଣାମ ସ୍ବରୂପ ଏହି ଅଞ୍ଚଳର ଗ୍ରାମଗୁଡ଼ିକରେ ସମସ୍ତ ନଳକୂଅ ଅଚଳ ହୋଇ ପଡ଼ିଛି। କେଲୋ ନଦୀର ଲାଖାଠାରେ ବନ୍ଧ ନିର୍ମାଣ କରାଯାଇ ସେଠାରୁ ରାୟଗଡ଼ରେ ଥିବା ଜିନ୍ଦଲ କାରଖାନାକୁ ପାଣି ଯୋଗାଇ ଦିଆଯାଉଛି। ମାତ୍ର ଗାଁକୁ ପାଣି ଦିଆଯାଉ ନଥବା ଅଭିଯୋଗ ହେଉଛି। ଚାଷ ପାଇଁ କେନାଲ ଯୋଗେ ପାଣି ଯୋଗାଇ ଦିଆଯିବ କହି ମୁଖ୍ୟ କେନାଲ ଓ ଶାଖା କେନାଲମାନ ନିମାର୍ଣ ହୋଇଥିଲେ ମଧ୍ୟ ସେଥିରେ ପାଣି ଛଡ଼ାଯାଉ ନାହିଁ। ଝାରମୁଣ୍ତା, କୁଣ୍ତାତରାଇ, ଓଦାର୍, ଭଟଲି, କୁସମୁଦା, ତଡ଼ଲ, ପୁଷୋରଠାରେ ଏହି ଅସନ୍ତୋଷ କୁହୁଳୁଥିବା ଜଣାଯାଇଛି।

ମହାନଦୀ ପ୍ରସଙ୍ଗରେ ଏହି ଗ୍ରାମର ଲୋକମାନେ ଓଡ଼ିଶାର ସମର୍ଥନ କରୁଥିବା ଜଣାଯାଇଛି। ମହାନଦୀ ବଚାଓ ଅଭିଯାନରେ ଏହି ଗ୍ରାମର ଲୋକମାନେ ସାମିଲ ହେବେ ବୋଲି ସେତେବେଳେ ଗାଁ ଗାଁରେ ଲୋକ‌େ ବୈଠକ କରି ନିଷ୍ପତ୍ତି ନେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନ ପୂର୍ବରୁ  ଏଠାରେ ଏକ ପ୍ରକାର ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ। ‘ମହାନଦୀ ବଞ୍ଚାଓ’ ଆନ୍ଦୋଳନର ଦ୍ବିତୀୟ ପର୍ଯ୍ୟୟ ଅଭିଯାନ ସୁଖାସୋଡ଼ାରୁ ଆରମ୍ଭ ହୋଇଥିଲା। ଏବେ ସେହି ନଦୀ, ସେହି କଲ୍‌ମା ବ୍ୟାରେଜ ଏବଂ ସେହି ପାଣି ସମସ୍ୟା ରହିଛି ମାତ୍ର ଓଡ଼ିଶାରେ ରାଜନୈତିକ ଦୃଷ୍ଟିଭଙ୍ଗି ବଦଳି ଯାଉଥିବା ଆଲୋଚନା ହେଉଛି।

The post ମହାନଦୀ ପ୍ରସଙ୍ଗକୁ ସମସ୍ତେ ଭୁଲିଗଲେ : ଓଡ଼ିଶା ସୀମାରେ ନଦୀ ଧାର ଶୁଖିଲାଣି first appeared on Sambad.



from ଜିଲ୍ଲା – Sambad https://ift.tt/2YxJf41