ପୁରୀ : କୋଭିଡ୍‌ ରିପୋର୍ଟ କଟକଣା ହଟିବା ପରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି। ତଥାପି ବାରିକେଡ୍‌ର ପ୍ରତିବନ୍ଧକ କିଛିକାଂଶରେ ଭକ୍ତଙ୍କ ବାଟ ଓଗାଳିଥିଲା। କିନ୍ତୁ ଗତକାଲିଠାରୁ ବାରିକେଡ୍‌ ହଟାଇ ଦିଆଯିବା ପରେ ଆଜି ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ଦୀର୍ଘ ୧୦ ମାସ ପରେ ପ୍ରଥମଥର ପାଇଁ ଆଜି ଲକ୍ଷାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି। ସହରର ଭିଡ଼ ଅସମ୍ଭାଳ ହୋଇପଡ଼ିବାରୁ ଚାରିଚକିଆ ଗାଡ଼ିମୋଟର ତାଳବଣିଆ ଓ ମଙ୍ଗଳାଘାଟ ଛକରେ ପାର୍କିଂ ହୋଇଥିଲା। ଗତକାଲି ରବିବାର ଥିବାରୁ ଶ୍ରୀମନ୍ଦିର ବନ୍ଦ ରହିଥିଲା। ଯେଉଁଥିପାଇଁ ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଥିଲେ। ଦୂରଦୂରାନ୍ତରରୁ ଆସିଥିବା ଭକ୍ତମାନେ ଗତକାଲି ପୁରୀରେ ରାତ୍ରୀଯାପନ ପରେ ଆଜି ସକାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭିଡ଼ ଲଗାଇଥିଲେ।

ସକାଳ ୬ଟାରୁ ୭ଟା ପୁରୀ ସହରବାସୀଙ୍କ ଦର୍ଶନ ପରେ ୭ଟାରୁ ରାଜ୍ୟ ତଥା ରାଜ୍ୟ ବାହାର ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଥିଲା। ଚାହୁଁ ଚାହୁଁ ‌ଅଳ୍ପ କିଛି ସମୟ ଭିତରେ ବଡ଼ଦାଣ୍ଡ ଜନସମୁଦ୍ର ହୋଇଯାଇଥିଲା। ମରିଚିକୋଟ ଛକରୁ ଶ୍ରୀମନ୍ଦିର ଭିତର ପର୍ଯ୍ୟନ୍ତ ଭକ୍ତଙ୍କ ଲମ୍ବାଧାଡ଼ି ଲାଗିଥିଲା। ସମୟ ଗଡ଼ିବା ସହ ଭକ୍ତ ସଂଖ୍ୟା ବି ବଢ଼ିବାରେ ଲାଗିଥିଲା। ଅପରାହ୍ଣରେ ଭକ୍ତଙ୍କ ସଂଖ୍ୟା କମିବା ପରେ ପୁନର୍ବାର ସଂଧ୍ୟାରୁ ଭିଡ଼ ଆରମ୍ଭ ହୋଇଯାଇଛି। ହଜାର ହଜାର ସଂଖ୍ୟାରେ ଭକ୍ତ ଆଜି ମହାପ୍ରଭୁଙ୍କୁ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିଛନ୍ତି। ଆସନ୍ତାକାଲି ଛୁଟି ଥିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ଲାଗି ରହିଛି।

The post ଅସମ୍ଭାଳ ଭିଡ଼ : ମହାପ୍ରଭୁଙ୍କ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ first appeared on Sambad.



from ଜିଲ୍ଲା – Sambad https://ift.tt/3ohlLup