କଟକ: ଦୀର୍ଘ ୯ମାସ ପରେ ଖୋଲିଲା ଏସସିବି ଚକ୍ଷୁ ବିଭାଗ ଓଟି। ନୂଆବର୍ଷର ପ୍ରଥମ ଦିନରେ ଆଜି ୧୫ଟି ଅସ୍ତ୍ରୋପଚାର କରାଯାଇଛି। ଚକ୍ଷୁ ବିଭାଗ ତଥା ବର୍ହିବିଭାଗରେ କୋଭିଡ୍‌ ଆଇସୋଲେସନ୍‌ ସେଣ୍ଟର ଓ ଏବେ କୋଭିଡ୍‌ ହସ୍ପିଟାଲ କରାଯାଇଥିବାରୁ ଚକ୍ଷୁ ବିଭାଗ ଓଟିରେ ତାଲା ଝୁଲୁଥିଲା। ଯାହାଫଳରେ ଇଏନ୍‌ଟି ବିଭାଗ ଓଟିରେ ଚକ୍ଷୁ ବିଭାଗର ଛୋଟଛୋଟ ଅସ୍ତ୍ରୋପଚାର କରାଯାଉଥିଲା। କିନ୍ତୁ ମୋତିଆବିନ୍ଦୁ, ଗ୍ଲୁକୋମାଠାରୁ ଆରମ୍ଭ କରି ଅନ୍ୟସବୁ ବଡ ଅସ୍ତ୍ରୋପଚାର ବନ୍ଦ ରହିଥିଲା।
କରୋନା ପାଇଁ ଏସ୍‌ସିବି ବର୍ହିବିଭାଗ ତଥା ‌ଚକ୍ଷୁବିଭାଗ କୋଠାକୁ ଆଇସୋଲେସନ୍‌ ୱାର୍ଡରେ ପରିଣତ କରାଯାଇଥିଲା। ଫଳରେ ସେହି କୋଠାରେ ଥିବା ବର୍ହିବିଭାଗ, ଚକ୍ଷୁବିଭାଗକୁ ସ୍ଥାନାନ୍ତର କରାଯିବା ସହ ଚକ୍ଷୁ ବିଭାଗ ଓଟିରେ ତାଲା ପକାଇ ଦିଆଯାଇଥିଲା।

ଯାଫଳରେ ମାର୍ଚ୍ଚ ଶେଷ ସପ୍ତାହରୁ ଏସ୍‌ସିବିରେ ଥିବା ପୂର୍ବଭାରତର ଏକମାତ୍ର ଆଂଚଳିକ ଚକ୍ଷୁ ପ୍ରତିଷ୍ଠାନ ଏକପ୍ରକାର ସ୍ଥାଣୁ ପାଲଟିଯାଇଥିଲା। କରୋନା ପ୍ରକୋପ କମୁଥିବାବେଳେ ଚକ୍ଷୁ ବିଭାଗ ଓଟିକୁ ‌‌ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଫଳରେ ଏହାର ସଂପୂର୍ଣ୍ଣ ବିଶୋଧନ କରାଯିବା ସହ ଆଜି ପ୍ରଥମ ଥର ପାଇଁ ଓଟି ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ଲିଡ୍‌ ଟ୍ୟୁମର, ଟେରିଜିୟମ୍‌, ଇନ୍‌ଜୁରୀ ମରାମତିଠାରୁ ଆରମ୍ଭ କରି ବିଭିନ୍ନ ଅସ୍ତ୍ରୋପଚାର କରାଯାଇଛି। ଏଭଳି ଅସ୍ତ୍ରୋପଚାର ଏବେ ନିୟମିତ ଜାରି ରହିବ ବୋଲି ଜଣାପଡିଛି। ଏ ସଂପର୍କରେ ଚକ୍ଷୁ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଶୁଭବ୍ରତା ପରିଡା କହିଛନ୍ତି ଯେ ଆଜି ୧୫ଟି ଅସ୍ତ୍ରୋପଚାର କରାଯାଇଥିବା ବେଳେ ସ୍ବାଭାବିକ ଭାବେ କାର୍ଯ୍ୟ ଆରମ୍ଭ ହୋଇଛି।

The post ୯ମାସ ପରେ ଖୋଲିଲା ଏସସିବି ଚକ୍ଷୁ ବିଭାଗ ଓଟି first appeared on Sambad.



from ଜିଲ୍ଲା – Sambad https://ift.tt/3ob6U5A