ଚଢ଼ଉ ପରେ ପୁଲିସର ଆଭିମୁଖ୍ୟ ପରିବର୍ତ୍ତନ ଚର୍ଚ୍ଚା
ଜଣଙ୍କୁ କୋର୍ଟଚାଲାଣ, ଅନ୍ୟ ୫ଙ୍କ ପ୍ରତି କୋହଳ

ବଲାଙ୍ଗୀର/କଣ୍ଟାବାଞ୍ଜି : ନକଲି ଓ ଖାଦ୍ୟ ଅପମିଶ୍ରଣ କାରବାରକୁ ନେଇ କଣ୍ଟାବାଞ୍ଜି ସହରରେ ବ୍ୟାପକ ଚଢ଼ଉ ହୋଇଥିଲା। ଅନେକ ଜାଲିଆତି ଓ ଅନିୟମିତତାର ପର୍ଦାଫାସ କରିଥିଲା ପୁଲିସ। ବହୁ ଦିନ ପରେ ପୁଲିସର ଏଭଳି ବ୍ୟାପକ ଚଢ଼ଉ ନେଇ ସମସ୍ତେ ସାବାସି ଦେଲେ। କିନ୍ତୁ ଧରାପଡ଼ିଥିବା ଜଣେ ଅଭିଯୁକ୍ତଙ୍କ ପୁଅ ଆଇଏଏସ୍‌ ଅଧିକାରୀ ଓ ବୋହୂ ପ୍ରଶାସନିକ ଅଧିକାରିଣୀ ବୋଲି ଜଣାପଡ଼ିବା ପରେ ଖେଳ ବଦଳି ଯାଇଛି। ଚଢ଼ଉ ବେଳେ ସାବାସୀ ସାଉଁଟୁଥିବା ପୁଲିସର ପରିବର୍ତ୍ତିତ ଆଭିମୁଖ୍ୟକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା।

ଖାଦ୍ୟ ଅପମିଶ୍ରଣ ଅଭିଯୋଗରେ କଣ୍ଟାବାଞ୍ଜିର ୬ଟି ଜାଗାରେ ରେଡ୍‌ କରିଥିଲା ପୁଲିସ। ହେଲେ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି। ଅନ୍ୟମାନଙ୍କୁ ଥାନାରୁ ଛୁଟ୍‌। ପ୍ରାୟ ସମାନ ଦଫାରେ ମାମଲା ରୁଜୁ ହୋଇଥିଲେ ବି ଜଣଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଏବେ ଖୁଲମଖୁଲ୍ଲା ବୁଲୁଛନ୍ତି। ଚଢ଼ଉ ଦିନ ଫୁଡ୍‌ ଇନସ୍ପେକ୍ଟର ଦେଇଥିବା ବକ୍ତବ୍ୟ ସହ ଆଜିକାର ବକ୍ତବ୍ୟ ବି ମେଳ ଖାଉ ନାହିଁ। ବଲାଙ୍ଗୀର ଏସ୍‌ପିଙ୍କୁ ପଚାରିଲେ ସମସ୍ତଙ୍କୁ କୋର୍ଟଚାଲାଣ କରିବା ଦରକାର ନାହିଁ ବୋଲି କହୁଛନ୍ତି। ଦଫା ବିଷୟରେ ପଚାରିଲେ ପୁଲିସ କଥାକୁ ବୁଲାଇ ବଙ୍କାଇ ଦେଉଛି। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଅବସ୍ଥା ହୋଇଛି। କାରବାରରେ ବଡ଼ବଡ଼ିଆ ଅଧିକାରୀଙ୍କ ପରିବାର ଲୋକ ଥିବାରୁ ଘଟଣାକୁ ଚାପିଦେବାର ପ୍ରୟାସ ଆରମ୍ଭ ହୋଇଛି ବୋଲି ଏବେ ସବୁଆଡ଼େ ଚର୍ଚ୍ଚା।

ଗତ ୧୧ ତାରିଖ ବଲାଙ୍ଗୀର ଏସ୍‌ପିଙ୍କ ନିର୍ଦେଶକ୍ରମେ କଣ୍ଟାବାଞ୍ଜି ଚଟୁଅନକାସ୍ଥିତ ବିକାଶ ଜୈନଙ୍କ ମିକ୍ସଚର କାରଖାନା (ଚଞ୍ଚଳ, ରାଧା ନମକିନ, ଦେବଶର ନମକିନ)ରେ ଚଢ଼ଉ ହୋଇଥିଲା। କାରଖାନାର ଗୋଟିଏ ନାଁରେ ଜିଏସ୍‌ଟି କରାଯାଇଥିବା ବେଳେ ବିଭିନ୍ନ ଲେବୁଲ ଲଗାଇ ଉଚ୍ଚ ଦରରେ ବିକ୍ରି କରାଯାଉଥିଲା। ଲାଇସେନ୍ସ ବି ନଥିଲା। ଗୋକୁଳ ଧାମ ନିକଟ ବିଶାଲ ଅଗ୍ରୱାଲଙ୍କ ଲକ୍ଷ୍ମୀ ସେଲ୍‌ସ (ତେଲ ଗୋଦାମ), ଚଟୁଅନକା ପେଟ୍ରୋଲପମ୍ପ ନିକଟରେ ଥିବା ସଂଜୟ ଅଗ୍ରୱାଲଙ୍କ ମହାରାଜା ଅଏଲ, ସୂର୍ଯ୍ୟା, କୋଣାର୍କ, କିଙ୍ଗସ, ବାବା (ତେଲ ଗୋଦାମ), ବଙ୍ଗୋମୁଣ୍ଡା ଫାଟକ ନିକଟ ବିନୋଦ ଅଗ୍ରୱାଲଙ୍କ ଏସ୍‌ଏମ୍‌ୟୁ ମସଲା, ବିକାଶ ଅଗ୍ରୱାଲଙ୍କ ମିକ୍ସଚର ପେକିଂ ଗୋଦାମରେ ଚଢ଼ଉ ହୋଇଥିଲା। ଲକ୍ଷ୍ମୀ ସେଲ୍‌ସ ତେଲ ଗୋଦାମରେ ତେଲ ତିଆରି ହେଉନଥିବା ବେଳେ କେବଳ ରିପ୍ୟାକିଂ ହେଉଥିଲା। ଏପରିକି ଟିଣର ଓଜନରେ ଏପଟସେପଟ ଥିବାରୁ କୋଡ଼ିଏ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିଲା। ସଂଜୟ ଅଗ୍ରୱାଲଙ୍କ ତେଲ ଗୋଦାମରେ ହଜାର ହଜାର ତେଲ ଟିଣ ଠାବ କରାଯାଇଥିଲା। ରାୟପୁରରେ ପ୍ୟାକିଂ ହେବାକୁ ଥିବା ଲେବୁଲ କଣ୍ଟାବାଞ୍ଜିରେ ଲାଗୁଥିବା ଜଣାପଡ଼ିଥିଲା। ବିନୋଦ ଅଗ୍ରୱାଲଙ୍କ ଶୀତଲ ମେନୁଫେକ୍‌ଚରିଂ ୟୁନିଟ (ଏସ୍‌ଏମ୍‌ୟୁ ମସଲା) ଉପରେ ଚଢ଼ଉ ସମୟରେ ପୁରୁଣା କାଗଜପତ୍ରରେ ସବୁ କାରବାର ଚାଲିଥିବା ଜଣାପଡ଼ିଥିଲା।

ସେହିପରି ବିକାଶ ଅଗ୍ରୱାଲଙ୍କ ମିକ୍ସଚର ତିଆରି ଓ ପେକିଂ ଗୋଦାମ ସବୁରେ ଅସ୍ୱାସ୍ଥ୍ୟକର ପରିବେଶରେ କାମ ହେଉଥିବା ଦେଖାଯାଇଥିଲା। ବଡ଼ କମ୍ପାନି ନାଁର ଲୋଗୋରେ ନିମ୍ନମାନର ମିକ୍ସଚର ସବୁ ପ୍ୟାକିଂ ହେଉଥିଲା। ରିପ୍ୟାକିଂର ଲାଇସେନ୍ସ ବି ନଥିଲା। ଚଢ଼ଉ ଦିନ ବଲାଙ୍ଗୀର ଏସ୍‌ପି ଗଣମାଧ୍ୟମକୁ କହିଥିଲେ, ଖାଦ୍ୟ ଅପମିଶ୍ରଣ ବିରୋଧରେ ଚଢ଼ଉ ଜୋରଦାର ହେବ। ପରଦିନ ଜିଏସ୍‌ଟି ବିଭାଗର ଅଧିକାରୀ ଯାଇ ଚଢ଼ଉ ହୋଇଥିବା ଗୋଦାମ ସବୁରେ କାଗଜପତ୍ର ଯାଞ୍ଚ କରିଥିଲେ। ମିଳିଥିବା ସୂଚନା ଅନୁସାରେ, ଜିଏସ୍‌ଟି ଫାଙ୍କି ବି ଚାଲିଥିଲା। ଜିଏସ୍‌ଟି ବିଭାଗ ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ କାଗଜପତ୍ର ଦାଖଲ କରିବାକୁ ସମନ ଜାରି କରିଛି।

ତେବେ ଚଢ଼ଉ ପରବର୍ତ୍ତୀ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଉଠିଛି ପ୍ରଶ୍ନ। କାରଣ ଚଢ଼ଉ ପରଦିନ ଚଟୁଅନକା ମିକ୍ସଚର ଗୋଦାମ ମାଲିକ ତଥା ବ୍ୟବସାୟୀ ବିକାଶ ଜୈନଙ୍କୁ କେସ୍‌ ନଂ-୯/୨୧ରେ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଥିଲା। ଏହାପରେ ପୁଲିସ ବିକାଶ ଜୈନଙ୍କ ସହ ଆଉ ୪ ଜଣଙ୍କ ନାଁରେ କେସ ନଂ-୧୦/୨୧, ୧୧/୨୧, ୧୨/୨୧, ୧୩/୨୧ରେ ମାମଲା ରୁଜୁ କରିଥିଲେ ବି ସେମାନଙ୍କୁ ଗିରଫ କରାଯାଇନଥିଲା। ଖାଦ୍ୟ ସୁରକ୍ଷା ଆଇନ ଏବଂ ୪୨୦ ସହ ଅନ୍ୟ ଦଫାରେ ମାମଲା ରୁଜୁ ହୋଇଥିବା ମଧ୍ୟ ସୂଚନା ମିଳିଛି। କିନ୍ତୁ ଏହି ଚାରି ଜଣଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ସେମାନଙ୍କୁ ଥାନାକୁ ଡାକି ସମୟ ଦେଇ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି। ପୁଲିସର ଏହି ଆଭିମୁଖ୍ୟକୁ ନେଇ ଉଠିଛି ପ୍ରଶ୍ନ।

କାରଣ ଏହି ଚାରି ବ୍ୟବସାୟୀଙ୍କ ଭିତରେ ରହିଛନ୍ତି ବିନୋଦ ଅଗ୍ରୱାଲ। ତାଙ୍କ ପୁଅ ଜଣେ ବରିଷ୍ଠ ଆଇଏଏସ ଓ ସେ ରାଜ୍ୟ ସରକାରଙ୍କର ଏକ ଉଚ୍ଚପଦରେ ଅପସ୍ଥାପିତ। ବୋହୂ ମଧ୍ୟ ଜଣେ ପ୍ରାଶାସନିକ ଅଧିକାରୀ। ତେଣୁ ପୁଲିସ ଜାଣିଶୁଣି ମାମଲାକୁ କୋହଳ କରୁଛି ଓ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଛି ବୋଲି ଚର୍ଚ୍ଚା ହେଉଛି।

ଏ ନେଇ ବଲାଙ୍ଗୀର ଏସ୍‌ପି ନିତିନ କୁଶଲକରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, କଣ୍ଟାବାଞ୍ଜି ଚଢ଼ଉର ସବିଶେଷ ବିବରଣୀ ପ୍ରେସ୍‌ନୋଟ୍‌ ଜରିଆରେ ଦିଆଯିବ। ଏହି ଘଟଣାରେ ଜଣକୁ କୋର୍ଟଚାଲାଣ କରାଯାଇଥିବା ଓ ଅନ୍ୟମାନଙ୍କ ନାଁରେ କେବଳ ମାମଲା ରୁଜୁ କରାଯାଇଥିବା ନେଇ ପଚରାଯିବାରୁ ସେ କହିଛନ୍ତି, ସମସ୍ତଙ୍କୁ କୋର୍ଟଚାଲାଣ କରାଯିବା ଦରକାର ନାହିଁ। ସବୁ କଥା ସମାନ ନୁହଁ। ଯେଉଁ ବ୍ୟବସାୟୀଙ୍କ ବିରୋଧରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ତାହା ନିଆଯାଇଥିବା ଏସ୍‌ପି କହିଛନ୍ତି।

The post କଣ୍ଟାବାଞ୍ଜିରେ ଭେଜାଲ ସାମଗ୍ରୀ ଚଢ଼ଉ ଘଟଣା : ଆଇଏଏସ୍‌ଙ୍କ ବାପା ବୋଲି କୋହଳ? first appeared on Sambad.



from ଜିଲ୍ଲା – Sambad https://ift.tt/3nP6Oj3