
ଆନନ୍ଦପୁର : କୋଭିଡ କଟକଣା ସାମାନ୍ୟ କୋହଳ ହେବା ପରେ ଶୀତଋତୁରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ ଦର୍ଶନୀୟ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଜମୁଛି। ପର୍ଯ୍ୟଟନ ଋତୁରେ ଦରଗୁଡ଼ିଶିଳାର ମନୋଲୋଭା ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ବୈତରଣୀ ପାୱାର ପ୍ରୋଜେକ୍ଟ କାର୍ଯ୍ୟକ୍ଷମ ହେବାପରେ ଏଠାକାର ଜଳଭଣ୍ଡାରର ଜଳରାଶି ଦରଗୁଡ଼ିଶିଳାକୁ ନୂଆରୂପ ଦେଇଛି। ବିଦେଶାଗତ ପକ୍ଷୀଙ୍କ ସମାଗମ ସାଙ୍ଗକୁ ଏହି ସ୍ଥାନରେ ଏବେ ଭୋଜିଭାତର ଆସର ଜମୁଛି।
ଆନନ୍ଦପୁର ଉପଖଣ୍ଡର ଘସିପୁରାଠାରୁ ୨୦ ନମ୍ବର ଜାତୀୟ ରାଜପଥରେ ୧୮ କିମି ଓ କେନ୍ଦୁଝର ପାର୍ଶ୍ବରୁ ଘଟଗାଁରୁ ୧୫ କିମି ଗଲେ ପଡ଼ିବ କୋଳିମାଟି ପଞ୍ଚାୟତର କୁମଡ଼ ଛକ। ସେଠାରୁ ଜଙ୍ଗଲିଆ ରାସ୍ତାରେ ୧୬କିମି ଗଲେ ପଡ଼ିବ ଦରଗୁଡ଼ିଶିଳା। ଏଠାକାର ପ୍ରାକୃତିକ ପରିବେଶ ସାଙ୍ଗକୁ ନୀଳ ଜଳରାଶି ସ୍ଥାନୀୟ ତଥା ବାହାର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ବଣଭୋଜି ସାଙ୍ଗକୁ ବୈତରଣୀ ନଦୀରେ ଗାଧୋଇବା ପାଇଁ ଏଠାରେ ଲୋକଙ୍କ ଭିଡ଼ ଜମିଥାଏ। ଏହି ସ୍ଥାନର ପରିବେଶ ଅତ୍ୟନ୍ତ ଶୀତଳ ହୋଇଥିବାରୁ ଏହାକୁ ଆନନ୍ଦପୁରର କାଶ୍ମୀରଭାବେ ମଧ୍ୟ ବିବେଚନା କରାଯାଏ। ସିଂହନାଳୀରେ ୩୦୦କୋଟିରୁ ଊର୍ଦ୍ଧ୍ବ ଟଙ୍କାରେ ନିର୍ମାଣ ହୋଇଥିବା ବୈତରଣୀ ପାୱାର ପ୍ରୋଜେକ୍ଟ ଏବେ କାର୍ଯ୍ୟକ୍ଷମ ହୋଇଥିବାରୁ ଏଠାକୁ ଆସିବା ପାଇଁ ଆଗନ୍ତୁକଙ୍କ ମଧ୍ୟରେ ଆଗ୍ରହ ବଢ଼ୁଛି। ବିଦ୍ୟୁତ୍ ଉତ୍ପାଦନ ପାଇଁ ଗଚ୍ଛିତ ଥିବା ନୀଳ ଜଳରାଶି କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରୁଛି। ସେହିପରି ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳୁଛି।
The post ନୂଆ ରୂପରେ ଦରଗୁଡ଼ିଶିଳା, ବିଦେଶୀ ପକ୍ଷୀଙ୍କ କଳରବ first appeared on Sambad.
from ଜିଲ୍ଲା – Sambad https://ift.tt/38vei65
0 Comments