ଚୌଦ୍ୱାର : ଚୌଦ୍ୱାର ମୁଣ୍ତମାଳ ଗ୍ରାମରେ ଜଣେ ବ୍ୟକ୍ତି ଚିଟଫଣ୍ଡ୍ ଜରିଆରେ ଠକି ନେଇଛନ୍ତି କୋଟିଏରୁ ଅଧିକ ଟଙ୍କା। ଗଲା ୬ ବର୍ଷ ଧରି ସେ ଏଭଳି କାର୍ଯ୍ୟକଳାପ ଜରିଆରେ ଏହି ପରିମାଣର ଟଙ୍କା ଠ‌କି ନେଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ସଂପୃକ୍ତ ବ୍ୟକ୍ତି ବାଦାମ, ମଟର, ବାରମଜା ଇତ୍ୟାଦି ବିକ୍ରି କରିବା ସହ ଏକ ଚିଟଫଣ୍ତ ସଂସ୍ଥା ଚଳାଇ ଆସୁଥିଲେ। ଏକ ନିର୍ଦ୍ଦିଷ୍ଟ ଫଣ୍ଡ୍ ନାମରେ ସଂସ୍ଥା ଗଢ଼ି ବିଭିନ୍ନ ଲୋକଙ୍କଠାରୁ ମାସିକ ଦେୟ ସଂଗ୍ରହ କରୁଥିଲେ। ସେହି ଟଙ୍କାକୁ ସୁଧ ଲଗାଇ ସେ ନିଜେ ରୋଜଗାର କରୁଥିଲେ। ଏହି ଫଣ୍ତ ମାଧ୍ୟମରେ ସେ ପ୍ରାୟ ୨୦୦ରୁ ଅଧିକ ବ୍ୟବସାୟୀ, ସାଧାରଣ ଲୋକ, ଛୋଟବଡ଼ କୁଶଳୀ କାରିଗର, ଏସ୍‌ଏଚଜି ଗ୍ରୁପ୍ ଓ ଠିକାଦାରମାନଙ୍କ ଠାରୁ ଟଙ୍କା ସଂଗ୍ରହ କରୁଥିଲେ। କିନ୍ତୁ ଗଲା କିଛିଦିନ ହେଲା ସେ ଗାଁ ଛାଡି ପଳାଇଥିବା ଖବର ପାଇ ଟଙ୍କା ପାଇଁ ଆଜି ଶତାଧିକ ଲୋକ ଶଙ୍କରଙ୍କ ଘର ଆଗରେ ଜମା ହୋଇଥିଲେ। କିନ୍ତୁ ସେ ନିଜର ସ୍ତ୍ରୀ ଓ ପିଲାଙ୍କୁ ଶ୍ବଶୁର ଘର ଯାଜପୁରର କୁଆଖିଆ ଅଂଚଳରେ ଛାଡ଼ି କୁଆଡେ ପଳାଇ ଯାଇଥିବା ଜଣାପଡ଼ିଥିଲା। ସେ ଟଙ୍କା ଫେରସ୍ତ ବାବଦକୁ ବିଭିନ୍ନ ବ୍ୟବସାୟୀଙ୍କୁ ଚେକ୍ ଦେଇଥିବାବେଳେ ତାହା ବାଉନ୍ସ ହୋଇଥିବା ଜଣାପଡ଼ିଛି। ୨୦ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ଚେକ୍ ବାଉନ୍ସ ହୋଇଥିବା ଅଭିଯୋଗ ଆସିଛି। ଟଙ୍କା ହରାଇଥିବା ବହୁ ବ୍ୟକ୍ତି ଆଜି ଥାନାକୁ ଯାଇଥିଲେ ବି କୌଣସି ଲିଖିତ ଅଭିଯୋଗ କରି ନାହାନ୍ତି। ଚୌଦ୍ବାର ଥାନା ଅଧିକାରୀ ବିରଂଚି ନାରାୟଣ ପତି କହିବା ଅନୁଯାୟୀ ଏହି ଘଟଣା ସମ୍ପର୍କରେ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ଅଭିଯୋଗ ମିଳିଲା ‌ପରେ ଘଟଣାର ତଦନ୍ତ ହେବ।

The post ଚୌଦ୍ୱାରରେ ଚିଟ୍‌ଫଣ୍ଡ ଠକେଇ! କୋଟିଏରୁ ଅଧିକ ଟଙ୍କା ନେଇ ପାର୍ first appeared on Sambad.



from ଜିଲ୍ଲା – Sambad https://ift.tt/39U6xGs