
ଆଠଗଡ଼/ବାଙ୍କୀ: ଦୀର୍ଘ ୯ମାସରୁ ଅଧିକ ସମୟ ପରେ ଖୋଲୁଛି ଗୋଟିକ ପରେ ଗୋଟିଏ ମନ୍ଦିର, ମଠ। ଆଜି ଠାରୁ କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର ମନ୍ଦିର ଖୋଲୁଥିଲେ ବି ସର୍ବସାଧାରଣଙ୍କ ଦର୍ଶନ ପାଇଁ ଆସନ୍ତା ୧୧ତାରିଖରୁ ଅନୁମତି ମିଳିବ। ୮ ତାରିଖରେ ପୂଜକଙ୍କ ପରିବାର, ୯ ତାରିଖରେ ମଞ୍ଚେଶ୍ବର, ପାଇକରାପୁର, ଲିଙ୍ଗାପଦା, ପ୍ରସନ୍ନପୁର, ନୂଆଡ଼ିହ ଓ ବିଦ୍ୟାଧରପୁର ଗ୍ରାମବାସୀ, ୧୦ ତାରିଖରେ ବ୍ରହ୍ମଣବସ୍ତ, ସୋନିଆମୁହଁ ଗ୍ରାମବାସୀ ଓ ୧୧ ତାରିଖରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଅନୁମତି ରହିଛି। ସକାଳ ୬ଟାରୁ ସଂଧ୍ୟା ୭ ପର୍ଯ୍ୟନ୍ତ ମନ୍ଦିର ଖୋଲାଯିବ ବୋଲି ଜଣାଯାଇଛି।
ଗତ ବୁଧବାର ଆଠଗଡ ଉପ-ଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅତିରିକ୍ତ ତହସିଲଦାର ସୁଧାଂଶୁ ଶେଖର ସାହୁ, ଭାରପ୍ରାପ୍ତ ସୂଚନା-ଲୋକସଂପର୍କ ଅଧିକାରୀ ଶାରଦା ପ୍ରସାଦ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ପ୍ରଶାସନ ଦ୍ବାରା ଜାରି କରାଯାଇଥିବା ନିୟମାବଳୀକୁ ମାନି ଶ୍ରଦ୍ଧାଳୁମାନେ ଦର୍ଶନ କରିବେ। ଏକା ସାଙ୍ଗରେ ୫୦ ଜଣଙ୍କୁ ଛୋଟ ଛୋଟ ଭାଗରେ ବିଭକ୍ତ କରାଯାଇ ପ୍ରବେଶ କରାଇବା, ବିନା ମାସ୍କ୍ରେ ପ୍ରବେଶ ନିଷେଧ, ୬ ଫୁଟର ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯିବା ସହ ମନ୍ଦିର ମଧ୍ୟରେ ଭୋଜି ଉତ୍ସବ ଓ ଜନସମାଗମକୁ ବାରଣ କରାଯାଇଛି। ତହସିଲଦାର, ବିଡିଓ ଓ ପୁଲିସ ନିଜ ନିଜ ଅଞ୍ଚଳରେ ଥିବା ଧର୍ମାନୁଷ୍ଠାନକୁ ବାରମ୍ବାର ପରିଦର୍ଶନ କରି ତଦାରଖ କରିବାକୁ ନିର୍ଦ୍ଦେଶ ରହିଛି।
ରାଜ୍ୟରେ କୋଭିଡ କଟକଣା ଯୋଗୁଁ ଦୀର୍ଘ ୯ମାସ ଧରି ମା’ଚର୍ଚ୍ଚିକାଙ୍କ ପୀଠ ସାଧାରଣ ଜନତା ଓ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ଥିବାବେଳେ ଆଜି ଠାରୁ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିଛି। କଟକ ଜିଲ୍ଲାପାଳଙ୍କ ପକ୍ଷରୁ କୋଭିଡ-୧୯ କଟକଣା ମଧ୍ୟରେ ଜିଲ୍ଲାର ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ମନ୍ଦିର ପରିଚାଳନା କମିଟିର ସଦସ୍ୟମାନଙ୍କ ସହ ଏ ନେଇ ଆଲୋଚନା କରିଥିଲେ। ତେବେ କଟକଣା ମଧ୍ୟରେ ଖୋଲିବାକୁ ଥିବା ମନ୍ଦିରକୁ ଶିଶୁ, ୬୫ରୁ ଅଧିକ ବୟସର ଲୋକ ଓ ଅସୁସ୍ଥ ବ୍ୟକ୍ତିଙ୍କ ପ୍ରବେଶ ଉପରେ ନିଷେଧାଦେଶ ଜାରି କରାଯାଇଛି।
ସେହିପରି ଏକକାଳୀନ ସର୍ବାଧିକ ୫୦ ଜଣ ଶ୍ରଦ୍ଧାଳୁ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ଓ ସମସ୍ତଙ୍କ ମଧ୍ୟରେ ସାମାଜିକ ଦୂରତା ଅବଲମ୍ବନ କରାଇବା ନେଇ ଉପଜିଲ୍ଲାପାଳ ଶ୍ରୀ ଜେନା ଗୁରୁତ୍ବ ଆରୋପ କରିଥିଲେ। ବିନା ମାସ୍କ୍ରେ ମନ୍ଦିର ମଧ୍ୟକୁ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ମନ୍ଦିର ପରିଚାଳନା କମିଟିର ଉପସଭାପତି ସନ୍ତୋଷ କୁମାର ରଣା ଜଣାଇଛନ୍ତି।
The post ଧବଳେଶ୍ବର ଦର୍ଶନ ୧୧ରୁ; ଆଜି ଠାରୁ ଖୋଲିଲା ଧବଳେଶ୍ବର ଏବଂ ମା’ ଚର୍ଚ୍ଚିକାଙ୍କ ପୀଠ first appeared on Sambad.
from ଜିଲ୍ଲା – Sambad https://ift.tt/3njuXOo
0 Comments