ଗଞ୍ଜାମ: କୋଭିଡ୍‌-୧୯ ମହାମାରୀ କାରଣରୁ ପ୍ରାୟ ଦଶ ମାସ ଧରି ବନ୍ଦ ରହିଥିବା ପ୍ରସିଦ୍ଧ ଶକ୍ତିପୀଠ ତଥା ଗଞ୍ଜାମର ଆରାଧ୍ୟ ଦେବୀ ମାଆ ତାରାତାରିଣୀଙ୍କର ମନ୍ଦିର ରବିବାର ସକାଳୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲାଯାଇଛି।

ଆଜି ପାହାନ୍ତା ୪.୩୦ରେ ମନ୍ଦିରର ଦ୍ୱାରାଫିଟା ନୀତି ଅନୁଷ୍ଠିତ ହେବା ପରେ ମଙ୍ଗଳ ଆଳତି, ମାର୍ଜନା, ସିଂହାର ଓ ପହିଲି ଭୋଗ ଆଦି ନୀତି ସମ୍ପନ୍ନ ହୋଇଥିଲା।

ସକାଳ ୬.୧୫ରେ ବେଳେ ମାଆଙ୍କର ମହାଆଳତି ଶେଷ ହେବା ପରେ ସାହାଣମେଲା ଆରମ୍ଭ ହୋଇଛି। ଦର୍ଶନାର୍ଥୀ ତଥା ଭକ୍ତମାନେ ଧାଡ଼ିରେ ଦେବୀ ଦର୍ଶନ ନିମନ୍ତେ ଧାଡ଼ି ବାନ୍ଧିଛନ୍ତି। କୋଭିଡ୍‌-୧୯ କଟକଣା ଯୋଗୁଁ ମନ୍ଦିରର ଗର୍ଭଗୃହ ବାରଣ କରାଯାଇଥିବାରୁ ଦର୍ଶନାର୍ଥୀମାନେ ଜଗମୋହନରେ ରହି ଦର୍ଶନ କରୁଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ ୩୦୦ ଜନତା ଦେବୀଙ୍କୁ ଦର୍ଶନ କରିଥିବା ପ୍ରକାଶ।

ଦେବୀ ଦର୍ଶନ ନିମନ୍ତେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କୁ ଅନୁମତି ମିଳିବ ବୋଲି ଜିଲ୍ଲା ପ୍ରଶାସନ ଘୋଷଣା କରିଛି।
ପାହାଡ଼ ଶିଖରରେ ଅବସ୍ଥିତ ଏହି ମନ୍ଦିର ନିକଟକୁ ଯାନବାହନ ନେଇ ଯିବା ନିଷେଧ ହୋଇଥିବାରୁ ଦର୍ଶନାର୍ଥୀମାନେ ପାହଚ ଦେଇ ଚାଲି ଚାଲି ଯାଉଛନ୍ତି।

ଏହାଛଡ଼ା, ପ୍ରଥମ କରି ଆଜି ଠାରୁ ତଳୁ ମନ୍ଦିର ପର୍ଯ୍ୟନ୍ତ ଯିବା ଲାଗି ସ୍ୱତନ୍ତ୍ର ବସ୍‌ ଚଳାଚଳ ଆରମ୍ଭ କରାଯାଇଛି। ବସ୍‌ରେ ଯିବା ଆସିବା ନିମନ୍ତେ ୩୦ ଟଙ୍କା ଦର ଧାର୍ଯ୍ୟ କରାଯାଇଛି।

ଆଜି ପ୍ରଥମ ଦିନରେ ଦର୍ଶନାର୍ଥୀ ତଥା ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦର ବନ୍ଦୋବସ୍ତ କରାଯାଇଛି। ସେମାନେ ଖେଚୁଡ଼ି ପ୍ରସାଦ ପୁଡ଼ିଆ କିଣି ନେଇ ପାରିବେ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ମାର୍ଚ ୧୦ ତାରିଖରେ ଗଞ୍ଜାମ ଜିଲ୍ଲାରେ ସର୍ବପ୍ରଥମେ କୋଭିଡ୍‌-୧୯ ମହାମାରୀଜନିତ କଟକଣା ଜାରି କରାଯିବା ସହ ତାରାତାରିଣୀ ମନ୍ଦିରକୁ ବନ୍ଦ ରଖାଯାଇଥିଲା। ଫଳରେ ଚୈତ୍ର ମାସରେ ପଡୁଥିବା ୪ ମଙ୍ଗଳବାରେ ହେଉଥିବା ଦେବୀଙ୍କର ପ୍ରସିଦ୍ଧ ଚୈତ୍ରଯାତ୍ରା ମଧ୍ୟ ବନ୍ଦ ହୋଇଥିଲା।

The post ଆଜିଠୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲିଲା ଗଞ୍ଜାମର ତାରାତାରିଣୀ ମନ୍ଦିର first appeared on Sambad.



from ଜିଲ୍ଲା – Sambad https://ift.tt/3hEEK0o