
ଜୟପୁର: ଉଚ୍ଚଶିକ୍ଷା ଲାଭ କରି ବେଙ୍ଗାଲୁରୁ ଓ ଦୁବାଇରେ ଚାକିରି କରୁଥିବା ୨ଜଣ ଯୁବକ ନିଜ ମା’ ମାଟି ଓ ଗୋମାତାର ସେବା କରିବା ନିଶାରେ ଚାକିରି ଛାଡ଼ି ଏବେ ଜୟପୁର ମୁହାଁ। ଡାଏରୀ ଫାର୍ମ କରି ଅନ୍ୟଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିଛନ୍ତି ଦୁଇବନ୍ଧୁ। ସୂଦୁର ବାଙ୍ଗାଲୁୁରୁରେ ରହି ସୁଦ୍ଧା ଏମାନଙ୍କୁ ସହଯୋଗ କରି ଆସୁଛନ୍ତି ଆଉ ଜଣେ ବନ୍ଧୁ। କୋରାପୁଟ ଜିଲ୍ଲାର ଏହି ଦୁଇ ଉଚ୍ଚଶିକ୍ଷିତ ଯୁବକ ବଡ଼ ଚାକିରି, ସମ୍ମାନ, ବଡ ସହରରେ ରହିବା ନିଶା ଛାଡ଼ି କିଛି ଟଙ୍କା ଆୟ କରି ଅନ୍ୟଙ୍କୁ ରୋଜଗାରକ୍ଷମ କରାଇବା ନିଜ ଜିଲ୍ଲା, ଜନ୍ମମାଟିର ସେବା କରିବା ନିଶାରେ ଆଗକୁ ବଢ଼ୁଛନ୍ତି। ଜଣେ ଗାଈକୁ ଚାରା ଦେଉଛନ୍ତି ତ ଅନ୍ୟ ଜଣେ ମେସିନ ସହାୟତାରେ ଗାଈ କ୍ଷୀର ସଂଗ୍ରହ କରିବା ଏବଂ ସେବା ଓ ଦେଖା ରଖା କରିବା କାମ କରୁଛନ୍ତି। ଏମାନେ ସାମାନ୍ୟ ଦୁଗ୍ଧ ଚାଷୀ ନୁହଁନ୍ତି। ଜଣେ ବେଙ୍ଗାଲୁରୁ ସିସ୍କୋ, ମାକେପି କମ୍ପାନିରେ କାମ କରି ସମ୍ପ୍ରତ୍ତି ଇଣ୍ଟେଲ କମ୍ପ୍ୟୁଟର କମ୍ପାନିର ପ୍ରୋଜେକ୍ଟ ମ୍ୟାନଜର ଚାକିରୀ ଛାଡି ଆସିଥିବା ଉଚ୍ଚଶିକ୍ଷିତ ଗୁପ୍ତେଶ୍ବର ଶତପଥୀ। ଅନ୍ୟ ଜଣେ ହେଲେ ତାଙ୍କ ବନ୍ଧୁ ରାଜୀବ ପଟ୍ଟନାୟକ।
ଦୁବାଇ ମେରାଇନରେ ପ୍ରଥମ ଡେକ୍ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ତୃତୀୟ ସହଯୋଗୀ ବସନ୍ତ ମହାରାଣା ଏବେ ବି ବେଙ୍ଗାଲୁରୁରେ କାମ କରିବା ସହ ଏହି ଦୁହେଁଙ୍କୁ ସମସ୍ତ ରକମର ଅନୁସଙ୍ଗିକ ସହଯୋଗ ଯୋଗାଇ ଆସୁଛନ୍ତି ତିନି ଜଣ ଯାକ ସ୍ଥାନୀୟ ବିକ୍ରମଦେବ ମହାବିଦ୍ୟାଳୟରେ ପାଠ ପଡ଼ିବା ପରେ ଉଚ୍ଚଶିକ୍ଷା ପାଇଁ ବାହାରକୁ ଯାଇଥିଲେ। ତେବେ ନିଜ ଜନ୍ମମାଟିର ମୋହ ଓ ଗୋସେବା ପ୍ରତି ପ୍ରେମରେ ଗତ ୨୦୧୭ ମସିହାରେ ହିଁ ଗୁପ୍ତେଶ୍ବରରେ ଏଭଳି ଏକ ପ୍ରକଳ୍ପ କରିବାକୁ ମନୋନିବେଶ କରିଥିଲେ। ୨୦୧୮ରେ ଏହି ଡାଏରୀ ଫାର୍ମ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ରାଜୀବ ତାଙ୍କ ସହ ମିଶିଥିଲେ। ଉଭୟ ନିଜନିଜ ବଡ଼ ଚାକିରୀ ଛାଡି ଜୟପୁର ପଳାଇ ଆସିଥିଲେ।
ଜୟପୁର ବ୍ଲକର ଡିମଳା ଗ୍ରାମ ନିକଟରେ ଜର୍ସି ଓ ହଲେଷ୍ଟିଏନ ୪୦ଟି ଗାଈ ରଖି ‘ଜୟ ପ୍ୟୁରି’ (ଖୁସି ଶୁଦ୍ଧ) ଡାଏରୀ ଫାର୍ମ ଆରମ୍ଭ କରିଥିଲେ। ଏଠାରେ ଅତ୍ୟାଧୁନିକ ଯନ୍ତ୍ରପାତି ମାଧ୍ୟମରେ କ୍ଷୀର ସଂଗ୍ରହ କରାଯାଉଛି। ପ୍ରତିଦିନ ୩୦୦ ଲିଟର କ୍ଷୀର ଗାଈ ଗୁଡିକ ଦେଉଛନ୍ତି। ଏଥିରୁ ପ୍ରାୟ ୧୫୦ ଲିଟର ଘରକୁ ଘର ବୁଲି ବିକ୍ରୀ କରାଯାଉଛି। ଏହା ବାଦେ ବଳକା କ୍ଷୀରରୁ ଘିଅ, ପନିର, ଖୁଆ, କ୍ଷୀର ଜାତ ଦ୍ରବ୍ୟ ଆଦି ବଜାର ଚାହିଦା, ଅଗ୍ରୀମ ଆଦିକୁ ଦୃଷ୍ଟିରେ ରଖି ବି ପ୍ରସ୍ତୁତ କରାଯାଉଛି। ଗାଈ ଗୁଡ଼ିକୁ ସବୁ ବେଳେ ପିଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣିର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗାଈ ଠାରୁ ବାଛୁରୀକୁ ଅଲଗାରେ ରଖାଯାଉଛି।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ତଥା ଚାପ ମୁକ୍ତ କରିବା ପାଇଁ ଏହାରି ମ୍ୟୁଜିକ୍ ଥେରାପି ଦିଆଯାଉଛି। ଏହାରି ପରିସରରରେ ଲଗାଯାଉଛି ସଂଗୀତ ଓ ମହାମୃତ୍ୟୁଞ୍ଜୟ, ହନୁମାନ ଚାଳିଶା, ଗାୟତ୍ରୀମନ୍ତ୍ରୀ ଆଦି ବାଦ୍ୟ ଯନ୍ତ୍ରର ମୁର୍ଚ୍ଚନା। ଗୋଟିଏ ଗୋଟିଏ ଗାଈର ମୂଲ୍ୟ ଲକ୍ଷାଧିକ। ପ୍ରାୟ କୋଟିଏ ୩୦ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି। ଡାଏରୀ ଫାର୍ମ ପରିସରରେ ରହିଛି ବିରାଟ ଖୋଲା ପଡ଼ିଆ। ପଡ଼ିଆରେ କିଛି ଗାଇଙ୍କୁ ଆରମରେ କିଛି ସମୟ ବୁଲିବାକୁ ଛାଡିବା ସହ ଆଉ କିଛି ଗାଈଙ୍କୁ ଫାର୍ମ ଘର ମଧ୍ୟରେ ବାନ୍ଧିକି ରଖାଯିବା ସହ ମ୍ୟୁଜିକ୍ ଥେରାଫି ଦିଆଯାଉଛି। ଏହା ଦ୍ବାରା ଗାଈ ମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ କ୍ଷୀର ବି ଅଧିକା ୫ପ୍ରତିଶତ ମିଳୁଛି ବୋଲି କହିଛନ୍ତି ଗୁପ୍ତେଶ୍ବର ଓରାଜୀବ। ପ୍ରତ୍ୟେକ ଦିନ ଗାଈ ମାନଙ୍କ ଠାରୁ ମେସିନ୍ ଜରିଆରେ କ୍ଷୀର ସଂଗ୍ରହ କରାଯିବା ପରେ ଏହାକୁ ପ୍ୟାକେଟ୍ କରି ସହରକୁ ବିକ୍ରୀ କରିବାକୁ ବି ପଠାଯାଉଛି। ମା’, ମାଟିର ମମତା, ନିଜ ଅଂଚଳରେ କିଛି କରିବା ଲକ୍ଷ୍ୟ ନେଇ ଏହି ଡାୟରୀ ଫାର୍ମ ଆରମ୍ଭ କରିଛୁ। ଏବେ ୨୦ଜଣ କର୍ମ ସଂସ୍ଥାନ ପାଇଛନ୍ତି। ସେଭଳି ବର୍ଷକୁ ୫୦ଲକ୍ଷ ଟଙ୍କାର କାରବାର ଏବେ ଚାଳିଛି। ଆଗାମୀ ଦିନରେ ଏହି ପ୍ରକଳ୍ପକୁ ବୃଦ୍ଧି କରାଯିବା ଲକ୍ଷ୍ୟ ରହିଛି ବୋଲି ଉଭୟ କହିଛନ୍ତି। ନିଶ୍ଚିତ ରୁପେ ସରକାରୀ କର୍ମସଂସ୍ଥାନ ପଛରେ ଧାଉଁଥିବା ଆଜିକାର ଶିକ୍ଷିତ ଯୁବବର୍ଗ ଏମାନଙ୍କ ଠାରୁ କିଛି ଶିଖିବାର ନିଶ୍ଚିତ ରୁପେ ରହିଛି ଏଥିରେ ଦ୍ବିମତ ନାହିଁ।
The post ଗୋମାତା ସେବା ନିଶାରେ ଚାକିରି ଛାଡ଼ିଲେ ଦୁଇବନ୍ଧୁ; ଡାଏରୀ ଫାର୍ମ କରି ନିଜେ ଆତ୍ମନିର୍ଭର ହେବା ସହ ୨୦ଜଣଙ୍କୁ ଦେଲେ ନିଯୁକ୍ତି first appeared on Sambad.
from ଜିଲ୍ଲା – Sambad https://ift.tt/3j3IQzI
0 Comments