କଟକ : କୋଭିଡ ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାରେ ଥିବା ଡାକ୍ତରଖାନାରେ ନିଯୁକ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଚାକିରିରୁ ଅନ୍ତର ନିଷ୍ପତ୍ତିକୁ ଚାଲେଞ୍ଜ କରି ଦାୟର ମାମଲାରେ ଜବାବ ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାନୁଆରି ୨୫ ତାରିଖ ଭିତରେ ସରକାର ଏହି ମାମଲାରେ ଜବାବ ରଖିବେ ଓ ଏହାପରେ ଆବେଦନକାରୀ ପ୍ରତି ଜବାବ ଦାଖଲ କରିବେ। ଜାନୁଆରି ୨୮ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସ.ଏନ.ମିଶ୍ର ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ ୨୦୨୦, ଡିସେମ୍ବର ୩୦ରେ ମାମଲାର ଶୁଣାଣି କରି କୋଭିଡ ମୁକାବିଲା ପାଇଁ ନିୟୋଜିତ କର୍ମଚାରୀଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କ କାର୍ଯ୍ୟକାଳ ବୃଦ୍ଧି ସମୟରେ ପ୍ରଥମେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ବ୍ୟକ୍ତି ପ୍ରଥମେ ନିଯୁକ୍ତି ପାଇଥିବେ ତାଙ୍କୁ ରଖାଯିବା ପ୍ରସଂଗକୁ ବିଚାର ନିଆଯିବା ଉଚିତ ବୋଲି ହାଇକୋର୍ଟ କହିଥିଲେ। କୋଭିଡ ମୁକାବିଲା ପାଇଁ ନିୟୋଜିତ କର୍ମଚାରୀଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କୁ ରଖିବା ପ୍ରସଂଗରେ ବିଚାର କରିବା ବେଳେ ସବୁ ଜିଲ୍ଲାର ଜିଲ୍ଲାପାଳ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଓ ସ୍ବାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ବରେ ଜିଲ୍ଲା ପ୍ରଶାସନ ପ୍ରଥମେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଦେବେ। ଯଦି ଦୁଇ ଜଣ କର୍ମଚାରୀ ସମାନ ଅବସ୍ଥାରେ ରୁହନ୍ତି ତେବେ ମେଧା ତାଲିକାର ଉପର ସ୍ଥାନରେ ଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯିବ ବୋଲି ହାଇକୋର୍ଟ ଡିସେମ୍ବର ୩୦ରେ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ ମାମଲା ପରିଚାଳନା କରୁଛନ୍ତି।

The post କୋଭିଡ୍ ପାଇଁ ନିଯୁକ୍ତ ଠିକା କର୍ମଚାରୀଙ୍କୁ ଛଟେଇ ମାମଲା : ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମାକୁ ହାଇକୋର୍ଟରେ ଚାଲେଞ୍ଜ, ଜବାବ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ first appeared on Sambad.



from ଜିଲ୍ଲା – Sambad https://ift.tt/2XgOdBp