ରାୟଗଡ଼ା, (ନବୀନ ଚନ୍ଦ୍ର ସାହୁ) : ପିଲାଟି ଦିନରୁ ଦୁଃଖକୁ ଅତି ନିକଟରୁ ଦେଖିଛନ୍ତି। ବହୁ ଘାତପ୍ରତିଘାତ ସତ୍ତ୍ବେ କେବେ ପଛକୁ ଫେରି ନାହାନ୍ତି। ଆଗକୁ ବଢ଼ି ଚାଲିବାର ଇଚ୍ଛାଶକ୍ତି ଆଜି କୁମାରୀ ପାଲକାଙ୍କୁ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଦେଇଛି ସ୍ବତନ୍ତ୍ର ପରିଚୟ। ଆଦିବାସୀ ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ଦୀର୍ଘ ୧୬ବର୍ଷ ଧରି ସଂଘର୍ଷ ଜାରି ରଖିଥିବା କୁମାରୀ ୫ଟି ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ୫୦ ନିରକ୍ଷର ମହିଳାଙ୍କୁ ସ୍ବାବଲମ୍ବୀ କରିବାରେ ନେଇଛନ୍ତି ପ୍ରମୁଖ ଭୂମିକା। ଏଥିସହ ଆଦିବାସୀ ଇଲାକାରେ ସଚେତନତା ମାଧ୍ୟମରେ ବାଲ୍ୟ ବିବାହ ରୋକିବା, ଗାଁ ପରିବେଶକୁ ନିର୍ମଳ ରଖିବା ଲାଗି ଚାଲିଥିବା ସ୍ବଚ୍ଛ ଭାରତ ଅଭିଯାନର ବାର୍ତ୍ତାବହ ପାଲଟିଛନ୍ତି।

ରାୟଗଡ଼ା ବ୍ଲକ୍ ପିତାମହଲ ପଞ୍ଚାୟତ କନ୍ଧଖିଲମ୍ ଗ୍ରାମର କୁମାରୀ ପାଲକା। ୨୦୦୫ ମସିହାରେ ଗାଁର ୧୦ ମହିଳାଙ୍କୁ ନେଇ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ତା’ରି ମାଧ୍ୟମରେ ଝାଡ଼ୁ ତିଆରି କରି ବଜାରରେ ବିକ୍ରି ପାଇଁ ନିଷ୍ପତ୍ତି ନେଇଥିଲେ। ୧୦ ମହିଳା ଗାଁ ନିକଟ ପାହାଡ଼ରୁ କଞ୍ଚାମାଲ ବୋହି ଆଣି ଶୁଖାଇବା ପରେ ଝାଡ଼ୁ ପ୍ରସ୍ତୁତ କରି ବିକ୍ରି ଆରମ୍ଭ କରିଥିଲେ। ଧୀରେଧୀରେ ଝାଡ଼ୁର ଚାହିଦା ବଢ଼ିବା ସହ ମହିଳା ଲାଭବାନ୍ ହେବାପରେ ସରକାରଙ୍କ ପକ୍ଷରୁ ବ୍ୟାଙ୍କ ଜରିଆରେ ୪୨ ହଜାର ଟଙ୍କାର ଋଣ ପ୍ରଦାନ କରାଯାଇଥିଲା। ଯାହା ଏବେ ୩.୫୦ ଲକ୍ଷରେ ପହଞ୍ଚିଲାଣି। ଇତିମଧ୍ୟରେ ୧୫ ବର୍ଷ ବିତି ଯାଇଥିବାବେଳେ ୧୦ ମହିଳାଙ୍କୁ ନେଇ ଆରମ୍ଭ ହୋଇଥିବା ଗୋଷ୍ଠୀ ଆଉ ୪ଟି ନୂତନ ଗୋଷ୍ଠୀ ଗଠନରେ ସହାୟକ ହୋଇଛି। ଯାହାର ନେତୃତ୍ବ ନେଇଛନ୍ତି କୁମାରୀ। ସଂଗଠନ ବଢ଼ିବା ସହ ଅଧିକ ମହିଳା ସାମିଲ୍ ହେବା ପରେ ଝାଡ଼ୁ ଓ ସିଲେଇ ତାଲିମ୍ ପାଇଁ କୁମାରୀ ପ୍ରଶାସନ ସହାୟତାରେ ୫ ଲକ୍ଷ ବ୍ୟୟରେ ପିତାମହଲରେ ଏକ ତାଲିମ୍ କେନ୍ଦ୍ର ଗଠନ କରିଛନ୍ତି। ଯାହା ଅଧିକ ମହିଳାଙ୍କୁ ସ୍ବାବଲମ୍ବୀ କରିବା ସହ ଏଠାରୁ ପ୍ରସ୍ତୁତ ସାମଗ୍ରୀ ରାଜ୍ୟ ଓ ଜାତୀୟ ସ୍ତରରେ ପଲ୍ଲୀଶ୍ରୀ ମେଳାରେ ଆକର୍ଷଣ ପାଲଟିଛି। ସଂଗଠନରେ ଥିବା ମହିଳାଙ୍କ ମାସିକ ସର୍ବନିମ୍ନ ଆୟ ୪ରୁ ୫ ହଜାର ଥିବାବେଳେ ପ୍ରତି ଗୋଷ୍ଠୀର ବାର୍ଷିକ ବିକ୍ରି ୪.୫ ଲକ୍ଷ ଏବଂ ବାର୍ଷିକ ଲାଭ ୩ ଲକ୍ଷ ଟଙ୍କାରେ ପହଞ୍ଚିଛି।

୨୦୨୦ ପଲ୍ଲୀଶ୍ରୀ ମେଳାରେ କୁମାରୀଙ୍କ ମା ଅଗ୍ନିଗାଙ୍ଗମା ସ୍ବୟଂସହାୟକ ଗୋଷ୍ଠୀର ଭଲ ପ୍ରଦର୍ଶନ ଲାଗି ମିସନ୍ ଶକ୍ତି କମିସନର ସୁଜାତା କାର୍ତ୍ତିକେୟନ୍‌ କୁମାରୀଙ୍କୁ ପୁରସ୍କୃତ କରିଥିଲେ। ଏଥିସହିତ କଳାହାଣ୍ଡି ପଲ୍ଲୀଶ୍ରୀ ମେଳାରେ ୫ ଦିନରେ ୮ଲକ୍ଷ ଟଙ୍କାର ଝାଡ଼ୁ ବିକ୍ରି କରି ସମସ୍ତଙ୍କୁ ଚକିତ କରିଥିଲେ କୁମାରୀ।

ସେହିପରି ଆଦିବାସୀ ଅଧ୍ୟୁଷିତ ପିତାମହଲ, ଜଗନ୍ନାଥପୁର, ଗୌଡ଼ଖିଲମ୍, କନ୍ଧଖିଲମ୍ ଭଳି ଗ୍ରାମରେ ବାଲ୍ୟ ବିବାହ ରୋକିବା କ୍ଷେତ୍ରରେ କୁମାରୀ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ୨୦୧୮ରେ ଜଗନ୍ନାଥପୁର ଗ୍ରାମରେ ବାଲ୍ୟବିବାହ ରୋକିବାକୁ ଯାଇ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ କୁମାରୀ। ତଥାପି ଏ ଦିଗରେ ଉଦ୍ୟମ ଜାରି ରଖିଛନ୍ତି।

The post ୫ ସଙ୍ଗଠନ ପାଇଁ ପ୍ରେରଣାର ଉତ୍ସ କୁମାରୀ : ୫୦ ନିରକ୍ଷର ମହିଳାଙ୍କୁ କରାଇଛନ୍ତି ସ୍ବାବଲମ୍ବୀ first appeared on Sambad.



from ଜିଲ୍ଲା – Sambad https://ift.tt/2YovZ1i