ନୟାଗଡ଼ : ପରୀ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ନାବାଳକ ବ୍ରେନ୍‌ ମ୍ୟାପିଂ ପାଇଁ ରାଜି ହେଉନାହିଁ। ଏହାପୂର୍ବରୁ ନାର୍କୋ ଆନାଲିସିସ୍‌ ଟେଷ୍ଟ ପାଇଁ ବି ଅଭିଯୁକ୍ତ ମନା କରିଦେଇଥିଲା। ତେବେ ପ୍ରମାଣ ଯୋଗାଡ଼ କରିବା ପାଇଁ ଏସ୍‌ଆଇଟି ଆଉ ଏକ ସୁଯୋଗକୁ ହାତଛଡ଼ା କରିନାହିଁ। ଅଭିଯୁକ୍ତର ଏଲ୍‌ଭିଆଇ (ଲେୟାର୍ଡ ଭଏସ୍‌ ଆନାଲିସିସ୍‌) ପରୀକ୍ଷା ପାଇଁ ଆବେଦନ କରିଛି। ସ୍ଥାନୀୟ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ (ଜେଜେବି) ଆସନ୍ତା ୨୦ ତାରିଖରେ ଏହା ଉପରେ ଶୁଣାଣି କରିବେ।

ଆଜି ଅଭିଯୁକ୍ତକୁ ଜେଜେବିରେ ହାଜର କରାଯାଇଥିଲା। ଗତ ୮ ତାରିଖରେ ଅଭିଯୁକ୍ତର ବ୍ରେନ୍‌ ମ୍ୟାପିଂ ପାଇଁ ଏସ୍‌ଆଇଟି କରିଥିବା ଆବେଦନ ଉପରେ ଜେଜେବି ଶୁଣାଣି କରିଥିଲେ। ବ୍ରେନ୍‌ ମ୍ୟାପିଂ ନେଇ ଅଭିଯୁକ୍ତର ସହମତି ଆବଶ୍ୟକ, କିନ୍ତୁ ଅଭିଯୁକ୍ତ ଏ ନେଇ ରାଜି ହୋଇନଥିଲା। ଏପରିକି ଲିଖିତ ଭାବେ ଅଭିଯୁକ୍ତ ବ୍ରେନ୍‌ ମ୍ୟାପିଂ ପାଇଁ ମନା କରିଥିବା ସରକାରୀ ଓକିଲ ବଳଭଦ୍ର ମହାନ୍ତି କହିଛନ୍ତି। ଏଭଳି ସ୍ଥିତିରେ ଅଭିଯୁକ୍ତର ଲେୟାର୍ଡ ଭଏସ୍‌ ଆନାଲିସିସ୍‌ (ଏଲ୍‌ଭିଏ) ପରୀକ୍ଷା ପାଇଁ ଏସ୍‌ଆଇଟି ଆବେଦନ କରିଛି।

ନା‌ର୍କୋ ଆନାଲିସିସ୍‌ ଟେଷ୍ଟରେ ଅଭିଯୁକ୍ତକୁ ନିଶା ଦିଆଯାଇ ପରୀକ୍ଷା କରାଯାଉଥିବା ବେଳେ, ବ୍ରେନ୍‌ ମ୍ୟାପିଂରେ ‌ତା’ ଦେହ‌ରେ ବିଭିନ୍ନ ଯନ୍ତ୍ରପାତି ଲାଗିଥାଏ। ତେଣୁ ଜୀବନ ପ୍ରତି ଆଶଙ୍କା ନେଇ ଜଣେ ଏଥିପ୍ରତି ଅସହମତି ପ୍ରକାଶ କରିବାର ଆଇନରେ ସୁବିଧା ରହିଛି। ଯାହା ପରୀ ମାମଲାରେ ଅଭିଯୁକ୍ତ କରିଛି। ସରକାରୀ ଓକିଲ ଶ୍ରୀ ମହାନ୍ତିଙ୍କ କହିବା ଅନୁଯାୟୀ, ଏଲ୍‌ଭିଏରେ ଅଭିଯୁକ୍ତ ଦେହରେ କୌଣସି ଯନ୍ତ୍ରପାତି ଲଗାଯାଏ ନାହିଁ। କେବଳ ତା’ର ଭଏସ୍‌ ରେକର୍ଡିଂ କରାଯାଏ। ଯେଉଁଥି‌ରେ ସେ ମିଛ କହିଲେ ତାହା ଜଣାପଡ଼ିବ। ତେଣୁ ଏସ୍‌ଆଇଟି ଏଥିନେଇ ଆବେଦନ କରିଥିଲା। ଜେଜେବି ଏହା ଉପରେ କି ରାୟ ଦେଉଛନ୍ତି, ତାକୁ ଅପେକ୍ଷା କରାଯାଇଛି। ଏଲ୍‌ଭିଏର ଶୁଣାଣି ଆସନ୍ତା ୨୦ ତାରିଖରେ ହେବ।

The post ପରୀ ହତ୍ୟା ମାମଲା : ବ୍ରେନ୍‌ ମ୍ୟାପିଂ ପାଇଁ ଅଭିଯୁକ୍ତ ନାରାଜ୍‌ first appeared on Sambad.



from ଜିଲ୍ଲା – Sambad https://ift.tt/39ysqen