ଜଗତସିଂହପୁର : ଓଡ଼ିଆ ପୁଅ ଚଣ୍ଡୀପ୍ରସାଦ ମହାନ୍ତି ହେବାକୁ ଯାଉଛନ୍ତି ସେନା ବାହିନୀର ଉପମୁଖ୍ୟ। ଏହା ସାରାରାଜ୍ୟ ପାଇଁ ଖୁସି ଆଣି ଦେଇଥିବାବେଳେ ଏହାକୁ ନେଇ ସବୁଠୁ ଅଧିକ ଗର୍ବ ଅନୁଭବ କରୁଛନ୍ତି ଜଗତସିଂହପୁର ଜିଲ୍ଲା ବାସିନ୍ଦା। ଶ୍ରୀ ମହାନ୍ତିଙ୍କ ଘର ଜଗତସିଂହପୁର ଜୟବଡ଼ ଗ୍ରାମରେ। ନୂଆ ନିଯୁକ୍ତି ସଂପର୍କରେ ଗଣମାଧ୍ୟମରେ ପ୍ରଚାର ହେବା ପରେ ଗ୍ରାମରେ ମିଠା ବାଣ୍ଟି ଖୁସି ବ୍ୟକ୍ତ କରିଛନ୍ତି ଗ୍ରାମବାସୀ।

ଚଣ୍ଡୀପ୍ରସାଦ ମହାନ୍ତିଙ୍କ ବାପା ଜିତେନ୍ଦ୍ର କିଶୋର ମହାନ୍ତି ଜଣେ ଅବସରପ୍ରାପ୍ତ ସବ୍‌ରେଜିଷ୍ଟ୍ରାର। ମା ସାରଦା ମହାନ୍ତି ୩ ବର୍ଷ ପୂର୍ବରୁ ପ୍ରାଣ ହରାଇଛନ୍ତି। ଜିତେନ୍ଦ୍ର ଏବେ କଟକର ଝାଞ୍ଜିରୀମଙ୍ଗଳାରେ ରହିଛନ୍ତି। ୩ ଭାଇଙ୍କ ମଧ୍ୟରେ ଚଣ୍ଡୀ ପ୍ରସାଦ ମଝିଆ। ତାଙ୍କ ବାଲ୍ୟ ଶିକ୍ଷା ସ୍ଥାନୀୟ ପ୍ରାକ୍ଟିସିଂ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ ହୋଇଥିଲା। ପରେ ସେ ବାଗସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢି ଥିଲେ। ଷଷ୍ଠ ଶ୍ରେଣୀ ପରେ ସେ ଅଲ୍ ଇଣ୍ତିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରି ପରବର୍ତ୍ତୀ ସମୟରେ ରାଷ୍ଟ୍ରୀୟ ଇଣ୍ତିଆନ୍ ମିଲିଟାରି କଲେଜରେ ପଢିଥିଲେ। ସେ ଏନ୍‌ଡିଏ (ନ୍ୟାସନାଲ ଡିଫେନ୍ସ ଏକାଡେମି)ରେ କୃତିତ୍ବ ହାସଲ କରି ଭାରତୀୟ ସେନା ବାହିନୀରେ ଚାକିରି ଜୀବନ ଆରମ୍ଭ କରିଥିଲେ। ସ୍ଥଳସେନାରେ ସେ ଚାକିରି କରିବା ସମୟରେ ପାକିସ୍ତାନ ଓ ଚୀନ୍ ସଂଲଗ୍ନ ସୀମାରେ କାର୍ଯ୍ୟ କରିବାର ବିଶେଷ ଅଭିଜ୍ଞତା ହାସଲ କରିଛନ୍ତି। ଏବେ ସେ ଦକ୍ଷିଣ-ପୂର୍ବ କମାଣ୍ଡରେ ଜେନେରାଲ ଅଫିସର କମାଣ୍ଡିଂ-ଇନ୍‌-ଚିଫ୍‌ ଭାବେ କାର୍ଯ୍ୟ କରୁଛନ୍ତି। ଆଜି ଜୟବଡ଼ ସ୍ଥିତ ତାଙ୍କ ପୈତୃକ ଘରେ ମିଠା ଖାଇ ସଂପର୍କୀୟ ଗ୍ରାମବାସୀ ଖୁସି ବ୍ୟକ୍ତ କରିଥିଲେ। ଏଥିରେ ତାଙ୍କର ଭାଇ ଦେବୀପ୍ରସାଦ ମହାନ୍ତି, ଗୁରୁପ୍ରସାଦ ମହାନ୍ତି, ସଂପର୍କୀୟ ଅମ୍ବିକା ମହାନ୍ତି, ତୋଫାନି ମହାନ୍ତି, ବିଜୟଲକ୍ଷ୍ମୀ ମହାନ୍ତି, ଏରଲିନ୍ ମହାନ୍ତି, ଶିବ ପ୍ରସାଦ ଆଚାର୍ଯ୍ୟ, ସୋମନାଥ ପଣ୍ତା, ବବ୍‌ଲୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

The post ସେନାର ଉପମୁଖ୍ୟ ହେବେ ଚଣ୍ଡୀ ପ୍ରସାଦ first appeared on Sambad.



from ଜିଲ୍ଲା – Sambad https://ift.tt/3c44a6T