ଭଞ୍ଜନଗର : କଳାହାଣ୍ଡି ଜିଲ୍ଲାର ଦାନ ମାଝି ନିଜ ପତ୍ନୀର ଶବକୁ କାନ୍ଧରେ ବୋହି ନେବା ଭଳି ଏକ ସମ୍ବେଦନଶୀଳ ଘଟଣା ସାରା ବିଶ୍ବରେ ଆଲୋଡ଼ନ ସୃଷ୍ଟି କରିଥିଲା। ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଲା। ଏହି ଘଟଣା ପରେ ସସମ୍ମାନର ସହ ଗରିବ ଏବଂ ଅସହାୟଙ୍କ ଶବକୁ ତା’ର ଭିଟାମାଟିରେ ପହଞ୍ଚାଇବାକୁ ସରକାର ୨୦୧୬ ମସିହାରେ ‘ମହାପ୍ରୟାଣ’ ଯୋଜନାର ଆରମ୍ଭ କରିଥିଲେ। କିନ୍ତୁ ଦୁଃଖର କଥା ହେଲା, ଏହି ଯୋଜନା କେବଳ ନାମକୁ ମାତ୍ର କାର୍ଯ୍ୟକାରୀ ହେଉଛି। ତୃଣମୂଳସ୍ତରରେ ସଠିକ୍ ପରିଚାଳନା ବ୍ୟବସ୍ଥାର ଅଭାବରୁ ଗରିବ ଓ ଅସହାୟଙ୍କ ଶବକୁ ସମ୍ମାନ ମିଳୁନି। ଆଜି ବି କେଉଁଠି ଶବ କାନ୍ଧରେ ତ, ଆଉ କେଉଁଠି ବାଇକ୍‌ରେ ଓ ଦୋଳାରେ ବୁହା ହୋଇ ଯାଉଛି। ଜିଇଁଥିବାଠୁ ମୃତ୍ୟୁ ପରର ଯନ୍ତ୍ରଣା ବଳିଯାଉଛି।

ଗଲା କିଛି ବର୍ଷ ମଧ୍ୟରେ ଏଭଳି ଅନେକ ଘଟଣା ଗଣମାଧ୍ୟମର ପ୍ରମୁଖ ଶିରୋନାମା ଏବଂ ତର୍କବିତର୍କର ପ୍ରସଙ୍ଗ ପାଲଟିଛି। ଏଥିରୁ ଗଞ୍ଜାମ ଜିଲ୍ଲା ବି ବାଦ୍ ପଡ଼ିନି। ଓଡ଼ିଶାର ଏକ ବୃହତ୍ ଜିଲ୍ଲା ଭାବେ ପରିଚିତ ଗଞ୍ଜାମର ୨୨ଟି ବ୍ଲକ୍‌‌ରେ ୪ଟି ଉପଖଣ୍ଡ ଚିକିତ୍ସାଳୟ ଓ ୨୮ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ହେଲେ ଆଶ୍ଚର୍ଯ୍ୟର କଥା ହେଲା, ଜିଲ୍ଳା ସ୍ବାସ୍ଥ୍ୟ ବିଭାଗ ଅଧୀନରେ ଗୋଟିଏ ମାତ୍ର ମହାପ୍ରୟାଣ ଗାଡ଼ି ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକା‌ରୀ ଡା.ଉମାଶଙ୍କର ମିଶ୍ରଙ୍କ କହିବାନୁଯାୟୀ, ବର୍ତ୍ତମାନ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ କଲେଜର ୩ଟି ମହାପ୍ରୟାଣ ଗାଡ଼ି ରହିଛି। ତାହା ମେଡିକାଲ କର୍ତ୍ତୃପକ୍ଷଙ୍କ ଦ୍ବାରା ପରିଚାଳିତ। ଆଉ ଜିଲ୍ଲା ସ୍ବାସ୍ଥ୍ୟବିଭାଗ ଅଧୀନରେ ଥିବା ଗୋଟିଏ ମାତ୍ର ମହାପ୍ରୟାଣ ଗାଡ଼ିକୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ରଖାଯାଇଛି। ବୃହତ୍ ଇଲାକା ପାଇଁ ଗୋଟିଏ ମାତ୍ର ମହାପ୍ରୟାଣ ଗାଡ଼ି ରହିଥିବା ବେଳେ ତାହା ସଠିକ୍ ଭାବେ ପରିଚାଳିତ ହୋଇପାରୁନି।

୨୦୧୬ ଅକ୍ଟୋବର ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ମହାପ୍ରୟାଣ ଗାଡ଼ି ଦିଆଯିବା ସହ କିଲୋମିଟର ପ୍ରତି ୧୨ ଟଙ୍କା ସହ ସେବାଦେୟ ବାବଦକୁ ୩୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଡାକ୍ତରଖାନାରେ ରୋଗୀଙ୍କ ମୃତ୍ୟୁ ହେଲେ ଶବକୁ ଘରୋଇ ଗାଡ଼ିରେ ନେବାକୁ ମାଲିକ ମାନେ ଅଧିକ ଅର୍ଥ ଦାବି କରୁଥିଲେ। କିନ୍ତୁ ଗରିବ ଲୋକ ଏହାକୁ ଭରଣା କରି ପାରୁ ନଥିଲେ।

ମହାପ୍ରୟାଣ ଗାଡ଼ି ଆସିବା ପରେ ଏହି ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଥିଲା।

କିନ୍ତୁ ଆଜିଯାଏ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିପାରିନି। ମାଗଣାରେ ଶବ ନେବା ଓ କେବଳ ଉପଖଣ୍ଡ ଚିକିତ୍ସାଳୟରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ଶବକୁ ନେବାକୁ ନିର୍ଦ୍ଦେଶ ଥିବାରୁ ଆୟ ବଢ଼ିପାରୁନି। ଫଳରେ ଗାଡ଼ି‌ର ତେଲ ଓ ମରାମତି ଖର୍ଚ୍ଚ ସାଙ୍ଗକୁ ଚାଳକଙ୍କ ଦରମା ଦେବା କଷ୍ଟସାଧ୍ୟ ହେଉଛି। ଭଞ୍ଜନଗର ଠାରେ ଥିବା ମହାପ୍ରୟାଣ ଗାଡ଼ିରେ ଆଜି ପର୍ଯ୍ୟନ୍ତ ୧୨୮୩ ଗୋଟି ଶବକୁ ସେମାନଙ୍କ ଘରେ ପହଞ୍ଚାଯାଇଛି। ସେଥି ମଧ୍ୟରୁ ୧୧୦୦ ମୃତକଙ୍କ ପରିବାରବର୍ଗ ଟଙ୍କା ପୈଠ କରିଛନ୍ତି। ୧୮୩ଟି ଶବକୁ ମାଗଣାରେ ନିଆଯାଇଛି। ମହାପ୍ରୟାଣ ଗାଡ଼ିରୁ ମାସିକ ହାରାହାରି ୨୦ ହଜାର ୬୮୧ ଟଙ୍କା ଆଦାୟ ହେଉଥିବା ବେଳେ‌ ୨୨ ହଜାର ଟଙ୍କା ଖର୍ଚ୍ଚ ହେଉଛି।

ଯୋଜନା ଆରମ୍ଭ ହେବା ପରଠୁ ଆଜି ପର୍ଯ୍ୟନ୍ତ ଶବ ବୁହାଯାଇ ୧୦ ଲକ୍ଷ ୧୩ ହଜାର ୩୬୧ ଟଙ୍କା ଆଦାୟ କରାଯାଇଛି। ୧୦ ଲକ୍ଷ ୮୨ ହଜାର ୮୧୬ ଟଙ୍କା ତେଲକିଣା, ଗାଡ଼ିର ମରାମତି ଏବଂ ଚାଳକଙ୍କ ଦରମା ବାବଦକୁ ଖର୍ଚ୍ଚ ହୋଇଛି। ୭୦ ହଜାର ଟଙ୍କା ବାକି ରହିଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ଏଭଳି ପରିସ୍ଥିତିରେ ତେଲ ଦର ବୃଦ୍ଧି ପାଉଥିବା ବେଳେ ସେହି ଅନୁପାତରେ ଭଡ଼ା ବଢ଼ୁନି। ଏଥିସହ ଗାଡ଼ିର ଅଧିକ ମରାମତି ଆବଶ୍ୟକ ରହିଥିବା ବେଳେ ତାହା କ୍ଷତିରେ ଚାଲିଥିବାରୁ ଭରଣା କରିବା ସମ୍ଭବପର ହୋଇପାରିନି। ଏହି ସମସ୍ୟା ସଂର୍ପକରେ ଉପଖଣ୍ଡ ଡାକ୍ତରଖାନା ପକ୍ଷରୁ ବହୁବାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ବି ଏଥିପ୍ରତି ଗୁରୁତ୍ବ ଦିଆଯାଉନି। ଏସଂର୍ପକରେ ଜିଲ୍ଲାପାଳଙ୍କ ଦୃଷ୍ଟିଆର୍କଷଣ କରାଯିବା ପରେ ଗତବର୍ଷ ଡିସେମ୍ବର ମାସରେ ଜିଲ୍ଲା ରେଡକ୍ରସ୍‌ ଫଣ୍ଡ୍‌ରୁ ୨୯,୮୧୧ ଟଙ୍କାର ସହାୟତା ପ୍ରଦାନ କରିଥିଲେ। ସେହି ଅର୍ଥ ସାମୟିକ ଅଭାବକୁ ଦୂର କରିଥିବା ବେଳେ କିଛି ଦିନ ପରେ ପୁଣି ଯେଉଁ ଅବସ୍ଥାକୁ ସେହି ଅବସ୍ଥା। ଏଭଳି ପରିସ୍ଥିତିରେ ଦିନକୁ ହଜାର ହଜାର ଟଙ୍କାରେ କ୍ଷତିରେ ଚାଲିଥିବା ମହାପ୍ରୟାଣ ଯୋଜନା ନିଜେ ମୃତ୍ୟୁକୁ ଅପେକ୍ଷା କରିଛି ବୋଲି ମତପ୍ରକାଶ ପାଇଛି।

The post ବଳିଯାଉଛି ମୃତ୍ୟୁ ପରର ଯନ୍ତ୍ରଣା : ଗଞ୍ଜାମ ସ୍ବାସ୍ଥ୍ୟ ବିଭାଗ ଅଧୀନରେ ଏକମାତ୍ର ମହାପ୍ରୟାଣ, ଚାଲିଛି କ୍ଷତିରେ first appeared on Sambad.



from ଜିଲ୍ଲା – Sambad https://ift.tt/3queMzQ