
ଖୋର୍ଦ୍ଧା, (ଲମ୍ବୋଦର ଦାଶ): ଫୁଲବାଣୀ ଭଳି ଏକ ଅନଗ୍ରସର ଜିଲ୍ଲାରେ ପାଠ ପଢ଼ି ବଡ଼ ହୋଇଥିଲେ ସସ୍ମିତା ମହାନ୍ତି। ପାଠପଢ଼ିବା ଦିନଠାରୁ କିଛି କରିବାର ସ୍ବପ୍ନ ଓ ନିଜେ ସମାଜରେ ଏକ ପ୍ରତିଷ୍ଠିତ ବ୍ୟକ୍ତି ହେବାର ଅଭିଳାଷ ଥିଲା। ବିବାହ ପୂର୍ବରୁ କିଛି ଘରୋଇ ସ୍ବେଚ୍ଛାସେବୀ ସଂସ୍ଥାରେ କାମ କରିଥିଲେ। କିନ୍ତୁ ଏହା ତାଙ୍କୁ ବିଶେଷଭାବେ ପ୍ରଭାବିତ କରିନଥିଲା। ବାହାହେବା ପରେ ନିଜ ଗୋଡ଼ରେ ନିଜେ ଠିଆ ହେବାର ସ୍ବପ୍ନ ଭାଙ୍ଗିଯିବ ବୋଲି ଆଶଙ୍କା କରୁଥିଲେ। କିନ୍ତୁ ସ୍ବାମୀ ଓ ଶ୍ବଶୁର ଘର ସହଯୋଗ ତାଙ୍କର ଏହି ଆଶଙ୍କାକୁ ଦୂର କରିଥିଲା। ତାଙ୍କର ସ୍ବପ୍ନକୁ ସାକାର କରିବାକୁ ସମସ୍ତ ସହଯୋଗ ଓ ସାହସ ଯୋଗାଇଥିଲେ। ତା’ପରେ ଆଉ ପଛକୁ ଫେରିନାହାନ୍ତି ସସ୍ମିତା। ଆଜି ବର୍ଷକୁ ପ୍ରାୟ ୩ କୋଟି ଟଙ୍କାର ଏକ ବ୍ୟାବସାୟିକ ପ୍ରତିଷ୍ଠାନ ସ୍ଥାପନ କରିପାରିଛନ୍ତି ସେ। କେବଳ ସେତିକି ନୁହେଁ, ନିଜ ସଂସ୍ଥାରେ ୧୦୦ଜଣଙ୍କୁ କର୍ମନିଯୁକ୍ତି ଦେଇଛନ୍ତି।
ଖୋର୍ଦ୍ଧା ସହରର ଜଣେ ପରିଚିତ ସମାଜସେବୀ ସଂଜୟ ପଟ୍ଟନାୟକଙ୍କ ପତ୍ନୀ ସସ୍ମିତା ମହାନ୍ତି। ବିବାହ ପରେ ସେ ଅଧିକ ପଢ଼ି ନିଜ ଗୋଡ଼ରେ ନିଜେ ଠିଆ ହେବାର ସ୍ବପ୍ନ କଥା ନିଜ ସ୍ବାମୀ ଓ ଶ୍ବଶୁର ଘରର ସଦସ୍ୟଙ୍କୁ କହିଥିଲେ। ପାଠ ପଢ଼ିବା ପାଇଁ ଅନୁମତି ମିଳିଥିଲା। ୨୦୧୦ରେ ସେ ନିଶ୍ବାସ ଅନୁଷ୍ଠାନରୁ ଏମ୍ଏସ୍ଡବ୍ଲୁ ପାସ୍ କରିଥିଲେ। ଏମ୍ଏସ୍ଡବ୍ଲୁ ପଢ଼ିବା ସମୟରେ ଟାଙ୍ଗୀ ନୂଆଗାଁରେ ଏକ ଫ୍ଲାଏ ଆସ୍ ବ୍ରିକ୍ ଇଣ୍ତଷ୍ଟ୍ରିଜ୍କୁ ଏକ୍ସପୋଜର ଭିଜିଟ୍ରେ ଯାଇଥିଲେ। ସେଠାରୁ ସେ ପ୍ରଥମେ ଏହି ଶିଳ୍ପ ପ୍ରତି ତାଙ୍କର ଆଗ୍ରହ ବଢ଼ିଥିଲା। ପରେ ସେ ଦେଖିଲେ ଯେ ଖୋର୍ଦ୍ଧା ଓ ଆଖପାଖ ଅଞ୍ଚଳରେ ଶତାଧିକ କ୍ରସର ୟୁନିଟ୍ ରହିଛି। ଏଥିରୁ ଟନ୍ ଟନ୍ ପଥର ଗୁଣ୍ତ ଖୋର୍ଦ୍ଧାର ପରିବେଶକୁ ପ୍ରଦୂଷିତ କରୁଛି। ଏହି ପଥରଗୁଣ୍ତର ସଠିକ୍ ବିନିଯୋଗ କରି ପ୍ରଦୂଷଣର ମାତ୍ରା କମାଇବାରେ କିଛିକାଂଶରେ ସହାୟକ ହେବ। ଏଥିସହିତ, ଖୋର୍ଦ୍ଧା ଗ୍ରାମାଞ୍ଚଳର ଅନେକ ଲୋକଙ୍କୁ ନିଯୁକ୍ତି ମିଳିପାରିବ ବୋଲି ସେ ଅନୁଭବ କଲେ। ଏହାପରେ ପରିବାର ଲୋକଙ୍କ ସହଯୋଗରେ ଖୋର୍ଦ୍ଧା ନିକଟସ୍ଥ ବରମପୁରା ଗାଁ’ରେ ୧ ଏକର ଜାଗାଟିଏ କିଣିଲେ। ସେହି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଫ୍ଲାଏ ଆସ୍ ଇଟା କାରଖାନା ନେଇ ପ୍ରୋତ୍ସାହନ ଦିଆଯାଉଥିଲା। ଏନେଇ ସେ ପିଏମ୍ଇଜିୱାଇରେ ଋଣ ପାଇଁ ଆବେଦନ କରିବା ସହ ଜିଲ୍ଲା ଶିଳ୍ପ କେନ୍ଦ୍ର (ଡିଆଇସି) ସହ ଯୋଗାଯୋଗ କରି ଫ୍ଲାଏ ଆସ୍ ବ୍ରିକ୍ ନିର୍ମାଣ ସମ୍ପର୍କରେ ୩ ମାସ ପ୍ରଶିକ୍ଷଣ ମଧ୍ୟ ନେଲେ। ଶେଷରେ ପିଏମ୍ଇଜିୱାଇରୁ ୨୫ଲକ୍ଷ ଟଙ୍କା ଋଣ ମିଳିଲା। ୨୦୧୨–୧୩ରେ ଏକ ଛୋଟିଆ ସେଡ୍ କରି ଗୋଟିଏ ମେସିନ୍ରେ ଏହି କାରଖାନା ଆରମ୍ଭ କଲେ। ପ୍ରଥମ ବର୍ଷ ୨୫ଜଣ କର୍ମଚାରୀ ନିଯୁକ୍ତି ପାଇଥିଲେ। ପ୍ରଥମ ବର୍ଷ ବ୍ୟବସାୟରେ ଯେତିକି ପୁଞ୍ଜି ନିବେଶ ହୋଇଥିଲା ସେତିକି ମଧ୍ୟ ବ୍ୟବସାୟ ହେଲା ନାହିଁ। ମନ ଖରାପ ଲାଗିଲା, କିନ୍ତୁ ତାଙ୍କ ସ୍ବାମୀ ଓ ପରିବାର ତାଙ୍କୁ ସାହସ ଦେଲେ। ଦ୍ବିତୀୟ ବର୍ଷ ପ୍ରାୟ ୧ କୋଟି ଟଙ୍କାର ବ୍ୟବସାୟ ହେଲା। ବର୍ତ୍ତମାନ ସେ ବର୍ଷକୁ ପ୍ରାୟ ୩ କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି ବୋଲି ଶ୍ରୀମତୀ ମହାନ୍ତି କହନ୍ତି।
ତାଙ୍କ କାରଖାନାରେ ୨୫ କର୍ମଚାରୀରୁ ବୃଦ୍ଧି ପାଇ ୮/୯ ବର୍ଷ ମଧ୍ୟରେ ୧୦୦ କର୍ମଚାରୀ ନିୟମିତ କାମ କରୁଛନ୍ତି। ଗୋଟିଏ ଇଟା ତିଆରି ମେସିନ୍ ସ୍ଥାନରେ ଏବେ ଦୁଇଟି ସ୍ଥାପନ କରିଛନ୍ତି। ତାଙ୍କରି ଉଦ୍ୟମ ଏବେ ୧୦୦ଜଣଙ୍କ ଘର ପରିବାର ଚଳାଉଛି ଦେଖି ସେ ଅନେକ ଖୁସି ଅଛନ୍ତି। ପ୍ରଥମେ ତାଙ୍କ କାରଖାନାରୁ ଫ୍ଲାଏ ଆସ୍ ଇଟା ଆଂଚଳିକ ବଜାରକୁ ଯୋଗାଉଥିଲେ। ଏବେ ଆଇଆଇଟି, ଟାଟା ଓ ସିମ୍ପ୍ଲେକ୍ସ ଭଳି ସଂସ୍ଥା ତାଙ୍କ କାରଖାନାରୁ ଇଟା ନିୟମିତ ଭାବେ ନେଉଛନ୍ତି। ଆଗାମୀ ଦିନରେ ଏହି ବ୍ୟବସାୟକୁ ବଢ଼ାଇ ଏକ ବ୍ରାଣ୍ଡ୍ ରୂପ ଦେବାକୁ ଚାହାନ୍ତି ବୋଲି ସେ ଆଶା ପ୍ରକାଶ କରିଛନ୍ତି।
The post ପ୍ରଶିକ୍ଷିତ ହୋଇ କାରଖାନା ବସାଇଲେ ସସ୍ମିତା, ୩ କୋଟିର ବ୍ୟବସାୟ ସହ ୧୦୦ ଜଣଙ୍କୁ ନିଯୁକ୍ତି first appeared on Sambad.
from ଜିଲ୍ଲା – Sambad https://ift.tt/35oPxXw
0 Comments