
କେନ୍ଦ୍ରାପଡ଼ା : ପଲ୍ଲୀ ବା ଗାଁରେ ହୋଇଛି କାମ। କିନ୍ତୁ ଶ୍ରମିକଙ୍କ ମଜୁରି ବାବଦ ଟଙ୍କା ଯାଇଛି ସୁଦୂର ଦିଲ୍ଲୀକୁ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ।
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ନାଞ୍ଜୁରା ପଞ୍ଚାୟତରେ ହୋଇଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ଆଖିବୁଜା ଦୁର୍ନୀତିକୁ ନେଇ ଅଧିକ ଖୋଳତାଡ଼ କରାଯିବା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛ। କୌତୂହଳର କଥା ହେଉଛି, କାମ ନ କରି ବି ଗାଁରେ ୫୦ରୁ ଅଧିକ ଲୋକ ଟଙ୍କା ପାଇଥିବା ଜଣାପଡ଼ିଥିଲା। କିନ୍ତୁ ଏବେ ଦିଲ୍ଲୀରେ ରହି ପ୍ରକଳ୍ପ ବାବଦରେ ବିନ୍ଦୁବିସର୍ଗ ଜାଣି ନ ଥିବା ଗାଁ ପିଲାଙ୍କ ଆକାଉଣ୍ଟ୍କୁ ଟଙ୍କା ପଠାଯାଇଥିବା ଘଟଣା ସୂଚାଇ ଦେଇଛି ଯେ ଦୁର୍ନୀତିର ଆକାର କେତେ ବିଶାଳ।
ନାଞ୍ଜୁରା ପଞ୍ଚାୟତରେ ସରକାରୀ ଯୋଜନାରେ ଦୁର୍ନୀତି କିଛି ନୂଆ ନୁହେଁ। ଆବାସ ଯୋଜନାରେ ମହାଦୁର୍ନୀତି କାରଣରୁ ତତ୍କାଳୀନ ପଞ୍ଚାୟତ ଅଧିକାରୀ ଅଲେଖ ପ୍ରଧାନ ଚାକିରିରୁ ନିଲମ୍ବିତ ହୋଇଥିଲେ। କନିଷ୍ଠ ଯନ୍ତ୍ରୀଙ୍କ ନାଁରେ ଥାନାରେ ଏତଲା ହୋଇଥିଲା। ସରପଞ୍ଚ ସ˚ଘମିତ୍ରା ସ୍ବାଇଁଙ୍କ ଭୂମିକା ବି ଏହି ଘଟଣାରେ ସନ୍ଦେହମୁକ୍ତ ନ ଥିଲା। ତାଙ୍କରି ପ୍ରତ୍ୟକ୍ଷ ସ˚ପୃକ୍ତି କାରଣରୁ ଯୋଗ୍ୟଙ୍କୁ ବାଦ୍ ଦିଆଯାଇ ଶତାଧିକ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଗୃହ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ମାତ୍ର ଏବେ ମନରେଗା ଯୋଜନାରେ ଦୋଳିଗାଁର ରାଧା ତରାଇଙ୍କ ଘର ସମ୍ମୁଖରେ ପୋଖରୀ ଖୋଳାର ଯେଉଁଭଳି ଦୁର୍ନୀତି ହୋଇଥିବା ସାମ୍ନାକୁ ଆସିଛି, ତାହା ସବୁ ସୀମା ଟପିଯାଇଛି। କରୋନା ଲକଡାଉନ୍ ସମୟରେ ଶ୍ରମିକଙ୍କୁ ରୋଜଗାର ଯୋଗାଇ ଦେବା ଉଦ୍ଦେଶ୍ୟରେ ୧୦ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ହୋଇଥିବା ଏହି ପୋଖରୀ ଖୋଳା କାର୍ଯ୍ୟରେ ବର୍ତ୍ତମାନ ସୁଦ୍ଧା ୭ଲକ୍ଷ ୧୮ହଜାର ୮୩ଟଙ୍କା ବିଲ୍ ହୋଇଛି। ହେଲେ ଯେଉଁମାନେ ପ୍ରକୃତରେ କାମ କରିଥିଲେ, ସେମାନଙ୍କ ମଧୢରୁ ଅନେକଙ୍କୁ ଏଯାଏ ସ˚ପୂର୍ଣ୍ଣ ମଜୁରି ମିଳିନଥିବା ବେଳେ କାମ ଆଦୌ କରି ନଥିବା ୫୦ରୁ ଅଧିକ ଅଣ ଶ୍ରମିକଙ୍କ ଆକାଉଣ୍ଟ୍କୁ ଲକ୍ଷାଧିକ ଟଙ୍କା ମଜୁରି ବାବଦରେ ପଠାଯାଇ ହରିଲୁଟ୍ କରାଯାଇଛି।
ଏହି ଅଣଶ୍ରମିକଙ୍କ ମଧୢରେ ଏମିତି କେତେକ ଅଛନ୍ତି, ଯେଉଁମାନେକି’ ଦିଲ୍ଲୀରେ ରହୁଛନ୍ତି। କାଗଜପତ୍ରରେ ସେମାନେ ପୋଖରୀ ଖୋଳାରେ କାମ କରିଥିବା ଦର୍ଶାଯାଇଛି। ଦିଲ୍ଲୀରେ ରହୁଥିବା ଦୋଳିଗାଁର ବାସୁଦେବ ନାୟକ, କୈଳାସ ତରାଇ ଓ ଉମେଶ ତରାଇଙ୍କୁ ଆକାଉଣ୍ଟ୍କୁ ଟଙ୍କା ଯାଇଥିବା ଖୋଳତାଡ଼ରୁ ଜଣାପଡ଼ିଛି। ଏଭଳି ଅ˚ସଖ୍ୟ ଅଣ ଶ୍ରମିକ ବାହାରିବେ, ଯେଉଁମାନେ କାମ ଆଦୌ ନ କରି ବି ଭାଗବଣ୍ଟା ନୀତିରେ ଟଙ୍କା ପାଇଛନ୍ତି। ଏ ସ˚ଖ୍ୟା ଆହୁରି ଅଧିକ ବଢ଼ିବ ବୋଲି ଆକଳନ କରାଯାଉଛି।
The post ମହାକାଳପଡ଼ାରେ ମନରେଗା ଦୁର୍ନୀତି : ପଲ୍ଲୀରେ କାମ, ଦିଲ୍ଲୀକୁ ଯାଇଛି ଟଙ୍କା first appeared on Sambad.
from ଜିଲ୍ଲା – Sambad https://ift.tt/39DgmbS
0 Comments