ବଲାଙ୍ଗୀର: ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍‌ ପ୍ରାୟ ସାଢ଼େ ୫ଟା ସମୟରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ଦୀର୍ଘ ମାସ ହେଲା ଅସ୍ଥିମଜ୍ଜା କ୍ୟାନ୍‌ସର ରୋଗରେ ପୀଡ଼ିତ ହେବାପରେ ସେ ଭୁବନେଶ୍ୱରେ ରହି ଚିକିତ୍ସାଧୀନ ଥିଲେ ।

ସମାଜସେବୀ ଶ୍ରୀ ନାୟକ ଗତ ଜୁନ୍‌ ମାସ ୨୯ ତାରିଖରେ ପଡ଼ିଯିବା କାରଣରୁ ବାମ ଗୋଡ଼ର ଜଂଘରେ ଆଘାତ ଲାଗି ଭାଂଗି ଯାଇଥିଲା । ଜୁନ୍‌ ୩୦ ତାରିଖ ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାର କରାଯାଇଥିଲା । ସେହି ସମୟରେ ୧୮ ବର୍ଷ ପୂର୍ବର ଦୁର୍ଘଟଣାର ଅସ୍ତ୍ରୋପଚାର ବେଳେ ଲାଗିଥିବା ୧୮ ଇଂଚର ଏକ ରଡ୍‌କୁ ବାହାର କରାଯାଇଥିଲା । ଶ୍ରୀ ନାୟକଙ୍କ ହିମୋଗ୍ଲୋବିନ ବୃଦ୍ଧି ହେଉ ନ ଥିବାରୁ କ୍ୟାନସର ହୋଇ ଥାଇପାରେ ବୋଲି ସେତେବେଳେ ଡକ୍ତରଙ୍କର ସନ୍ଦେହ ହୋଇଥିଲା। ପରୀକ୍ଷା ପରେ କ୍ୟାନସର ପଜିଟିଭ୍‌ ଆସିଥିଲା ।

ଶ୍ରୀ ନାୟକ ରାଜେନ୍ଦ୍ର କଲେଜର ଛାତ୍ର ସଂସଦ ସଭାପତି ଭାବେ ୮୦ ଦଶକରେ ବେଶ୍‌ ଚର୍ଚ୍ଚିତ ଥିଲେ । ଛାତ୍ର ଜୀବନରୁ ଜଣେ ରକ୍ତଦାତା ପ୍ରବର୍ତ୍ତକ ଭାବେ ବେଶ୍‌ ସୁନାମ ଅର୍ଜନ କରିଥିଲେ । ବଲାଙ୍ଗୀରରେ ରକ୍ତଦାନର କଥା ଉଠିଲେ ଆପେ ଆପେ ସମାଜସେବୀ ଲଳିତ ନାୟକ ହିଁ ମନେପଡ଼ନ୍ତି। ୮୦ରୁ ଅଧିକ ଥର ରକ୍ତଦାନ କରି ତତ୍‌କାଳୀନ ଓଡ଼ିଶା ରାଜ୍ୟପାଳଙ୍କଠାରୁ ସେ ପୁରସ୍କୃତ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତସେ ପ୍ରାୟ ୧୫୦ ୟୁନିଟ୍‌ ରକ୍ତଦାନ କରି ସାରିଥିଲେ ।

ସାମଜର ଦଳିତ, ନିଷ୍ପେସିତ, ଗରିବ ଖଟିଖିଆମାନଙ୍କ ବିଭିନ୍ନ ସମସ୍ୟା ନେଇ ଲଢେ଼ଇ କରିବାରେ ଶ୍ରୀ ନାୟକ ଜଣେ ଆଗୁଆ ସୈନିକ ଭାବରେ ଠିଆ ହେଉଥିଲେ ସବୁବେଳେ । ୪୦ରୁ ଅଧିକ ଶ୍ରମିକ ସଂଗଠନର ସଭାପତି ରହି ସେମାନଙ୍କ ଦୁଃଖସୁଖ ସହ ସାମିଲ୍‌ ହେବା ସହ ସେମାନଙ୍କ ହକ୍‌ ପାଇଁ ସେ ଲଢେ଼ଇ ଜାରି ରଖିଥିଲେ ।

ବଲାଙ୍ଗୀର ମାଟିର ପ୍ରଚଣ୍ଡ ସ୍ୱର, ରକ୍ତଦାନର ପ୍ରଗଳ୍ଭ ପ୍ରେରଣା, ଗରିବ ଜନସାଧାରଣଙ୍କ ଚିରସାଥୀ, ସମାଜସେବାର ବିରଳ ମଣିଷ ଆଜି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ଅନେକ ଚିକିତ୍ସା, ଚିକିତ୍ସକଙ୍କ ଉଦ୍ୟମ ତଥା ଶ୍ରଦ୍ଧାଳୁ ଏବଂ ଶୁଭେଚ୍ଛୁଙ୍କ ପ୍ରାର୍ଥନାକୁ ପଛରେ ପକାଇ ଚାଲିଗଲେ ଲଳିତ ଦାଦା।

The post ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କ ଦେହାନ୍ତ first appeared on Sambad.



from ଜିଲ୍ଲା – Sambad https://ift.tt/35SY2dI