କାହ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ଫେରିଯିବ ସୁନ୍ଦରୀ

ଅନୁଗୁଳ : ଆରମ୍ଭ ହୋଇଛି ସୁନ୍ଦରୀର ଘର ବାହୁଡ଼ା ପ୍ରକ୍ରିୟା। ମଧ୍ୟପ୍ରଦେଶ ବନ ବିଭାଗ ମୁଖ୍ୟଙ୍କ ସହ ଆଲୋଚନା ପରେ ଏହି ଖବର ମିଳିଥିବା ଓଡିଶା ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ପିସିସିଏଫ୍) ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି। ସୁନ୍ଦରୀର ଜଙ୍ଗଲ ପ୍ରବୃତ୍ତି ଫେରାଇ ଆଣିବାକୁ ତାକୁ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟର ଘୋରେଲାକୁ ନିଆଯିବ। ସୁନ୍ଦରୀକୁ ଘୋରେଲା ନେବା ପାଇଁ ବ୍ୟବସ୍ଥା ଆରମ୍ଭ କରିବା ଲାଗି କାହ୍ନା ଅଭୟାରଣ୍ୟ ନିର୍ଦ୍ଦେଶକଙ୍କୁ ମଧ୍ୟପ୍ରଦେଶ ବନ ବିଭାଗ ମୁଖ୍ୟ ନିର୍ଦ୍ଦେଶ ଦେଇଥିବା ପିସିସିଏଫ୍ ଉପାଧ୍ୟାୟ କହିଛନ୍ତି। ଏହି ପ୍ରକ୍ରିୟା ଫେବ୍ରୁଆରି ଶେଷ ସୁଦ୍ଧା ତ୍ବରାନ୍ବିତ ହେବ ବୋଲି ଆଶା ବାନ୍ଧିଛି ଓଡ଼ିଶା ବନ ବିଭାଗ।

ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶରୁ ବାଘୁଣୀ ‘ସୁନ୍ଦରୀ’କୁ ଅଣାଯାଇଥିଲା। ଏହା ଥିଲା ଦେଶର ପ୍ରଥମ ଅନ୍ତଃରାଜ୍ୟ ସ୍ଥାନାନ୍ତରଣ। ଏହି ସ୍ଥାନାନ୍ତରଣ ପ୍ରକଳ୍ପ କିନ୍ତୁ ଆରମ୍ଭରୁ ଝୁଣ୍ଟିଥିଲା। ୨୦୧୮ ଜୁନ୍‌ରେ ସାତକୋଶିଆ ଆସିଥିବା ‘ସୁନ୍ଦରୀ ଆରମ୍ଭରୁ ବନ ବିଭାଗର ମୁଣ୍ଡ ବିନ୍ଧାର କାରଣ ସାଜିଥିଲା। ସୁନ୍ଦରୀ ଆକ୍ରମଣରେ ଦୁଇ ଜଣ ସାଧାରଣ ଲୋକଙ୍କ ଜୀବନ ଯିବା ପରେ ଏହାକୁ କେନ୍ଦ୍ର କରି ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାପରେ ୨୦୧୮ ନଭେମ୍ବର ମାସରୁ ସୁନ୍ଦରୀ ସଂକ୍ଷିପ୍ତ ଏନକ୍ଲୋଜର ମଧ୍ୟରେ ବନ୍ଦୀ ଜୀବନ ବିତାଉଛି। ଏହି ଘଟଣା ପରଠାରୁ ସୁନ୍ଦରୀର ଭାଗ୍ୟ ଓ ଭବିଷ୍ୟତକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ପ୍ରଥମେ ମଧ୍ୟପ୍ରଦେଶ ବନ ବିଭାଗ ସୁନ୍ଦରୀକୁ ଫେରାଇ ନେବାକୁ ସେତେଟା ଆନ୍ତରିକତା ଦେଖାଇ ନ ଥିଲେ। ବହୁ ବାଦ ବିବାଦ ପରେ ସୁନ୍ଦରୀକୁ ଫେରାଇ ନେବା ପାଇଁ ରାଜି ହୋଇଛନ୍ତି ମଧ୍ୟପ୍ରଦେଶ ସରକାର। ଏଥିନେଇ ମଧ୍ୟ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି। ସୁରକ୍ଷିତ ଭାବେ କେମିତି ସୁନ୍ଦରୀକୁ ସେଠାକୁ ନିଆଯିବ ତାର ରୋଡ୍‌ମ୍ୟାପ ପ୍ରସ୍ତୁତ ହୋଇଛି। ଏ ସଂପର୍କରେ ଆଜି ଗଣମାଧ୍ୟମକୁ ଓଡ଼ିଶା ପିସିସିଏଫ ଶ୍ରୀ ଉପାଧ୍ୟାୟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମଧ୍ୟପ୍ରଦେଶକୁ ସୁନ୍ଦରୀ ଫେରିଯିବ। ଏଥିନେଇ ମଧ୍ୟପ୍ରଦେଶ ବନବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ସୁନ୍ଦରୀ ଫେରିବା ନେଇ ପୂର୍ବରୁ ଅନେକ ଥର ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇ ପାରି ନ ଥିଲା। ଏଥର ଆରମ୍ଭ ହୋଇଥିବା ପ୍ରୟାସ କେତେଦୂର ଫଳପ୍ରଦ ହେଉଛି, ତାହା ସୁନ୍ଦରୀ ଓଡ଼ିଶା ଛାଡି ମଧ୍ୟପ୍ରଦେଶରେ ପହଞ୍ଚିବା ପରେ ହିଁ ସ୍ପଷ୍ଟ ହେବ।

The post କାହ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ଫେରିଯିବ ସୁନ୍ଦରୀ first appeared on Sambad.



from ଜିଲ୍ଲା – Sambad https://ift.tt/3oFy7gc

Post a Comment

0 Comments