
ମାଲକାନଗିରି: ମାଲକାନଗିରି ଓ କୋରାପୁଟ ଜିଲ୍ଲାର ସୀମାନ୍ତରେ ରହିଥିବା ସପ୍ତଧାରାକୁ ଲାଗି ରହିଛି ବାଙ୍କୁଲୀ ଗ୍ରାମ।ଏହି ଗ୍ରାମ ନିକଟରେ ରହିଛି ପ୍ରକୃତିର ମନରୋମ ଦୃଶ୍ୟ। କଳକଳ କରି ବୋହିଯାଉଥିବା ଝରଣା ଏବଂ ବନ୍ୟ ପକ୍ଷୀଙ୍କ କଳରବ ଏହି ଅଂଚଳକୁ ସରସ ସୁନ୍ଦର କରିଛି।ମାଲକାନଗିରି ଜିଲ୍ଲା ଏବଂ କୋରାପୁଟ ଜିଲ୍ଲାର ସୀମାନ୍ତରେ ଏନ୍ଏଚ୍ ୩୨୬ ରାସ୍ତା କଡରେ ବାଙ୍କୁଲୀକୁ ଯିବା ପାଇଁ ବାଟ ରହିଛି। ଏନ୍ଏଚ୍ କଡରେ ଏକ ବିଶ୍ରାମଗାର ରହିଛି। ଯେଉଁଠି ବାଙ୍କୁଲୀକୁ ଯିବା ପାଇଁ ଚିହ୍ନ ରହିଛି। ସେଠାରୁ ପୁଣି ପ୍ରାୟ ଚାରି କିଲୋମିଟର ଅଙ୍କାବଙ୍କା ବାଟ ଦେଇ ଯିବାକୁ ହୁଏ। ମଝିରେ ପଡେ ବଡ ବାଙ୍କୁଲୀ ଗ୍ରାମ। ଏହି ଗ୍ରାମରେ ପ୍ରାୟ କୋଡିଏରୁ ତିରିଶି ପରିବାର ବସବାସ କରନ୍ତି। ତେବେ ଏଠାରୁ ପୁଣି କିଛି ବାଟ ଗଲା ପରେ ପରେ ଜଂଗଲରେ ପଡେ ଏହି ପର୍ଯ୍ୟଟନୀସ୍ଥଳୀ। କିଛି ପର୍ଯ୍ୟଟକ ଏଠାକୁ ଆସି ବିଭିନ୍ନ ଫଟୋ ଉଠାଇ ତାକୁ ସୋସିଆଲ ମିଡିଆରେ ଛାଡିବା ପରେ ଏହି ଲୁକ୍କାୟିତ ପର୍ଯ୍ୟଟନସ୍ଥଳୀକୁ ଆବିଷ୍କାର କରାଯାଇଛି।
ଗତ ଡିସେମ୍ବର ମାସଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ପ୍ରତିଦିନ ଏଠାରେ ଲୋକଙ୍କର ଭିଡ ଜମିଛି। ବୋହି ଯାଉଥିବା ପାହାଡିଆ ଝରଣାରେ ଲୋକେ ଗାଧୋଇବା ସହ ଏଠାରେ ପିକ୍ନିକ୍ କରି ବେଶ ମଜା ଉଠାଉଛନ୍ତି। ପଥରକୁ କାଟି ଝରଣା ପାଣି ବୋହିଯାଉଥିବା ଦୃଶ୍ୟ ଅତି ମନଛୁଆଁ। ମାଲକାନଗିରି ଏବଂ କୋରାପୁଟ ଅଂଚଳର ଲୋକେ କେବଳ ସପ୍ତଧାରା ନିକଟରେ ପିକନିକ କରି ଏହାର ମନରୋମ ଦୃଶ୍ୟକୁ ଉପଭୋଗ କରୁଥିଲେ। ଏପରକି ମୁଖ୍ୟମନ୍ତ୍ରୀ ନିଜେ ସପ୍ତଧାରାର ଏଭଳି ସୌନ୍ଦର୍ଯ୍ୟ ନିଜ ଟ୍ବିଟରେ ସ୍ଥାନ ଦେଇଥିଲେ। ଯାହାପରେ ଏଠାକୁ ଲୋକଙ୍କର ଭିଡ ଜମୁଛି। କିନ୍ତୁ ଏହି ନିକଟରେ ରହିଥିବା ବାଙ୍କୁଲୀକୁ ମଧ୍ୟ ଲୋକେ ଏବେ ଯାଉଥିବା ଦେଖିବାକୁ ମିଳୁଛି। ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏଠାକୁ ବୁଲି ଆସିବା ସହ ଭୋଜିର ଆୟୋଜନ କରୁଥିବା ଦେଖିବାକୁ ମିଳିଛି।
ଝରଣାର ଗର୍ଜନ ଏବଂ ବନ୍ୟ ପକ୍ଷୀଙ୍କ କୋକିଳ ରାବ ସମସ୍ତଙ୍କୁ ବିମୋହିତ କରିଥାଏ। ତେଣୁ ପର୍ଯ୍ୟଟକ ଏଠାକୁ ଆସି ଘରକୁ ଫେରିବାକୁ ମନ ବଳାଉନଥିବା କହିଛନ୍ତି। ବିଭିନ୍ନ ସ୍ଥାନରୁ ଆସିଥିବା ପର୍ଯ୍ୟଟକମାନଙ୍କ ମଧ୍ୟରୁ ପ୍ରଶାନ୍ତ ସାହୁ, ସତ୍ୟ ନାରାୟଣ ମହାନ୍ତି, କିଶୋରୀ ଗୁପ୍ତା କୁହନ୍ତି ସେ ବହୁ ସ୍ଥାନ ବୁଲି ପିକ୍ନିକ୍ କରିଛନ୍ତି। କିନ୍ତୁ ବାଙ୍କୁଲୀ ଭଳି ଏତେ ମନରୋମ ସ୍ଥାନ ସେମାନେ କେବେ ଦେଖିନଥିଲେ। ସେ ଏହି ପର୍ଯ୍ୟଟନସ୍ଥଳୀ ସଂପର୍କରେ ଜାଣିବା ପରେ ସାଂଗସାଥିଙ୍କୁ ନେଇ ଏଠାକୁ ଆସିଥିଲେ। ଆଉ ଏଠାରେ ଯାହା ଦେଖିଲେ ତାହା ଅବର୍ଣ୍ଣନୀୟ। ତେଣୁ ଏଠାରେ ମାଲକାନଗିରି ଏବଂ କୋରାପୁଟ ଅଂଚଳର ବହୁ ପର୍ଯ୍ୟଟନ ଆସୁଥିବା ସେ କହିଥିଲେ।
The post ପର୍ଯ୍ୟଟକଙ୍କ ମନ ମୋହୁଛି ମାଲକାନଗିରିର ବାଙ୍କୁଲୀ first appeared on Sambad.
from ଜିଲ୍ଲା – Sambad https://ift.tt/2M7B5fU
0 Comments