ବ୍ରହ୍ମପୁର : ଲୋକଙ୍କ ବିଶ୍ବାସରେ ଦିଆଯାଉଥିଲା ବିଷ। କୁନିକୁନି ପିଲାଙ୍କ ଜୀବନ ସହିତ ଖେଳା ଯାଉଥିଲା ଖେଳ। ମାସେ ନୁହେଁ କି ଦୁଇ ମାସ ନୁହେଁ ଦୀର୍ଘ ୨ବର୍ଷ ହେଲା ମୃଦୁ ପାନୀୟ ନାଁରେ ନକଲି ସାମଗ୍ରୀ ବଜାରକୁ ଛାଡ଼ି ବେଶ୍‌ ଲାଭବାନ ହେଉଥିଲା ବେପାରୀ। ଏବେ ପୁଲିସ କବ୍‌ଜାରେ ପଡ଼ିଛି ସେହି ନକଲି ମୃଦୁ ପାନୀୟ ତିଆରି କରୁଥିବା ବ୍ୟବସାୟୀ ଏସ୍‌. ବଂଶୀଧର ପାତ୍ର। ରାଉଳ ସୁକୁଣ୍ଡାର ବ୍ୟବସାୟୀ ବଂଶୀଧରଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ସଦର ଏସ୍‌ଡିପିଓ ଜୟନ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ବିନ୍ଦାସ୍‌ ବ୍ରାଣ୍ଡ୍‌ରେ ଏହି ବେପାରୀ ଜଣକ ବେଧଡ଼କ୍‌ ତା’ର କାରବାର ଚଳାଇଥିଲା ବୋଲି ପୁଲିସ ତଦନ୍ତରେ ଜାଣିବାକୁ ପାଇଛି। ବିନ୍ଦାସ୍‌ କମ୍ପାନି ବ୍ରାଣ୍ଡ୍‌ରେ ଜିରା ମସାଲା, ଲେମନ୍‌, ବିଗ୍‌ ଭଳି ମୃଦୁ ପାନୀୟ ପ୍ରସ୍ତୁତ କରି ବିକ୍ରି କରାଯାଉଥିଲା। ବିଶେଷ କରି ଛୋଟ ପିଲାମାନେ ଏଭଳି ମୃଦୁ ପାନୀୟ ପ୍ରତି ଅଧିକ ଆକର୍ଷିତ ହେଉଥିଲେ। ଯାହାକି ସେମାନଙ୍କ ସ୍ବାସ୍ଥ୍ୟ ପକ୍ଷେ ବେଶ୍‌ ହାନିକାରକ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି ରେଶମ ସହର ବ୍ରହ୍ମପୁର। ନକଲି ଇଂଜିନ୍‌ ଅଏଲ୍‌, ମସଲ, ଗୁଟ୍‌ଖା, ପାଣି, ସସ୍‌ ଫ୍ୟାକ୍ଟ୍ରି ଠାବ ପରେ ଏବେ ଏକ ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରି ଠାବ ହୋଇଛି। ବ୍ରହ୍ମପୁର ଉପକଣ୍ଠରେ ସଦର ଥାନା ଅନ୍ତର୍ଗତ ସୁକୁଣ୍ଡା ଗ୍ରାମର ଗୌଡ଼ ସାହିରେ ଏକ ଘରେ ଏହି ଲୁକ୍କାୟିତ ଫ୍ୟାକ୍ଟ୍ରି ଚାଲିଥିଲା। ଗତକାଲି ସଦର ଥାନା ପୁଲିସ ସେଠାରେ ଚଢ଼ଉ କରି ୪ଟି ବ୍ରାଣ୍ଡ୍‌ର ବିପୁଳ ପରିମାଣ ମୃଦୁ ପାନୀୟ ଜବତ କରିଥିଲା। ସେହିପରି ସେଠାରୁ ମେସିନ, ବୋତଲ, ‌ଲୋଗୋ ଓ ଅନ୍ୟ ସାମଗ୍ରୀ ଜବତ ହୋଇଥିଲା। ସେହିପରି ବିଭିନ୍ନ ପ୍ରକାର ରଙ୍ଗ ଓ ଫ୍ଲେବର୍‌ ପ୍ୟାକେଟ୍‌ ଜବତ କରାଯାଇଥିଲା। ଜବତ ମେସିନ୍‌ ଓ ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୁଲିସ କହିଛି। ସେଠାରେ ଏହି ମୃଦୁ ପାନୀୟ ପ୍ରସ୍ତୁତ କରି ବ୍ରହ୍ମପୁର ସହର ସମେତ ବିଭିନ୍ନ ସ୍ଥାନକୁ ବିକ୍ରି ପାଇଁ ରପ୍ତାନି କରାଯାଉଥିଲା ବୋଲି ପୁଲିସ ଜାଣିବାକୁ ପାଇଛି।

ଏହି ଫ୍ୟାକ୍ଟ୍ରିର କୌଣସି ଲାଇସେନ୍ସ ନାହିଁ ବୋଲି ପୁଲିସ କହିଛି। ତେବେ ବେଆଇନ ଭାବେ ଏହା ୨ବର୍ଷ ହେଲା କେମିତି ଚାଲିଥିଲା ତାହା ବର୍ତ୍ତମାନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାକୁ ନେଇ ଖାଦ୍ୟ ସୁରକ୍ଷା ବିଭାଗର ଭୂମିକା ଉପରେ ସାଧାରଣରେ ନାନା ଆଲୋଚନା ଶୁଣିବାକୁ ମିଳୁଛି।

The post ନକଲି ସାମଗ୍ରୀ ବଳୟରେ ବ୍ରହ୍ମପୁର first appeared on Sambad.



from ଜିଲ୍ଲା – Sambad https://ift.tt/39oAOhB